ନାବାଳିକା ନାତୁଣୀଙ୍କୁ ଦୁଷ୍କର୍ମ ପରେ ଅଜାଙ୍କୁ ହତ୍ୟା ଘଟଣା: ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) :ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ ପ୍ରାୟ ସାଢ଼େ ୯ ଟାରେ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଗତ ମଙ୍ଗଳବାର ରାତି ପ୍ରାୟ ୯ ଟାରେ ସନିଆ ଙ୍କ ୧୬ ବର୍ଷୀୟା ନାତୁଣୀ ଗୁହାଳ ଘରେ କାମ କରୁଥିବା ବେଳେ ତାଙ୍କୁ ଶିବ ଟେକିନେଇ ଜବରଦସ୍ତ ଦୁଷ୍କର୍ମ କରିଥିଲେ।ଗୁରୁବାର ସକାଳେ ଘଟଣାର ପ୍ରତିବାଦ କରିବାରୁ ସନିଆଙ୍କ ପଡୋଶୀ ଶିବ ଓରଫ ଶିବ ଶଙ୍କର ଗୌଡ଼ ଏବଂ ତାଙ୍କ ସମ୍ପର୍କୀୟ ଚିକୁନ ଗୌଡ଼ ମିଶି ସନିଆ ଙ୍କୁ ଗୁରୁବାର ସକାଳେ ତାଙ୍କ ଘର ସମ୍ମୁଖରେ ଏକ କାଠ ଖଣ୍ଡ ରେ ମାଡ଼ମାରି ଫେରାର ହୋଇଯାଇଥିଲେ। ଗୁରୁତର ସନିଆ ଙ୍କୁ ପରିବାର ଲୋକେ ଦିଗପହଣ୍ଡି ମେଡିକାଲ ରେ ଭର୍ତ୍ତି କରିଥିଲେ।ସେଠାରେ ଡାକ୍ତର ତାଙ୍କ ମୃତ୍ୟୁ ଘୋଷଣା କରିଥିଲେ। ପୁଲିସ ମେଡିକାଲ ରୁ ସନିଆଙ୍କ ଶବ ଜବତ କରି ପଞ୍ଚନାମା ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲ କୁ ପଠାଇଥିଲେ। ସନିଆ ଙ୍କ ପୁଅ ବିଚିତ୍ର ଏତଲା ଦେବାପରେ ତଦନ୍ତକାରୀ ଅଧିକାରୀ ତଥା ଆଇଆଇସି ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ରକ୍ତ ଲାଗିଥିବା ମାଟି,ମୃତ ସନିଆ ଙ୍କ ଲୁଗା, ଅଭିଯୁକ୍ତ ଦ୍ବୟ ଙ୍କ ସାର୍ଟ, ପ୍ୟାଣ୍ଟ ଏବଂ ହତ୍ୟାକାଣ୍ଡରେ ବ୍ୟବହୃତ ଠେସ କାଠଖଣ୍ଡ ଜବତ କରିଥିଲେ।ପରେ ଅଭିଯୁକ୍ତ ଦ୍ବୟ ଙ୍କ ଘରେ ଅତର୍କିତ ଚଢ଼ାଉ କରି ଉଭୟଙ୍କୁ ଥାନାକୁ ଉଠାଇ ନେଇଥିଲେ।ଉଭୟ ଙ୍କୁ ଜେରା କରାଯିବା ପରେ ଉଭୟେ ନିଜ ନିଜର ଦୋଷ ସ୍ବୀକାର କରିଥିବା ଆଇଆଇସି କହିଛନ୍ତି।ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ଦ୍ବୟ ଙ୍କୁ ଶୁକ୍ରବାର ତଦନ୍ତକାରୀ ଅଧିକାରୀ ତଥା କେ.ନୂଆଗାଁ ଥାନା ଆଇଆଇସି କିଶୋର କୁମାର ସାମଲ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ଥାନା ମାମଲା ନଂ.୧/୨୬ ଦଫା -୧୦୩(୧)/୩(୫) ଭାରତୀୟ ନ୍ୟାୟ ସଂହିତା ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତ ଦ୍ବୟ ଙ୍କୁ ଦିଗପହଣ୍ଡି ଉପ କାରାଗାର କୁ ପଠାଇ ଦିଆଯାଇଛି। ।ଅପରପକ୍ଷରେ ଦୁଷ୍କର୍ମ ପୀଡ଼ିତା ଶୁକ୍ରବାର ଅଭିଯୁକ୍ତ ଶିବ ଙ୍କ ବିରୋଧରେ ଏତଲା ଦେଇଛନ୍ତି।ଏତଲାକୁ ଭିତ୍ତିକରି ଥାନା ମାମଲା ନଂ.୨/୨୬ ଦଫା – ୬୫(୧)/୩(୫) ଭାରତୀୟ ନ୍ୟାୟ ସଂହିତା ଏବଂ ପୋକସ ଆଇନର ଧାରା – ୪ ଅନୁଯାୟୀ ମକଦ୍ଦମା ରୁଜୁ କରାଯାଇଛି।ତଦନ୍ତକାରୀ ଅଧିକାରୀ ଚିକିଟି ଫାଣ୍ଡି ଏସ.ଆଇ ଗୌତମ ସାହୁ ପୀଡ଼ିତା ଙ୍କ ବୟାନ ରେକର୍ଡ କରିଛନ୍ତି। ଶନିବାର ବ୍ରହ୍ମପୁର ବଡ଼ ଡାକ୍ତରଖାନା ରେ ପୀଡ଼ିତା ଙ୍କ ଡାକ୍ତରୀ ମାଇନା କରାଯିବା ପରେ ମାଜିଷ୍ଟ୍ରେଟ ଙ୍କ ସମ୍ମୁଖରେ ବୟାନ ରେକର୍ଡ କରାଯିବ ବୋଲି ପୁଲିସ କହିଛି।


