ମନରେଗା ଯୋଜନାରୁ ମହାତ୍ମାଗାନ୍ଧୀଙ୍କ ନାମ ବାଦ ଦିଆଯିବା ଯୋଗୁଁ ଜିଲ୍ଲା କଂଗ୍ରେସର ବିକ୍ଷୋଭ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଦେଶର ବେକାର ଯୁବକଯୁବତୀ ଓ ସାଧାରଣ ଲୋକଙ୍କର ଆତ୍ମ ନିଯୁକ୍ତି ପାଇଁ ସରକାରୀ ସ୍ତରରେ ପ୍ରଣୟନ ହୋଇଥିବା “ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା” (ଏମଜିଏନଆରଜିଏସ)ରେ ଲୋକଙ୍କୁ ବର୍ଷରେ ଏକଶହ ଦିନ କର୍ମ ଯୋଗାଇ ଦେବାର ବ୍ୟବସ୍ଥା ଥିବା ବେଳେ ସରକାର ଅଦ୍ୟାବଧି ବର୍ଷକରେ ଏକଶହ ଦିନ କର୍ମ ଯୋଗାଇବାରେ ବିଫଳ ହୋଇଛନ୍ତି। ଏଥିସହିତ କାମ ଯୋଗାଇ ନପାରିଲେ ବେକାରୀ ଭତ୍ତା ଦେବା ପାଇଁ ସରକାର ଦେଇଥିବା ପ୍ରତିଶୃତି ପ୍ରତାରଣାରେ ପୂର୍ଣ୍ଣ ହୋଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ଆଜି ବିଜେପି ସରକାର ଅତ୍ୟନ୍ତ ନିର୍ଲ୍ଲଜ ଭାବରେ ବର୍ଷକୁ ୧୨୫ଦିନ କାମ ଯୋଗାଇ ଦେବାର ମିଥ୍ୟା ପ୍ରଲୋଭନ ଦେଖାଇ ବିଶ୍ୱ ପୂଜିତ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ନାମକୁ ବାଦ ଦେଇ ବିକୃତ ମାନସିକତାର ପରିଚୟ ଦେଇଛି ବୋଲି କଂଗ୍ରେସ କହିଛି। ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ନାମକୁ ବାଦ ଦେଇ ଅସମ୍ମାନିତ କରିଥିବାରୁ ଦେଶର ଜନସାଧାରଣଙ୍କ ମନରେ କ୍ଷୋଭ ପ୍ରକାଶ ପାଇଛି। ବିଜେପି ସରକାରର ଏହିଭଳି ହୀନ ଚକ୍ରାନ୍ତର ପ୍ରତିବାଦ କରି କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା ସଭାପତି ଡାକ୍ତର ଦେବସ୍ମିତା ଶର୍ମାଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ବିଜେପି ସରକାରର ଏଭଳି କାର୍ଯ୍ୟକୁ ନିନ୍ଦା କରାଯାଇଥିଲା। ଏହି ପ୍ରତିବାଦ ବିକ୍ଷୋଭରେ ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ବରିଷ୍ଠ କଂଗ୍ରେସ ନେତା ଫକୀର ଚରଣ ଖଟୁଆ, ପ୍ରଫୁଲ୍ଲ କୁମାର ଦାସ, ପୂର୍ବତନ ନଗରପାଳ ଆକବର ଅଲ୍ଲୀ, ରତିକାନ୍ତ କାନୁନଗୋ, ଅଶୋକ କୁମାର ପ୍ରତିହାରୀ, ବିଭ୍ରାଂଶୁ ଲେଙ୍କା,ବିଭୁଭୂଷଣ ମହାପାତ୍ର, ରବିନାରାୟଣ ବେହେରା, ମଙ୍ଗୁଳି ଚରଣ ବେହେରା, ବାବୁରାମ ଜେନା, ଭାଗିରଥୀ ଜେନା, ଅଶୋକ ମୋହନ ଜେନା, ବସନ୍ତ କୁମାର ସେଠୀ, ବିଧାନ ଚନ୍ଦ୍ର ସାମଲ, ନିରଞ୍ଜନ ରାଉତ, ସସ୍ମିତା ପଣ୍ଡା, ପ୍ରମିଳା ସାହୁ, ମାନଗୋବିନ୍ଦ ଦାସ, ନିଳମଣୀ ସେଠୀ, ଜଗନ୍ନାଥ ସେଠୀ, ଦର୍ପନାରାୟଣ ସାହୁ, ରଙ୍ଗଲାଲ ମଲ୍ଲିକ, ପ୍ରଦୀପ କୁମାର ରାଉତ, ପ୍ରମିଳା ମଲ୍ଲିକ, ପ୍ରଭାକର ସାହୁ ପ୍ରମୁଖ ଶତାଧିକ ଦଳୀୟ କର୍ମୀ ଓ ନେତା ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ