ପଥର ବ୍ଳାଷ୍ଟିଙ୍ଗ୍ ନେଇ ଥାନାରେ ଗ୍ରାମବାସୀ ଓ ଲିଜଧାରୀ ପକ୍ଷରୁ ଭିନ୍ନ ଭିନ୍ନ ଅଭିଯୋଗ
ପୋଲସରା(ଓ୍ବାଇଏନଏସ) : ପୋଲସରା ତହସିଲ ଅନ୍ତର୍ଗତ ସୋଡକ ଗ୍ରାମ ନିକଟସ୍ଥ ବନମାଳୀ ପଲ୍ଲୀ ଫୁଲ ଢିମ୍ବିରା ପାହାଡର ପଥର ବ୍ଳାଷ୍ଟିଙ୍ଗ୍ କୁ ନେଇ ଗ୍ରାମବାସୀ ଓ ଲିଜଧାରୀ ଭିନ୍ନ ଭିନ୍ନ ଦୁଇଟି ଅଭିଯୋଗ ଦେଇଥିବା ଜଣାପଡିଛି। ବୁଗୁଡ଼ା ଥାନା ଅନ୍ତର୍ଗତ ବାଲିପଦର ଗ୍ରାମର କେ.ନୀଳମାଧବ ଆଚାରୀ ଦିର୍ଘ ବର୍ଷ ଧରି ବନମାଳୀ ପାହାଡ଼କୁ ଲିଜ୍ ନେଇ ନିଜର କ୍ରସର ବ୍ୟବସାୟ କରିଆସୁଛନ୍ତି। ଗତକାଲି ଘଟଣା ସ୍ଥଳରେ ୬ ପେଟି ବିସ୍ପୋରକ ସାମଗ୍ରୀ ସହ ବ୍ଳାଷ୍ଟିଙ୍ଗ୍ ପାଇଁ ଆସିଥିବା ୬ ଜଣ ବ୍ୟକ୍ତିଙ୍କୁ କେତେକ ଗ୍ରାମବାସୀ ଅଟକ ରଖି ପୋଲସରା ଥାନା ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲସରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ସମ୍ପୃକ୍ତ ୬ ଜଣ ବ୍ୟକ୍ତି ଓ ବିସ୍ପୋରକ ସାମଗ୍ରୀକୁ ଥାନାକୁ ଆଣିଥିଲେ। ତେବେ ଗ୍ରାମାଲୋକେ ପୋଲିସକୁ ଜିମା ଦେଇଥିବା ବିସ୍ପୋରକ ଓ ଲୋକଙ୍କୁ ପୋଲିସ ଛାଡି ଦେବାରୁ ଶଙ୍କର ସାହୁ, ନିକୁଞ୍ଜ ସାହୁ, ମନୋଜ ପାତ୍ର, ଗୌର ବିଶ୍ବାଳ, ଲକ୍ଷ୍ମୀ ସାହୁ ସମେତ ୪୦ରୁ ଉର୍ଦ୍ଧ୍ବ ପୁରୁଷ ଓ ମହିଳା ଥାନାକୁ ଆସି ପ୍ରତିବାଦ କରିଥିଲେ। ଉକ୍ତ ଘଟଣାକୁ ନେଇ ଲିଜଧାରି କେ.ନୀଳମାଧବ ଆଚାରୀ ପୋଲସରା ଥାନାରେ ପାଲଟା ଅଭିଯୋଗ କରି ପାହାଡ଼ରେ ପଥର ବ୍ଳାଷ୍ଟିଙ୍ଗ୍ କରିବା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ଅନୁମତି ପାଇବା ସହିତ ବ୍ଳାଷ୍ଟିଙ୍ଗ କରିବା ପାଇଁ ଆସିଥିବା ବ୍ଳାଷ୍ଟର ମଧ୍ୟ ସ୍ବିକୃତିପ୍ରାପ୍ତ ହୋଇଥିବା ବେଳେ ଗ୍ରାମର କିଛି ଖଳ ପ୍ରକୃତିର ଲୋକ ଏହାକୁ ବିରୋଧ କରୁଛନ୍ତି। ଏହାସହିତ ମୋର କର୍ମଚାରୀ ମାନଙ୍କୁ ଧମକ ଦେଇଥିବା ସେ ପୋଲସରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏନେଇ ପୋଲସରା ଥାନାଧିକାରୀ କୌଶିକ ମାଝୀ ଉଭୟ ପକ୍ଷରୁ ଅଭିଯୋଗ ଗ୍ରହଣ କରିଥିବା ବେଳେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି।


