ଜିଲ୍ଲାସ୍ତରୀୟ ସୁଶାସନ ଦିବସ ପାଳିତ

ବାଲେଶ୍ୱର,(ସରୋଜ ପଣ୍ଡା): ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ  ଜୟନ୍ତୀ ଅବସରରେ ଆଜି ବାଲେଶ୍ୱର ଜିଲ୍ଲାରେ ଜିଲ୍ଲାସ୍ତରୀୟ ସୁଶାସନ ଦିବସ  ଗମ୍ଭୀରତା ସହ ପାଳନ କରାଯାଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ସରକାରୀ ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ଦାସ ଯୋଗଦେଇଥିବା ବେଳେ, ମୁଖ୍ୟ ବକ୍ତା ଭାବେ ମାନ୍ୟବର ସଦର ବିଧାୟକ ଶ୍ରୀଯୁକ୍ତ ମାନସ କୁମାର ଦତ୍ତ ଉପସ୍ଥିତ ଥିଲେ। ଅନ୍ୟାନ୍ୟ ବରେଣ୍ୟ ଅତିଥିମାନଙ୍କ ମଧ୍ୟରେ ମାନ୍ୟବର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ନାରାୟଣ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀଯୁକ୍ତ ସୁଧାକର ନାୟକ, ସଦର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଶିବ ମାଲବ୍ୟ, ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ (ଜିଲ୍ଲା ପରିଷଦ) ଡ. ମଧୁସ୍ମିତା ସାମନ୍ତରାୟ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ପ୍ରିୟଦର୍ଶୀ ରାଜେଶ ପ୍ରମୁଖ ଉପସ୍ଥିତ ଥିଲେ। ମାନ୍ୟବର ସାଂସଦ ଙ୍କ ପ୍ରତିନିଧି ମଧ୍ୟ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମର ଆରମ୍ଭରେ ସମସ୍ତ ଅତିଥିମାନେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଫଟୋଚିତ୍ରରେ ପୁଷ୍ପାଞ୍ଜଳି ଓ ପ୍ରଦୀପ ପ୍ରଜ୍ୱଳନ କରି ସଭାକାର୍ଯ୍ୟ ଶୁଭାରମ୍ଭ କରିଥିଲେ। ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶ ସଭାର ଅଧ୍ୟକ୍ଷତା କରି ସୁଶାସନ ଦିବସ ପାଳନର ଆଭିମୁଖ୍ୟ ଓ ଅଟଳ ବିହାରୀ ବାଜପେୟୀଙ୍କ ଅବଦାନ ସମ୍ପର୍କରେ ବିଶେଷ ଆଲୋକପାତ କରିଥିଲେ। ଡ. ମଧୁସ୍ମିତା ସାମନ୍ତରାୟ ମହାନ୍ ରାଷ୍ଟ୍ରନେତାଙ୍କ ଜୀବନାଦର୍ଶ ଓ ବ୍ୟକ୍ତିତ୍ୱ ସମ୍ପର୍କରେ ଗଭୀର ଆଲୋଚନା କରିଥିଲେ। ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ଦାସ ତାଙ୍କ ବକ୍ତବ୍ୟରେ ଅଟଳ ବିହାରୀ ବାଜପେୟୀଙ୍କ ଦୂରଦର୍ଶୀ ନେତୃତ୍ୱ, ସୁଶାସନ ଦୃଷ୍ଟିକୋଣ, ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା, ନଦୀ ସଂଯୋଗ କରଣ, ଦୂରସଂଚାର ବ୍ୟବସ୍ଥା ଓ ଲୋକମୁଖୀ ଶାସନ ବ୍ୟବସ୍ଥା ସମ୍ପର୍କରେ ଉଲ୍ଲେଖ କରିଥିଲେ। ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ମାନସ କୁମାର ଦତ୍ତ ଅଟଳଜୀଙ୍କ ରାଜନୈତିକ ସୁଶାସନ, ଉତ୍ତରଦାୟିତ୍ୱ, ରାଷ୍ଟ୍ରନୀତି ଓ ସ୍ୱଚ୍ଛତା ଉପରେ ଆଲୋକପାତ କରିଥିଲେ। ସେହିପରି ଜିଲ୍ଲା ପରିଷଦ ଅଧ୍ୟକ୍ଷ ମହୋଦୟ ସୁଶାସନ ସମ୍ପର୍କରେ ଏବଂ ପୂର୍ବତନ ପ୍ରଦାହ ମନ୍ତ୍ରୀ ଶ୍ରୀ ବାଜପେୟୀ ଙ୍କ ଅବଦାନ ସମ୍ପର୍କରେ କହିଥିଲେ।
ଏହି ଅବସରରେ  କାର୍ଯ୍ୟକ୍ରମ ଆରମ୍ଭ ରେ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିଚାରଣ ସହ ସାହିତ୍ୟ ଚର୍ଚ୍ଚା, କବିତା ପାଠ ଉତ୍ସବର ଆୟୋଜନ କରାଯାଇଥିଲା, ଯେଉଁଥିରେ ବାଲେଶ୍ୱର ଜିଲ୍ଲାର ବିଶିଷ୍ଟ କବି ଓ କବୟିତ୍ରୀମାନେ ଅଂଶଗ୍ରହଣ କରିଥିଲେ। ଏହା ସହ ବିଭିନ୍ନ ସ୍ତରର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆୟୋଜିତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ସଦର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଶିବ ମାଲବ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ପ୍ରିୟଦର୍ଶୀ ରାଜେଶ ପରିଚାଳନା କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ