କୀଟନାଶକ ଖାଇ ବାପ ଓ ମାଆଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ବର୍ଷର ଶିଶୁପୁତ୍ର ଗୁରୁତର

କଟକ,(ଓ୍ବାଇଏନଏସ): ପାରିବାରିକ କଳହରେ ଗୁରୁତର ହୋଇଥିବା ୫ ବର୍ଷର ଶିଶୁ ଏବେ କଟକର ଶିଶୁଭବନରେ ଚିକିତ୍ସିତ ହେଉଛି। ତାର ଅବସ୍ଥା ସ୍ଥିର ଥିବା ଜଣାଯାଇଛି। କୀଟନାଶକ ଖାଇ ବାପ ଓ ମାଆଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ବର୍ଷର ଶିଶୁପୁତ୍ର ଗୁରୁତର ହୋଇଥିଲା । ସୂଚନା ଅନୁସାରେ, ଗତ ବୁଧବାର ଦିନ ପଳସମା ପଞ୍ଚାୟତର ଜିୟନ୍ତପାଲି ଗ୍ରାମର ଦୁଷ୍ମନ୍ତ ମାଝୀ ଓ ସ୍ତ୍ରୀ ରିଙ୍କି ମାଝୀ ଶିଶୁପୁତ୍ରକୁ ଧରି ଶ୍ବଶୁର ଘର ଚଢ଼େଇମରା ପଞ୍ଚାୟତର ଝରାବେରେଣୀ ଗ୍ରାମକୁ ଆସିଥିଲେ। ସେଠାରେ ପରିବାର ସହ ଭୋଜି ସାରି ଶନିବାର ଫେରୁଥିବାବେଳେ କୌଣସି କାରଣକୁ ନେଇ ଦୁଷ୍ମନ୍ତ ଓ ରିଙ୍କିଙ୍କ ମଧ୍ୟରେ ବଚସା ହୋଇଥିଲା। ତେବେ ବଚସା ପରେ ଦୁଷ୍ମନ୍ତ ଓ ରିଙ୍କି ଦଲକ ଛକ ରାସ୍ତା କଡ଼ରେ ବାଇକ୍ ରଖି ୫ ବର୍ଷର ଶିଶୁପୁତ୍ରକୁ ଛାଡ଼ିଦେଇ ଜଙ୍ଗଲ ଭିତରେ କୀଟନାଶକ ଖାଇ ଦେଇଥିଲେ। ଦୁଷ୍ମନ୍ତଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ ରିଙ୍କି ଗୁରୁତର ଥିଲେ।ତେବେ ବାପା,ମା ଫେରିବା ବିଳମ୍ବ ହେବାରୁ ୫ ବର୍ଷର ଶିଶୁପୁତ୍ର ରିଷି ଭୀଷଣ ଶୀତ ରାତିରେ ଜଙ୍ଗଲ ଭିତରକୁ ଯାଇ ସେମାନଙ୍କୁ ଖୋଜାଖୋଜି କରିବା ପରେ ପାଇଥିଲା। ମାତ୍ର କିଛି ଉପାୟ ନ ପାଇ ରାତିସାରା ବାପାଙ୍କ ମୃତଦେହ ଓ ଗୁରୁତର ମା’କୁ ଜଗି ରହି ଶିଶୁପୁତ୍ରଟି କାନ୍ଦୁଥିଲା। ସକାଳେ ହେବା ପରେ ନିଜର ବୁଦ୍ଧି ବଳରେ ରାସ୍ତା କଡ଼କୁ ଆସି ଯିବାଆସିବା କରୁଥିବା ଜନସାଧାରଣଙ୍କୁ ଘଟଣାସ୍ଥଳକୁ ନେଇଥିଲା। ସ୍ଥାନୀୟ ଜନସାଧାରଣ ଘଟଣା ସଂପର୍କରେ ପୁଲିସକୁ ସୂଚନା ଦେଇଥିଲେ। ସୂଚନାପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଷ୍ମନ୍ତ ଓ ରିଙ୍କିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଛେଣ୍ଡିପଦା ମେଡିକାଲରେ ଭର୍ତ୍ତି କରିଥିଲା। କିନ୍ତୁ ଡାକ୍ତର ଦୁଷ୍ମନ୍ତକୁ ମୃତ ଘୋଷଣା କରିଥିବା ବେଳେ ରିଙ୍କିଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ଚିକିତ୍ସାଧୀନ ଅବସ୍ଥାର ତାଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ପୁତ୍ର ରିଷି ମଧ୍ୟ କୀଟନାଶକ ଖାଇ ଥିବା ଯୋଗୁ ଅବସ୍ଥା ସଙ୍କଟାପନ୍ନ ଥିଲା। ତାକୁ କଟକ ଶିଶୁଭବନକୁ ସ୍ଥାନାନ୍ତର କରାଯାଇ ଥିବା କୁଣ୍ଢେଇଗୋଳା ଥାନା ଅଧିକାରୀ ଜୋହନ କୁଜୁର ସୂଚନା ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ