ବିଜେପିର ବୁଢାବଳଙ୍ଗ ଓ ରୁପସା ମଣ୍ଡଳର କାର୍ଯ୍ୟକାରିଣୀ ବୈଠକ
ବାଲେଶ୍ବର(ସରୋଜ ପଣ୍ଡା): ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀରେ ଭାରତୀୟ ଜନତା ପାର୍ଟିର ନବଗଠିତ ବୁଢାବଳଙ୍ଗ ଓ ରୁପସା ମଣ୍ଡଳର ନୂତନ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ମଣ୍ଡଳ ସଭାପତି କାହ୍ନୁ ଚରଣ ମହାଳିକ ଓ ଶଶିକାନ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ସଭାପତି ଇଶ୍ୱର ଚନ୍ଦ୍ର ବେହେରା, ସଦର ବିଧାୟକ ମାନସ କୁମାର ଦତ୍ତ ଯୋଗଦେଇ ଦଳୀୟ ସାଂଗଠନିକ ସ୍ଥିତି ସୃଦୃଢ କରିବା ଦିଗରେ ଉପାଦେୟ ପରାମର୍ଶ ଦେଇଥିଲେ । ବିଶ୍ୱର ସର୍ବବୃହତ ରାଜନୈତିକ ସଂଗଠନ ଭାରତୀୟ ଜନତା ପାର୍ଟିର ସକ୍ରିୟ କାର୍ଯ୍ୟକର୍ତ୍ତା ଭାବେ ସର୍ବଦା ରାଷ୍ଟ୍ରସେବା ପ୍ରତି ସମର୍ପିତ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକକଲ୍ୟାଣ ଯୋଜନା ସହ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଚାଲିଥିବା ଲୋକଙ୍କ ସରକାରଙ୍କ ସମସ୍ତ ଯୋଜନାକୁ ଜନସାଧାରଣଙ୍କ ନିକଟରେ ପହଂଚାଇବାକୁ ନିରନ୍ତର ପ୍ରୟାସ ଜାରି ରଖିବା ନିମନ୍ତେ ସେମାନେ ଆହ୍ୱାନ ଦେଇଥିଲେ । ଜନସାଧାରଣଙ୍କ ସହ ସୁମ୍ପର୍କକୁ ଆହୁରି ମଜବୁତ କରିବା ସହ ସରକାର ତଥା ଦଳ ପ୍ରତି ସେମାନଙ୍କ ଆଶା ଓ ବିଶ୍ୱାସକୁ ଅତୁଟ ରଖିବା ଉପରେ ବିଧାୟକ ଶ୍ରୀ ଦତ୍ତ ଗୁରୁତ୍ୱରୋପ କରିଥିଲେ । ୨୦୨୪ ସାଧାରଣ ନିର୍ବାଚନ ତୁଳନାରେ ଆଗାମୀ ପଂଚାୟତ ନିର୍ବାଚନରେ ଦଳକୁ ଅଧିକରୁ ଅଧିକ ଜନସମର୍ଥନ ମିଳିବା ଲକ୍ଷ୍ୟରେ ଏବେ ଠାରୁ ବୁଥସ୍ତରୀୟ କମିଟିକୁ ମଜବୁତ କରିବାକୁ ସେ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ରବିନାରାୟଣ ମହାପାତ୍ର, ଗୌରାଙ୍ଗ ଦାସ, ପର୍ଶୁରାମ ବେହେରା, ଗଙ୍ଗାଧର ରାଉତ, ଚନ୍ଦ୍ର ଶେଖର ନନ୍ଦ, ହରେନ୍ଦ୍ର ପ୍ରଧାନ, କାର୍ତ୍ତିକ ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟ ଗୟାଧର ବେହେରା, କାର୍ତ୍ତିକ ରାଉତ, ତପନ ଗିରି, ଶୁଭେସ ନାୟକ ପ୍ରମୁଖ ଏହି ବୈଠକରେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ ।


