ମଦମୁକ୍ତ ଗାଁ ଗଠନ ଲକ୍ଷ୍ୟରେ ମହିଳାଙ୍କ ମଦ ବିକ୍ରି ବନ୍ଦ ଦାବିରେ ଥାନାରେ ଦାବିପତ୍ର
ବୈପାରିଗୁଡ଼ା,(ବିକ୍ରାନ୍ତ କୁମାର ବେବର୍ତ୍ତା): ଗ୍ରାମରେ ମଦ ବିକ୍ରି ଓ ମଦ୍ୟପାନ ଯୋଗୁଁ ବଢ଼ୁଥିବା ସାମାଜିକ ଅବ୍ୟବସ୍ଥାକୁ ରୋକିବା ସହ ଏକ ସୁସ୍ଥ ଓ ଶାନ୍ତିପୂର୍ଣ୍ଣ ପରିବେଶ ଗଠନ ଲକ୍ଷ୍ୟରେ ଏକଜୁଟ ହୋଇଛନ୍ତି ଶତାଧିକ ମହିଳା। ଅଞ୍ଚଳରୁ ମଦ ବିକ୍ରିକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରିବା ଦାବିରେ ସେମାନେ ବୈପାରିଗୁଡ଼ା ଥାନାର ଦ୍ୱାରସ୍ଥ ହୋଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।ସୂଚନା ଅନୁଯାୟୀ, ବୈପାରିଗୁଡ଼ା ଥାନା ଅନ୍ତର୍ଗତ ଦଶମନ୍ତପୁର ପଞ୍ଚାୟତର ପାବ୍ଲାଗୁଡ଼ା ଗ୍ରାମର ଶତାଧିକ ମହିଳା ମଦ ବିକ୍ରି ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି। ଗ୍ରାମ ଓ ଆଖପାଖ ଅଞ୍ଚଳରେ ମଦର ଅବାଧ ବିକ୍ରି ଯୋଗୁଁ ବହୁ ଲୋକ ମଦ୍ୟପାନର ଶିକାର ହେଉଥିବା ବେଳେ ଏହାର କୁପ୍ରଭାବ ପରିବାର ଓ ସମାଜ ଉପରେ ପଡ଼ୁଛି। ବିଶେଷକରି ମଦ୍ୟପାନ ଯୋଗୁଁ ଘରୋଇ ଅଶାନ୍ତି, ସାମାଜିକ ବିଶୃଙ୍ଖଳା ଓ ଅଞ୍ଚଳର ସୁସ୍ଥ ପରିବେଶ ନଷ୍ଟ ହେବା ଭଳି ସମସ୍ୟା ଦେଖାଦେଉଥିବା ମହିଳାମାନେ ଅଭିଯୋଗ କରିଛନ୍ତି।ମଦର କୁପ୍ରଭାବରୁ ପରିବାରକୁ ସୁରକ୍ଷା ଦେବା ସହ ଯୁବପିଢ଼ିଙ୍କୁ ଏକ ସୁସ୍ଥ ସାମାଜିକ ପରିବେଶ ଯୋଗାଇଦେବା ଉଦ୍ଦେଶ୍ୟରେ ମହିଳାମାନେ ଏହି ସାମୂହିକ ପଦକ୍ଷେପ ନେଇଛନ୍ତି। ତେଣୁ ପାବ୍ଲାଗୁଡ଼ା ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ମଦ ବିକ୍ରିକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଏବଂ ମଦ କାରବାରରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ ପଦକ୍ଷେପ ନେବାକୁ ସେମାନେ ପୋଲିସ ପ୍ରଶାସନ ନିକଟରେ ଦାବି ଜଣାଇଛନ୍ତି। ମଦମୁକ୍ତ ଓ ଶାନ୍ତିପୂର୍ଣ୍ଣ ସମାଜ ଗଠନ ପାଇଁ ମହିଳାମାନଙ୍କ ଏହି ସାମୂହିକ ପ୍ରୟାସ ଅଞ୍ଚଳରେ ଏକ ସକାରାତ୍ମକ ବାର୍ତ୍ତା ଦେଇଛି।


