ଭାରତୀୟ ଜନତା ପାର୍ଟି ପ୍ରଶିକ୍ଷଣ ଶିବିର
ବାଲେଶ୍ବର(ସରୋଜ ପଣ୍ଡା): ବିରୁଆଁ ସରପଞ୍ଚ ସୁମନ୍ତ ଦାସଙ୍କ ସଂଯୋଜନା ଓ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ପ୍ରଶିକ୍ଷଣ ଶିବିର ଖାନନଗର ସ୍ଥିତ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ହୋଇଯାଇଛି। ମଣ୍ଡଳ ସଭାପତି ରଘୁନାଥ ପରିଡ଼ା ପ୍ରାରମ୍ଭିକ ସୂଚନା ଦେଇ ଆନୁଷ୍ଠାନିକ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଉକ୍ତ ପ୍ରଶିକ୍ଷଣ ଶିବିରରେ ମୁଖ୍ୟ ଅତିଥି ଭାବେ ଶାସକ ଦଳର ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ ଓ ମୁଖ୍ୟ ବକ୍ତା ଭାବେ ଜିଲ୍ଲା ସଭାପତି ଈଶ୍ୱର ଚନ୍ଦ୍ର ବେହେରା ଯୋଗଦାନ କରିଥିଲେ। ମୁଖ୍ୟତଃ ତିନୋଟି ବିଷୟ ଉପରେ କର୍ମୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା, ୧- ବ୍ୟକ୍ତିତ୍ୱ ଓ ଆଚାର ବ୍ୟବହାରର ପ୍ରଶିକ୍ଷକ ଭାବରେ ସତ୍ୟଜିତ ମିଶ୍ର, ୨- ବିଜେପିର ଇତିହାସ ଓ ବିକାଶ ଯାତ୍ରା ବିଷୟକ ପ୍ରଶିକ୍ଷକ ଭାବରେ ଗଣମାଧ୍ୟମ ସଂଯୋଜକ ଶ୍ରୀନିବାସ ପ୍ରଧାନ, ୩- ସରକାରୀ ଯୋଜନା ଓ ଏହାର ରୂପାୟନ ପ୍ରଶିକ୍ଷକ ଭାବରେ ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା ଶିବିରରେ ଯୋଗଦାନ କରିଥିବା ୨୦୦ରୁ ଉର୍ଦ୍ଧ୍ବ ଉଭୟ ପୁରୁଷ ଓ ମହିଳା କର୍ମୀଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଦାସ ଓ ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ବେହେରା ତାଙ୍କ ବ୍ୟକ୍ତବ୍ଯରେ ପ୍ରଶିକ୍ଷଣ ଶିବିର ଆୟୋଜକ ଓ ପରିଚାଳନାରେ ସହଯୋଗ କରିଥିବା ସମସ୍ତଙ୍କୁ ଉଚ୍ଚ ପ୍ରଶଂସିତ କରିଥିଲେ। ଏଭଳି କାର୍ଯ୍ୟକ୍ରମ ଦ୍ବାରା ସଂଗଠନ କେବଳ ବଳଶାଳୀ ହୁଏନାହିଁ ବରଂ ଅଧିକ ପରିପୁଷ୍ଟତା ଲାଭ କରେ ବୋଲି ମତବ୍ୟକ୍ତ କରିଥିଲେ। ଶେଷରେ ବିରୁଆଁ ପଞ୍ଚାୟତ ସଭାପତି ସୁଭ୍ରଜୀତ ବାରିକ୍ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମିତି ସଭ୍ୟା ଅଞ୍ଜନା ନାଥ, କାଉନସିଲର ହେମବତୀ ବେହେରା ମଞ୍ଚାସୀନ ଥିଲେ।


