ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ରାସ୍ତା: ଅବଧି ସରିଲାଣି ସରୁନି କାର୍ଯ୍ୟ
ନାଉଗାଁ, (ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ପିଡବ୍ଲୁଡି ରାସ୍ତାର ନରଣପୁରରୁ ଚକୁଳିପଡା ପର୍ଯ୍ୟନ୍ତ ରାସ୍ତା ସଂଯୋଗୀକରଣ କରାଯାଇଛି। ରାସ୍ତାଟି ଗ୍ରାମ୍ୟ ଉନ୍ନୟନ ବିଭାଗର ଜଗତସିଂହପୁର ବିଭାଜନ ଅଧିନରେ ରହିଛି। ହେଲେ ଏହି ରାସ୍ତା ନିର୍ମାଣର ଅବଧି ଶେଷ ହୋଇଥିଲେ ମଧ୍ୟ ରାସ୍ତା କାର୍ଯ୍ୟ ଶେଷ ହୋଇ ନଥିବା ବେଳେ ଠିକା ସଂସ୍ଥା ଦ୍ୱାରା ବେଆଇନ ଭାବେ ଗୋଚରରୁ ମାଟି ଖୋଳାଯାଇ ରାସ୍ତା ନିର୍ମାଣ କରାଯାଉଥିବା ଅଭିଯୋଗ ହେଉଛି। ସୂଚନାଫଳକ ତଥ୍ୟ ଅନୁସାରେ ରାସ୍ତାଟିର ଦୈର୍ଘ୍ୟ ୬.୫୨ କିମି ଥିବା ବେଳେ ଅଟକଳ ମୂଲ୍ୟ ୫୨୯.୬୧ ଲକ୍ଷ ରହିଛି। କାର୍ଯ୍ୟ ଆରମ୍ଭ ତାରିଖ ୨୦୨୨ ଡିସେମ୍ବର ୧୭ ରହିଥିବା ବେଳେ ଶେଷ ତାରିଖ ୨୦୨୩ ନଭେମ୍ବର ୧୬ ରହିଛି। ଦୀର୍ଘ ୨ ବର୍ଷ ହେବ କାର୍ଯ୍ୟ ଶେଷ ହେବାର ଅବଧୀ ସରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଠିକା ସଂସ୍ଥାର ମାଟି କାର୍ଯ୍ୟ ସରି ନାହିଁ। ସଂପୃକ୍ତ ଠିକା ସଂସ୍ଥା ନରଣପୁରରୁ-ଇଚ୍ଛାପୁର ରାସ୍ତା କାର୍ଯ୍ୟ ଅଧା ହୋଇଥିବା ବେଳେ ତାହା ବିପର୍ଯ୍ୟସ୍ତ ହୋଇପଡିଛି। ଏପରିକି ଏହି ରାସ୍ତାରେ ଯାତାୟତରେ ଗ୍ରାମର ଗ୍ରାମବାସୀ ଘରୁ ବାହାରି ପାରୁ ନାହାନ୍ତି। ସେହିପରୀ ଠିକାସଂସ୍ଥା ବର୍ତମାନ ଉକ୍ତ ପ୍ରକଳ୍ପର ଜଳଶରପଡା ଠାରୁ ଚକୁଳିପଡା ପର୍ଯ୍ୟନ୍ତ ମାଟି ପକାଇ ରାସ୍ତା ନିର୍ମାଣ କରୁଛି। ଉକ୍ତ ମାଟିକୁ ଜଳଶରପଡାର ଏକ ପଡିଆରୁ ବେଆଇନ ଭାବେ ଖୋଳୁଥିବା ଗ୍ରାମବାସୀ ଅନୁପ ମହାନ୍ତି, ଅମିତ ରଂଜନ ମହାନ୍ତି, ବରେଶ କୁମାର ଦାସ,ହିମାଂଶୁ ମହାନ୍ତି ଆଦି ପ୍ରକାଶ କରିଛନ୍ତି। ଗ୍ରାମବାସୀଙ୍କ କହିବା ମୁତାବକ ଏବିଷୟରେ ସେମାନେ ଜାମୁଗାଁ ରାଜସ୍ୱ ନିରିକ୍ଷକ ଜ୍ୟୋତି ଭୂଷଣ ବାରିକଙ୍କୁ ଅବଗତ କରାଇଥିଲେ। କିନ୍ତୁ ବେଆଇନ ମାଟି ଖୋଳିବା ତଦାରଖ କରିବା ଖଣି ଅଧିକାରୀଙ୍କ କାର୍ଯ୍ୟ କହି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବା ପ୍ରକାଶ କରିଛନ୍ତି। ସେହିପରି ଉକ୍ତ ସରକାରୀ ଜମିରେ ଏକ ଶିଶୁ ପାର୍କ ନିର୍ମାଣ କରାଯିବା ପାଇଁ ପ୍ରସ୍ତାବ ଯାଇଥିବା ଗ୍ରାମବାସୀ କହିଛନ୍ତି। ତେଣୁ ବେଆଇନ ଭାବେ ଠିକା ସଂସ୍ଥା କାହାର ନିର୍ଦ୍ଦେଶରେ ମାଟି ଉଠାଉଛି ତାହାକୁ ତଦନ୍ତ କରିବା ପାଇଁ ଦାବି କରିଛନ୍ତି। ଏବିଷୟରେ ଜଗତସିଂହପୁର ର କନିଷ୍ଠ ଖଣି ଅଧିକାରୀ ଜିତେନ୍ଦ୍ର କୁମାର ଦାସଙ୍କୁ ପଚାରିବାରେ ମାଟି ଖୋଳିବା ବିଷୟରେ ତାଙ୍କୁ ସୂଚନା ନାହିଁ, ଏହା ଉପରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ।


