ଆସିକା ବଣିକ ସଂଘ ପକ୍ଷରୁ ସ୍ମାରକପତ୍ର ପ୍ରଦାନ

ଆସିକା  (ୱାଇଏନ୍‍ଏସ୍‍): ଗତ ଅକ୍ଟୋବର ମାସ ୨୯ ତାରିଖରେ ସାମୂଦ୍ରିକ ଅର୍ଣ୍ଣବର ପ୍ରଭାବରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟାରେ ଆସିକା ଅଞ୍ଚଳ ଛାରଖାର୍‍ ହୋଇଯାଇଥିଲା ବେଳେ ଶହ ଶହ ବ୍ୟବସାୟୀଙ୍କ ଦୋକାନରେ ବନ୍ୟାପାଣି ପଶି ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଥିଲା । ଯାହାରି ଫଳରେ ଛୋଟ ଓ ମଧ୍ୟମ ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ବହୁ ଦୋକାନୀ ଘୋର ଆର୍ଥିକ ଦୁର୍ଦ୍ଧଶାର ସମ୍ମୁଖୀନ ହୋଇ କାଳାତିପାତ କରୁଥିବା ଦେଖିବାକୁ ମିଳୁଛି । ପ୍ରଳୟଙ୍କରୀ ବନ୍ୟାରେ କ୍ଷତିଗ୍ରସ୍ତ ଆସିକା ଅଞ୍ଚଳର ସ୍ଥାୟୀ ଦୋକାନୀମାନଙ୍କୁ ସରକାରଙ୍କ ଘୋଷିତ ୨୫ ହଜାର ଟଙ୍କା ଆର୍ଥିକ ସହାୟତା ସ୍ୱଚ୍ଛ ଏବଂ ନିରପେକ୍ଷ ଏବଂ ନିର୍ଭୁଲ ଭାବେ ପ୍ରଦାନ କରିବା ସମେତ ୫ ଦଫା ଦାବୀ ପୂରଣ ଲାଗି ଏକ ସ୍ମାରକପତ୍ର ଆସିକା ବଣିକ ସଂଘ ପକ୍ଷରୁ ସ୍ଥାନୀୟ ତହସିଲଦାର ସଙ୍ଗୀତା ସେଣଙ୍କୁ ପ୍ରଦାନ କରାଯାଇଥିବା ଜଣାପଡିଛି । ଆସିକା ବଣିକ ସଂଘର ସଭାପତି ୟୁ.ସଂଜୟ କୁମାର ପାତ୍ର, ସଂପାଦକ କେ.ସତ୍ୟନାରାୟଣ ପାତ୍ର, କୋଷାଧ୍ୟକ୍ଷ ଡି.ଦ୍ୱାରିକାନାଥ ପାତ୍ର, ସକ୍ରିୟ ସଦସ୍ୟ ଶଙ୍କର ମୁନି, ଗୋଲକ ପ୍ରଧାନ, ଡି.ଆଶିଷ୍‍ ପାତ୍ରଙ୍କ ସମେତ ବହୁ ସଦସ୍ୟ ଆସିକା ତହସିଲ୍‍ କାର୍ଯ୍ୟାଳୟରେ ପହଞ୍ଚି ସଙ୍ଗୀତା ସେଣଙ୍କ ସହ ପ୍ରଳୟଙ୍କରୀ ବନ୍ୟାରେ ହୋଇଥିବା କ୍ଷୟକ୍ଷତି ଉପରେ ଆଲୋଚନା କରିଥିବା ଦେଖିବାକୁ ମିଳିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଳୟଙ୍କରୀ ବନ୍ୟାରେ କ୍ଷତିଗ୍ରସ୍ତ ଦୋକାନୀଙ୍କୁ ୨୫ ହଜାର ଟଙ୍କା ଆର୍ଥିକ ସହାୟତା ଘୋଷଣା କରାଯାଇଥିବାରୁ ସରକାରଙ୍କ ଏହି ନିଷ୍ପତ୍ତିକୁ ଆସିକା ବଣିକ ସଂଘ ପକ୍ଷରୁ ସ୍ୱାଗତ କରାଯାଇଥିବା ଜଣାପଡିଛି । ବନ୍ୟାବିପନ୍ନଙ୍କୁ ସରକାରୀ ସହାୟତା ରାଶି ପ୍ରଦାନରେ ଯେପରି କୌଣସି ପ୍ରକୃତ କ୍ଷତିଗ୍ରସ୍ତ ସ୍ଥାୟୀ ଦୋକାନୀ ବଞ୍ଚିତ ନହୁଅନ୍ତି ଏବଂ କୌଣସି ଅଯୋଗ୍ୟ ବ୍ୟକ୍ତି ଏହି ସରକାରୀ ସହାୟତାରୁ ଫାଇଦା ନ ଉଠାନ୍ତି ସେ ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ ବି କରାଯାଇଥିବା ଜଣାପଡିଛି । ଆସିକା ସହରର ସମସ୍ତ କ୍ଷତିଗ୍ରସ୍ତ ସ୍ଥାୟୀ ଦୋକାନୀଙ୍କର ନିରପେକ୍ଷ ଓ ସଠିକ୍‍ କ୍ଷୟକ୍ଷତି ଆକଳନ କରିବା, ପ୍ରତ୍ୟେକ କ୍ଷତିଗ୍ରସ୍ତ ସ୍ଥାୟୀ ଦୋକାନୀଙ୍କର ନାମ ଏବଂ ଦୋକାନର ଠିକଣା ଓ କ୍ଷୟକ୍ଷତିର ବିବରଣୀ ସହିତ ଏକ ସ୍ୱଚ୍ଛ ତାଲିକା ପ୍ରସ୍ତୁତ କରିବା, ସରକାରୀ ନିୟମ ଅନୁସାରେ ପ୍ରତ୍ୟେକ କ୍ଷତିଗ୍ରସ୍ତ ସ୍ଥାୟୀ ଦୋକାନୀଙ୍କୁ ସରକାରଙ୍କ ଘୋଷିତ ୨୫ ହଜାର ଟଙ୍କାର ସହାୟତା ରାଶି ପ୍ରଦାନର ସୁନିଶ୍ଚିତ କରିବା, ସରକାରଙ୍କ ଘୋଷିତ ସହାୟତା ରାଶି ପ୍ରଦାନରେ କୌଣସି ପ୍ରକାର ପକ୍ଷପାତିତା, ଅନିୟମିତତା କିମ୍ବା ରାଜନୈତିକ ହସ୍ତକ୍ଷେପ ବିନା ନିରପେକ୍ଷ ଭାବେ ପ୍ରକୃତ କ୍ଷତିଗ୍ରସ୍ତ ହିତାଧିକାରୀ ଚୟନ କରିବା, ଆର୍ଥିକ ସହାୟତା ବନ୍ୟାବିପନ୍ନ ବ୍ୟବସାୟୀଙ୍କୁ ପ୍ରଦାନ କରିବା ପୂର୍ବରୁ ଆସିକା ବଣିକ ସଂଘର ପ୍ରତିନିଧିମାନଙ୍କୁ ନେଇ ଏକ ମିଳିତ ଯାଞ୍ଚ ପ୍ରକ୍ରିୟା ସଂପାଦନ କରିବା ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ