ସୁରଭି କାର୍ଯ୍ୟକ୍ରମରେ ଅନୁଷ୍ଠିତ
ବୈପାରିଗୁଡା, (ବିକ୍ରାନ୍ତ କୁମାର ବେବର୍ତ୍ତା): ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲୁକ୍କାୟିତ ରହିଥିବା ପ୍ରତିଭାର ଅନ୍ୱେଷଣ, ବିକାଶ ଏବଂ ତାହାକୁ ଉପଯୁକ୍ତ ମଞ୍ଚରେ ପ୍ରଦର୍ଶନ କରିବା ଲକ୍ଷ୍ୟରେ ସରକାରଙ୍କ ପକ୍ଷରୁ ବିଦ୍ୟାଳୟସ୍ତରରେ ଆୟୋଜିତ ହେଉଛି ଶିଶୁ ମହୋତ୍ସବ ‘ସୁରଭି’। ଏହି କ୍ରମରେ ଆଦିବାସୀ ଅଧ୍ୟୁଷିତ ବୈପାରିଗୁଡା ବ୍ଲକରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଉତ୍ସାହ ଓ ଉଦ୍ଦୀପନାର ସହ ଆୟୋଜିତ ହୋଇଯାଇଛି।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭାରପ୍ରାପ୍ତ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ଚନ୍ଦନ ନାୟକ ଯୋଗଦେଇ ଆନୁଷ୍ଠାନିକ ଭାବେ ମହୋତ୍ସବର ଶୁଭ ଉଦ୍ଘାଟନ କରିଥିଲେ। ଏହି ଅବସରରେ ଶିଶୁମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ସହ ସେମାନଙ୍କୁ ସୃଜନଶୀଳତା, ଆତ୍ମବିଶ୍ୱାସ ଓ ପ୍ରତିଯୋଗିତା ମୂଳକ ମନୋଭାବ ଗଢ଼ି ତୋଳିବାରେ ଏଭଳି କାର୍ଯ୍ୟକ୍ରମର ଗୁରୁତ୍ୱ ରହିଛି। ବ୍ଲକର ୧୩ଟି କ୍ଲଷ୍ଟରସ୍ତରରୁ ମନୋନୀତ ହୋଇ ମୋଟ ୩୯୦ ଜଣ ଛାତ୍ରଛାତ୍ରୀ ଏହି ବ୍ଲକସ୍ତରୀୟ ମହୋତ୍ସବରେ ଯୋଗଦେଇଥିଲେ। ସେମାନେ ୩୩ଟି ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇ ନିଜ ନିଜର କଳା, କୌଶଳ, ଜ୍ଞାନ ଓ ସୃଜନଶୀଳତାର ପରିଚୟ ଦେଇଥିଲେ।ଏହି ମହୋତ୍ସବ ମାଧ୍ୟମରେ ଗ୍ରାମାଞ୍ଚଳର ଶିଶୁ ପ୍ରତିଭାମାନଙ୍କୁ ଚିହ୍ନଟ କରିବା ସହ ସେମାନଙ୍କୁ ଆଗାମୀ ଦିନରେ ଉଚ୍ଚସ୍ତରୀୟ ପ୍ରତିଯୋଗିତା ପାଇଁ ଉତ୍ସାହିତ କରିବାର ଏକ ସୁଯୋଗ ସୃଷ୍ଟି ହୋଇଛି। ଶିକ୍ଷା ସହିତ ସହପାଠ୍ୟକ୍ରମ ଓ ସୃଜନାତ୍ମକ କାର୍ଯ୍ୟକଳାପରେ ଶିଶୁମାନଙ୍କ ଦକ୍ଷତା ବିକାଶ କରିବା ଦିଗରେ ‘ସୁରଭି’ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପାଲଟିଛି।


