ରାମଚରିତ ମାନସ ପ୍ରବଚନ ମହାଯଜ୍ଞ
ଆସିକା (ୱାଇଏନ୍ଏସ୍) :ଆସିକା ବ୍ଳକ ଅଧିନସ୍ଥ କେନ୍ଦୁପଦର ଗ୍ରାମ ପଞ୍ଚାୟତର କେନ୍ଦୁପଦର ଗ୍ରାମର ବଡସାହି ସ୍ଥିତ ଚଉଁରା ମଣ୍ଡପ ସମ୍ମୁଖରେ ଏକ ଆଧ୍ୟାତ୍ମିକମୟ ପରିବେଶ ମଧ୍ୟରେ ନବଦିନବ୍ୟାପୀ ରାମଚରିତ ମାନସ ପ୍ରବଚନ ମହାଯଜ୍ଞ ଆରମ୍ଭ ହୋଇଥିବା ଲକ୍ଷ୍ୟ କରାଯାଇଛି। ଆସିକା ବ୍ଳକ ଅଧିନସ୍ଥ କେନ୍ଦୁପଦର ଗ୍ରାମବାସୀ ଏବଂ ଶ୍ରଦ୍ଧାଳୁ ଭକ୍ତ ଓ ଆଧ୍ୟାତ୍ମିକପ୍ରେମୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଆରମ୍ଭ ହୋଇଥିବା ଏହି ରାମଚରିତ ମାନସ ପ୍ରବଚନ ମହାଯଜ୍ଞ କାର୍ଯ୍ୟକ୍ରମରେ ବିଦ୍ୱାନ ପଣ୍ଡିତ ତଥା ପ୍ରବଚକ ଶ୍ରୀ ଗୁରୁକିଙ୍କର ଶିବଶଙ୍କର ପାଣିଗ୍ରାହୀ ଯୋଗଦେଇ ଅର୍ଶ୍ରୀବଚନ ପ୍ରଦାନ କରୁଥିବା ଲକ୍ଷ୍ୟ କରାଯାଇଛି। ରାମଚରିତ ମାନସ ପ୍ରବଚନ ମହାଯଜ୍ଞର ଉଦ୍ଘାଟନୀ କାର୍ଯ୍ୟକ୍ରମରେ କେନ୍ଦୁପଦର ଗ୍ରାମ ପଞ୍ଚାୟତର ସରପଞ୍ଚ ତଥା ଆଧ୍ୟାତ୍ମିକପ୍ରେମୀ ଭବାନୀ ଶଙ୍କର ମଲିକ (ଟୁଟୁ) ଯୋଗଦେଇ ରାମଚରିତ ମାନସ ପଠନର ଉପାଦେୟତା ଉପରେ ଆଲୋକପାତ କରିବା ସାଙ୍ଗକୁ ବେଦବେଦାନ୍ତ ଓ ନୈତିକ ଶିକ୍ଷାକୁ ଆପଣାଇ ଭବିଷ୍ୟତର ଲକ୍ଷ୍ୟ ପୂରଣ ପାଇଁ ଜୀବନକୁ ଶୃଙ୍ଖଳିତ କରିବା ସକାଶେ ନିୟମିତ ରାମଚରିତ ମାନସ ପାଠ କରିବାକୁ ଆହ୍ୱାନ କରିବା ସାଙ୍ଗକୁ ରାମଚରିତ ମାନସ ଏକ ଧାର୍ମିକ ଗ୍ରନ୍ଥ ହୋଇଥିଲା ବେଳେ ଏହା ପିତୃଭକ୍ତି, ଭ୍ରାତୃପ୍ରେମ, କର୍ତ୍ତବ୍ୟନିଷ୍ଠା ଓ ଧର୍ମପଥରେ ଚାଲିବାର ଶିକ୍ଷା ଦେଇଥାଏ ଓ ରାମଚରିତ ମାନସର ପ୍ରତ୍ୟେକ ପଦ ଜନସାଧାରଣଙ୍କୁ ସତ୍ୟ ଓ ସେବା ଏବଂ ଭକ୍ତିର ମାର୍ଗ ଦେଖାଇଥାଏ ବୋଲି ପ୍ରକାଶ କରିଥିଲେ। ରାମଚରିତ ମାନସ ପ୍ରବଚନ ମହାଯଜ୍ଞ କାର୍ଯ୍ୟକ୍ରମରେ ଅଧିଷ୍ଠାତା ସ୍ୱାମୀ ଚିଦାନନ୍ଦ ଶ୍ରୀରାମ ସେବାସଂଘର କଥାକାର ବିଦ୍ୱାନ ପଣ୍ଡିତ ଶ୍ରୀ ଗୁରୁକିଙ୍କର ଶିବଶଙ୍କର ପାଣିଗ୍ରାହୀ ପ୍ରବକ୍ତା ରୂପେ ଯୋଗଦେଇ ଶ୍ରଦ୍ଧାଳୁଙ୍କୁ ଦିବ୍ୟ ସନ୍ଦେଶ ପ୍ରଦାନ କରୁଥିବା ଲକ୍ଷ୍ୟ କରାଯାଇଛି । ଏହି ଅବସରରେ ଶ୍ରଦ୍ଧାଳୁ ଭକ୍ତ ଓ ଆଧ୍ୟାତ୍ମିକପ୍ରେମୀମାନେ ବିଦ୍ୱାନ ପଣ୍ଡିତ ତଥା ପ୍ରବଚକ ଶ୍ରୀ ଗୁରୁକିଙ୍କର ଶିବଶଙ୍କର ପାଣିଗ୍ରାହୀଙ୍କୁ ପୁଷ୍ପ ଗୁଚ୍ଛ ଏବଂ ଉତ୍ତରୀୟ ପ୍ରଦାନ ପୂର୍ବକ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିବା ଲକ୍ଷ୍ୟ କରାଯାଇଥିଲା । ଜଗତକଲ୍ୟାଣ ଉଦ୍ଦେଶ୍ୟରେ ଆସିକା ବ୍ଳକ ଅନ୍ତର୍ଗତ କେନ୍ଦୁପଦର ଗ୍ରାମର ବଡସାହି ଚଉଁରା ମଣ୍ଡପ ନିକଟରେ ଆରମ୍ଭ ହୋଇଥିବା ରାମଚରିତ ମାନସ ପ୍ରବଚନ ମହାଯଜ୍ଞ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ଗ୍ରାମ୍ୟ କମିଟି ସଭାପତି ରମେଶ ଚନ୍ଦ୍ର ମହାନ୍ତି, ସଂପାଦକ ତଥା ଆଧ୍ୟାତ୍ମିକ ପ୍ରେମୀ ବାୟାମନୁ ପଣ୍ଡା, ଉପସଭାପତି ବିଜୟ ସ୍ୱାଇଁ, ଶ୍ରଦ୍ଧାଳୁ ଭକ୍ତ ବିଜୟ ନାହାକ, ଗିରିଜା ଶଙ୍କର ସୁଆର, ଭଂଜକିଶୋର ସ୍ୱାଇଁ, ଦୁତିକୃଷ୍ଣ ସ୍ୱାଇଁ, ନବୀନ ପଣ୍ଡା, ପ୍ରମୋଦ କୁମାର ବିଶ୍ୱାଳ, ବିମଳ ଖଟେଇଙ୍କ ସମେତ ସ୍ଥାନୀୟ ଗ୍ରାମବାସୀ ସକ୍ରୀୟ ସହଯୋଗ କରୁଥିଲା ବେଳେ କେନ୍ଦୁପଦର ଗ୍ରାମ ଏହାର ଆଖପାଖ ଅଞ୍ଚଳର ଶହଶହ ଶ୍ରଦ୍ଧାଳୁ ଭକ୍ତ ଭାଗବତ କୃପା ଲାଭ ପାଇଁ ଏହି ଆଧ୍ୟତ୍ମିକ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଦେଖିବାକୁ ମିଳୁଛି


