ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ନବବର୍ଷର ବନ୍ଧୁମିଳନ
ବାଲେଶ୍ୱର, (ସରୋଜ ପଣ୍ଡା): ଜିଲ୍ଲାବାସୀଙ୍କୁ ଆବଶ୍ୟକୀୟ ସରକାରୀ ସ୍ୱାସ୍ଥ୍ୟସେବା ଦାବିରେ ଆସନ୍ତା ବିଧାନସଭାର ବଜେଟ ଅଧିବେଶନ ସମୟରେ ଭୁବନେଶ୍ୱରରେ ଗଣଧାରଣାପାଇଁ ମେଡିକାଲ କଲେଜ୍ କ୍ରିୟାନୁଷ୍ଠାନ କମିଟି ନୂଆବର୍ଷରେ ଆହ୍ୱାନ ଦେଇଛି। ଗୁରୁବାର ଦିନ ପୂର୍ବାହ୍ନରେ ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ପ୍ରାକ୍ତନ ସଭାପତି ୰ ଡ. ହରିଶ୍ଚନ୍ଦ୍ର ଜେନାଙ୍କ ୯୨ତମ ଜୟନ୍ତୀ ଓ ନବବର୍ଷର ବନ୍ଧୁମିଳନ ଅବସରରେ କମିଟି ପକ୍ଷରୁ ଆୟୋଜିତ ସଭାରେ ଏହି ନିଷ୍ପତ୍ତି ନିଆଯାଇଛି। ନିରଞ୍ଜନ ପରିଡ଼ା ଓ ଡ. ଇଂ. ହୃଷିକେଶ ସାହୁଙ୍କ ମିଳିତ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଡ. ଜେନାଙ୍କ ପ୍ରତିମୂର୍ତ୍ତି ଓ ଫଟୋଚିତ୍ରରେ ଅତିଥିମାନେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ। କ୍ରିୟାନୁଷ୍ଠାନ କମିଟିର ଗତ ବିଂଶତମ ସମ୍ମିଳନୀର ନିଷ୍ପତ୍ତିକ୍ରମେ ଫକୀରମୋହନ ମେଡିକାଲ୍ କଲେଜର ଅସ୍ଥିଶଲ୍ୟ ବିଭାଗର ପ୍ରଫେସର ଡା. ସରୋଜ କୁମାର ପରିଡ଼ାଙ୍କୁ ସ୍ୱାସ୍ଥ୍ୟସେବାରେ ତାଙ୍କର ବିଶେଷ ଅବଦାନ ପାଇଁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ବର୍ଦ୍ଧନା ଉତ୍ତରରେ ପ୍ରଫେସର ପରିଡ଼ା ଉତ୍ତମ ସ୍ୱାସ୍ଥ୍ୟସେବା ପାଇଁ ବାଲେଶ୍ୱରବାସୀଙ୍କ ସଚେତନତାକୁ ଧନ୍ୟବାଦ ଜଣାଇଥିଲେ। ଏହି ଅବସରରେ କ୍ରିୟାନୁଷ୍ଠାନ କମିଟିର ପୃଷ୍ଠପୋଷକ ସଦସ୍ୟତା ଗ୍ରହଣ କରିଥିବା ଆଇନଜୀବୀ କେଶବ ଚନ୍ଦ୍ର ଆଚାର୍ଯ୍ୟ ଓ ନୃସିଂହ ପଟ୍ଟନାୟକଙ୍କୁ ପ୍ରମାଣପତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇଥିଲା। କ୍ରିୟାନୁଷ୍ଠାନ କମିଟିର ପ୍ରତିଷ୍ଠାତା ସଦସ୍ୟ ତଥା ବରିଷ୍ଠ ଆଇନଜୀବୀ ଶମ୍ଭୁନାଥ ମହାନ୍ତି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ମେଡିକାଲ୍ କଲେଜ୍ ପ୍ରତିଷ୍ଠାର ସ୍ୱପ୍ନ ଓ ଦାବି ପୂରଣ ହୋଇଥିଲେ ମଧ୍ୟ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ପାଇବାରେ ବାଲେଶ୍ୱରବାସୀ ବଞ୍ôଚତ ଅଛନ୍ତି ବୋଲି କହିଥିଲେ। ମେଡିକାଲ୍ କଲେଜ୍ ଓ ସରକାରୀ ସ୍ୱାସ୍ଥ୍ୟସେବା କେନ୍ଦ୍ରମାନଙ୍କରେ ଗୁରୁତର ରୋଗର ବିଭାଗ ଏବଂ ଆବଶ୍ୟକୀୟ ବିଶେଷଜ୍ଞ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ନଥିବାରୁ ବାଲେଶ୍ୱରରୁ ରୋଗୀମାନେ ଜିଲ୍ଲାବାହାରେ ଚିକିତ୍ସା ପାଇଁ ବାଧ୍ୟ ହେଉଛନ୍ତି ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିଥିଲେ। କ୍ରିୟାନୁଷ୍ଠାନ କମିଟିର ସାଧାରଣ ସଂପାଦକ ପ୍ରଦୀପ ଦାସ, ଉପସଭାପତି ନିରଞ୍ଜନ ରାଉତ, ଉପଦେଷ୍ଟା ଗିରିଶ ଚନ୍ଦ୍ର ଦାଶ, ଡ. କେଶବ ଚରଣ ପଣ୍ଡା, କୁମୁଦ ରଞ୍ଜନ ଗିରି, ମହିଳା ସାମ୍ମୁଖ୍ୟନେତ୍ରୀ ସରସ୍ୱତୀ ପଣ୍ଡା, ବନ୍ଦନା ବିଶ୍ୱାସ, ମମତା ଦାସ, କଲ୍ୟାଣୀ ନନ୍ଦ, ଅର୍ଚ୍ଚନା ନନ୍ଦୀ, କୋଷାଧ୍ୟକ୍ଷ ଶ୍ୟାମସୁନ୍ଦର ଜେନା, ଅକ୍ଷୟ କୁମାର ତ୍ରିପାଠୀ, ନିଳାଦ୍ରୀ ହୋତା, ସୀତାରାମ ପ୍ରଧାନ, ନବ କୁମାର ମହାନ୍ତି, ଅଭୟ ମିଶ୍ର, ଦିଲ୍ଲୀପ ଚକ୍ରବର୍ତ୍ତୀ, ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ସଂପାଦକ ଦାମୋଦର ନାୟକ, ଅବସରପ୍ରାପ୍ତ କର୍ମଚାରୀ ସଂଘର ସଭାପତି ଇଂ. ବନମାଳୀ ନାୟକ ପ୍ରମୁଖ ସ୍ୱର୍ଗତ ଡା. ଜେନାଙ୍କ ବହୁବିଧ ପ୍ରତିଭାର ସ୍ମୃତିଚାରଣ କରି ବାଲେଶ୍ୱରରେ ସ୍ୱାସ୍ଥ୍ୟସେବା ସଂପର୍କରେ ନିଜର ମତ ରଖିଥିଲେ। ଡା. ଜେନାଙ୍କ ପରିବାର ପକ୍ଷରୁ ପୁତ୍ର ଉତ୍ପଳ, କନ୍ୟା ଅନିମା ଓ ନାତି ଆଶିଷ ଜେନା କ୍ରିୟାନୁଷ୍ଠାନ କମିଟିକୁ କୃତଜ୍ଞତା ଜଣାଇଥିଲେ। ସଭାକାର୍ଯ୍ୟ ଆରମ୍ଭରେ ଗୌରାଙ୍ଗ ପାଣିଗ୍ରାହୀ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସମସ୍ତଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇ ଆଗାମୀ କାର୍ଯ୍ୟକ୍ରମରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଶ୍ୟାମସୁନ୍ଦର ଜେନା, ଯତୀନ୍ ପାତ୍ର ଓ ଯୋଗେନ୍ଦ୍ର ମାନ୍ନା ପ୍ରମୁଖ ସହଯୋଗ କରିଥିଲେ। ପ୍ରଫୁଲ୍ଲ କୁମାର ଦାସ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।


