ରେମୁଣା ବିଧାନସଭା ମଣ୍ଡଳୀ ପାଇଁ ୨୦୨୬ର ପ୍ରଥମ ଏସିଡିସି ବୈଠକ

ବାଲେଶ୍ୱର, (ସରାେଜ ପଣ୍ଡା): ରେମୁଣା ବିଧାନସଭା ମଣ୍ଡଳୀ ସମ୍ବନ୍ଧୀୟ ୨୦୨୬ ର  ପ୍ରଥମ ବିଧାନସଭା ସ୍ତରୀୟ ବିକାଶ ସମନ୍ୱୟ କମିଟି (ACDC) ବୈଠକ ଆଜି ବାଲେଶ୍ୱର କଲେକ୍ଟରେଟ୍ ଆଡିଟୋରିୟମ୍‌ରେ ଅନୁଷ୍ଠିତ ହୋଇଥିଲା । ବୈଠକଟି ମାନ୍ୟବର ସରକାରୀ ଉପମୁଖ୍ୟ ସଚେତକ ଏବଂ ରେମୁଣା ବିଧାୟକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକଟି ଅତିରିକ୍ତ ଜିଲ୍ଲାପାଳ  (ରାଜସ୍ବ) ବାଲେଶ୍ୱର ଶ୍ରୀ ହେମନ୍ତ କୁମାର ସିଂହଙ୍କ ଆହ୍ୱାନରେ ହୋଇଥିବାବେଳେ ଜିଲ୍ଲା ପରିଷଦ ବାଲେଶ୍ୱରର ମୁଖ୍ୟ ଉନ୍ନୟନ ଅଧିକାରୀ-ସହ-ନିର୍ବାହୀ ଅଧିକାରୀ ଶ୍ରୀ ସଞ୍ଜୟ କୁମାର ରାଉତ ଉପସ୍ଥିତ ଥିଲେ । ସମସ୍ତ ସମ୍ବନ୍ଧିତ ବିଭାଗୀୟ ଅଧିକାରୀ ଏବଂ ରାଜନୈତିକ ପ୍ରତିନିଧିମାନେ ବୈଠକରେ ଉପସ୍ଥିତ ଥିଲେ । ବୈଠକରେ ମାନ୍ୟବର ବିଧାୟକ ଶ୍ରୀ ଦାସ ବିଭାଗ ଅନୁଯାୟୀ ଏଜେଣ୍ଡା ଆଧାରରେ ସମୀକ୍ଷା କରି ରେମୁଣା ବିଧାନସଭା ମଣ୍ଡଳୀରେ ଚାଲୁଥିବା ବିକାଶ କାର୍ଯ୍ୟର ପ୍ରଗତି ଉପରେ ଆଲୋଚନା କରିଥିଲେ । ସଦର ବ୍ଲକ୍‌ର ୧୩ଟି ଗ୍ରାମ ପଞ୍ଚାୟତ୍ ରେମୁଣା ବିଧାନସଭା ମଣ୍ଡଳୀ ଅନ୍ତର୍ଗତ । ରେମୁଣା ଏବଂ ବାଲେଶ୍ୱର ତହସିଲଦାରମାନଙ୍କ ଠାରୁ ଜାତି ପ୍ରମାଣପତ୍ର, ବିଭିନ୍ନ ପ୍ରକାର ପ୍ରମାଣପତ୍ର, ବସୁନ୍ଧରା ଯୋଜନା ଓ ଅନ୍ୟାନ୍ୟ ଭୂମି ସମ୍ବନ୍ଧୀୟ ବିଷୟରେ ସମୀକ୍ଷା କରାଯାଇଥିଲା । ପି ଏଚ୍ ଡି ଓ ଆର୍ ଡବ୍ଲୁ ଏସ ଏସ ବିଭାଗ ଦ୍ୱାରା ଅପୂର୍ଣ୍ଣ ପାଇପଲାଇନ୍ ପ୍ରକଳ୍ପ ଏବଂ ସେ ସମ୍ବନ୍ଧୀୟ ଉନ୍ନୟନ କାର୍ଯ୍ୟର ପ୍ରଗତି ସମୀକ୍ଷା କରାଯାଇଥିଲା । ଏନ୍ ଏଚ ଏମ ର ସହକାରୀ ଇଞ୍ଜିନିୟରଙ୍କୁ ଅପୂର୍ଣ୍ଣ ସବ୍-ସେଣ୍ଟର, ପି ଏଚ ସି ଓ ସି ଏଚ ସି ସମ୍ବନ୍ଧୀୟ ଅବସ୍ଥା ଉପସ୍ଥାପନ କରିବାକୁ କୁହାଯାଇଥିଲା । ଆର୍ ଡି ( ଗ୍ରାମ୍ୟ ଉନ୍ନୟନ) ବିଭାଗ ଏବଂ ଆର୍‌ଏଣ୍ଡବି  (ପୂର୍ତ୍ତ) ବିଭାଗ ଦ୍ୱାରା ଚାଲୁଥିବା କାର୍ଯ୍ୟର ସମୀକ୍ଷା କରାଯାଇଥିଲା । ସେହିପରି ସରକାରୀ ITI କଲେଜ୍ ଓ ଫାର୍ମାସ୍ୟୁଟିକାଲ୍ କଲେଜ୍ ସମେତ ଅନ୍ୟାନ୍ୟ ବିଭାଗମାନଙ୍କ ଠାରୁ ଜମିର ସ୍ଥିତି ଓ ଛାତ୍ରଛାତ୍ରୀମାନେ ଯଥାଯଥ ଭାବେ ନିଯୁକ୍ତି ପାଉଛନ୍ତି କି ନାହିଁ ତାହା ସମୀକ୍ଷା କରାଯାଇଥିଲା । ପର୍ଯ୍ୟଟନ ବିକାଶ ଅଧିକାରୀ କ୍ଷୀରଚୋରା ଗୋପୀନାଥ ମନ୍ଦିର ପ୍ରକଳ୍ପ ସହିତ ଅନ୍ୟାନ୍ୟ ପର୍ଯ୍ୟଟନ ପ୍ରକଳ୍ପର ପ୍ରଗତି ଉପରେ ଅବଗତ କରାଇଥିଲେ । ତାଲପଡ଼ା ପରି ଅନ୍ୟାନ୍ୟ ସୁନ୍ଦର ପର୍ଯ୍ୟଟନ ସ୍ଥଳକୁ ନେଇ ପ୍ରସ୍ତାବ ରଖିବାକୁ ସୁପାରିଶ କରାଯାଇଥିଲା । ଶିକ୍ଷା, କୃଷି, ମତ୍ସ୍ୟ ଓ ଅନ୍ୟାନ୍ୟ ସମସ୍ତ ବିଭାଗର ସମଗ୍ର ସମୀକ୍ଷା କରାଯାଇଥିଲା । ମାନ୍ୟବର ବିଧାୟକ ଶ୍ରୀ ଦାସ ସମୟ ମଧ୍ୟରେ ପ୍ରକଳ୍ପ ସମାପ୍ତି, ବିଭାଗୀୟ ସମନ୍ୱୟ ଓ ସାଧାରଣ ଲୋକଙ୍କୁ ସେବା ପ୍ରଦାନକୁ ଆରୋ ଦୃଢ଼ କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଏବଂ ପରବର୍ତ୍ତୀ ବୈଠକ 3 ମାସରେ ବସିବ ବୋଲି ଶ୍ରୀ ଦାସ କହିଥିଲେ
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ