ଦିଗପହଣ୍ଡି ଏବିଡିଓଙ୍କ ଦୁର୍ନୀତିର ତଦନ୍ତ ଦାବୀ କଲେ ସରପଞ୍ଚ

ଦିଗପହଣ୍ଡି, (ଅଳକ ନାଥ ମିଶ୍ର) : ଦିଗପହଣ୍ଡି ବ୍ଲକର ପୂର୍ବତନ ଜିପିଡିଓ ତଥା ବର୍ତ୍ତମାନର ଏବିଡିଓ ଉମେଶ ସେଠୀଙ୍କ ଦ୍ଵାରା କରାଯାଇଥିବା ଦୁର୍ନୀତି,ଆର୍ଥିକ ଅନିୟମିତତା ଓ ଆପତ୍ତିଜନକ  କାର୍ଯ୍ୟକଳାପର ତଦନ୍ତ ସହ ବିହିତ ପଦକ୍ଷେପ ଗ୍ରହଣ କରାଯିବାକୁ ସୋମବାର  ଗଞ୍ଜାମ ଜିଲ୍ଲା ସରପଞ୍ଚ ସଂଘର ସଭାପତି ତଥା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ଗୌଡ଼ ଦାବୀ କରିଛନ୍ତି। ଦିଗପହଣ୍ଡି ନନ୍ଦିଘୋଷ କଲ୍ୟାଣ ମଣ୍ଡପ ଠାରେ ଆହୂତ ଏକ ସାମ୍ବାଦିକ ସମ୍ମିଳନୀରେ  ସେ ଏବିଡିଓ ଙ୍କ ବିରୋଧରେ ବର୍ଶିଥିଲେ। ସେ  ଦୀର୍ଘଦିନ ଧରି ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ  ରହି ବ୍ଲକ କାର୍ଯ୍ୟାଳୟର ବିଭିନ୍ନ ଆକାଉଣ୍ଟରୁ ନିଜର ଆକାଉଣ୍ଟ ଏବଂ ସଂପର୍କୀୟଙ୍କ ଆକାଉଣ୍ଟକୁ ବିଭିନ୍ନ ସମୟରେ ବହୁତ ଟଙ୍କା ଟ୍ରାନ୍ସଫର କରିଥିବା ଅଭିଯୋଗ ଆଣିବା ସହ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ମାଲିକ ସୀମା ପାଠୀଙ୍କ ଠାରୁ ଦିଗପହଣ୍ଡି ବ୍ଲକରେ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ର କାର୍ଯ୍ୟାଦେଶ ଯୋଗାଇବା ପାଇଁ କମିଶନ ନେଇଥିବା ଭଳି ଗୁରୁତର ଅଭିଯୋଗ ମଧ୍ୟ କରିଛନ୍ତି। ସେହିପରି ଦିଗପହଣ୍ଡି ବ୍ଲକରେ ମାତ୍ର ୨ ଗୋଟି ମୋ ବ୍ୟାଙ୍କ୍ କାର୍ଯ୍ୟକ୍ରମ କରାଯାଇ ୧୫ ଟି କାର୍ଯ୍ୟକ୍ରମ ହୋଇଥିବା ଦର୍ଶାଇ ଲକ୍ଷାଧିକ ଟଙ୍କା ହଡ଼ପ କରାଯାଇଛି ବୋଲି ମନୋରଞ୍ଜନ କହିଛନ୍ତି।   ଦିଗପହଣ୍ଡି ବ୍ଲକର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ପାଇଁ ଅନୁଷ୍ଠିତ ସରକାରୀ କାର୍ଯ୍ୟକ୍ରମ ଗୁଡ଼ିକରେ ଲକ୍ଷ ଲକ୍ଷ ଟଙ୍କା ହେରଫେର ହୋଇଛି। ଯାହାର ପ୍ରମାଣ ସେ ଗଞ୍ଜାମ ଜିଲ୍ଲାପାଳ, ବିଡ଼ିଓ, ସ୍ଥାନୀୟ ବିଧାୟକ ଓ ସାଂସଦଙ୍କ ଦୃଷ୍ଟିକୁ ଆଣିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ। ସରକାରୀ ଅର୍ଥ ଲୁଟ୍ ରେ ଏବିଡ଼ିଓ ଉମେଶ ସେଠୀଙ୍କ ସଂପୃକ୍ତି ରହିଛି। ସେ ଫୋନ ପେ ମାଧ୍ୟମରେ ଭେଣ୍ଡର ମାନଙ୍କ ଠାରୁ ପ୍ରଚୁର ଅର୍ଥ ନେଇଛନ୍ତି। ଗତ ଡ଼ିସେମ୍ବର ୭ ତାରିଖ ରବିବାର ରେ ବ୍ଲକ ର ଜଣେ ମହିଳା ଅଧିକାରୀ ଏବଂ ଏବିଡ଼ିଓ ବ୍ଲକ କାର୍ଯ୍ୟାଳୟ ଭିତରେ ସିସିଟିଭି ବନ୍ଦ କରି କେଉଁ ସବୁ କାର୍ଯ୍ୟ କରୁଥିଲେ ତାହା ସାର୍ବଜନୀନ ହେବା ଦରକାର ବୋଲି ସେ କହିଛନ୍ତି।  ଦିଗପହଣ୍ଡି ବିଡ଼ିଓ ଅନାମିକା ପାଣ୍ଡେ ଏକ ଯୁଗ୍ମ କମିଟି ଗଠନ କରି ରିପୋର୍ଟ ପ୍ରଦାନ କରିଥିଲେ । ତାହାକୁ ବିରୋଧ କରି ସେ ଭୁବନେଶ୍ଵର ସ୍ଥିତ ମୁଖ୍ୟମନ୍ତ୍ରୀ ଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିଥିଲେ। ଜିଲ୍ଲାପାଳ  ଦିଗପହଣ୍ଡି ବିଡ଼ିଓ ଙ୍କ ରିପୋର୍ଟ କୁ ଗ୍ରହଣ ନକରି  କୁକୁଡ଼ାଖଣ୍ଡି ବିଡ଼ିଓ, ଜିଲ୍ଲା ପଞ୍ଚାୟତ ଅଧିକାରୀ, ଜିଲ୍ଲା ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଫାଇନାନ୍ସ ଏବଂ ଜିଲ୍ଲା ପରିଷଦ କର୍ତ୍ତୃପକ୍ଷ ଙ୍କୁ ଏନେଇ ତଦନ୍ତ କରି ରିପୋର୍ଟ ମାଗିଥିବା ସେ କହିଛନ୍ତି। ଆଗାମୀ ସପ୍ତାହକ ମଧ୍ୟରେ ଏବିଡ଼ିଓ ଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ସେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି।  ଏ ସମ୍ପର୍କରେ ଏବିଡିଓଙ୍କ ପ୍ରତିକ୍ରିୟା ନିଆଯିବାରେ ତାଙ୍କ ବିରୋଧରେ ଅଣାଯାଇଥିବା ସମସ୍ତ ଅଭିଯୋଗକୁ ସେ ଖଣ୍ଡନ କରିବା ସହ ଯେ କୌଣସି ପ୍ରକାର ତଦନ୍ତ ପାଇଁ ସେ ପ୍ରସ୍ତୁତ ଥିବା କହିଛନ୍ତି।ଅପରପକ୍ଷରେ ବିଡ଼ିଓ ଙ୍କୁ ଯୋଗାଯୋଗ କରିବାରେ ତଦନ୍ତ ନିମନ୍ତେ ଜିଲ୍ଲା ସ୍ତରୀୟ କମିଟି ଗଠନ କରାଯାଇଛି।କମିଟି ର ତଦନ୍ତ ପରେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ