ବିଶିଷ୍ଟ ଶିକ୍ଷାବିତ୍ ଅବସରପ୍ରାପ୍ତ ବ୍ଲକ ଶିକ୍ଷାଧିକାରୀ କମଳ ଲୋଚନ ବିଶ୍ଵାଳ ସମ୍ବର୍ଦ୍ଧିତ
ହାଟଡିହି (ଓ୍ବାଇଏନଏସ) : ବିଶିଷ୍ଟ ଶିକ୍ଷାବିତ୍ ଅବସରପ୍ରାପ୍ତ ବ୍ଲକ ଶିକ୍ଷାଧିକାରୀ ,ରାଜ୍ୟ ଏବଂ ଜାତୀୟ ସ୍ତରର ଶିକ୍ଷକ ନେତା କମଳ ଲୋଚନ ବିଶ୍ଵାଳଙ୍କୁ ଆନନ୍ଦପୁର ପ୍ରେସ ପରିଷଦ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଐତିହ ସମ୍ପନ୍ନ ଗାଁ ବଞ୍ଚୋରେ ଜନ୍ମିତ ଶ୍ରୀ ବିଶ୍ଵାଳ ୧୯୮୬ ମସିହାରେ ଜଣେ ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟ ଆରମ୍ଭ କରି ୨୫ ବର୍ଷରୁ ଉର୍ଦ୍ଧ୍ବ ସମୟ ଜଣେ ସଫଳ ଶିକ୍ଷକ ଭାବରେ କାର୍ଯ୍ୟ କରି ଅନେକ କୃତୀ ଛାତ୍ର ଛାତ୍ରୀଙ୍କୁ ଗଢ଼ିଛନ୍ତି। ସେମାନେ ଆଜି ସମାଜରେ ପ୍ରତିଷ୍ଠିତ ହୋଇଛନ୍ତି ୨୦୧୩ ମସିହାରେ ପଦୋନ୍ନତି ପାଇ ଜଣେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଭାବରେ ଘଷିପୁରା ବ୍ଲକ ରେ କାର୍ଯ ଆରମ୍ଭ କରି ତତ୍ପରେ ଝୁମ୍ପୁରା ଓ ତେଲକୋଇ ବ୍ଲକରେ ଶିକ୍ଷା ପ୍ରଶାସକ ଭାବରେ ବହୁ ସୁନାମ ପାଇଛନ୍ତି । ୨୦୨୨ ମସିହାର ଶେଷଭାଗରେ ପୁନଶ୍ଚ ପଦୋନ୍ନତି ପାଇ ଓଡ଼ିଶାର ସର୍ବବୃହତ ବ୍ଲକ ବାଲେଶ୍ୱର ଜିଲ୍ଲାର ଭୋଗରାଇରେ ବ୍ଲକ ଶିକ୍ଷାଧିକାରୀ ଭାବରେ କାର୍ଯ କରି ବହୁ ପ୍ରଶଂସିତ ହୋଇଛନ୍ତି । ଜଣେ କର୍ତବ୍ୟନିଷ୍ଟ ଶିକ୍ଷକ ତଥା ଶିକ୍ଷା ପ୍ରସାସକ ଭାବରେ ସେ ୨୦୧୪ ମସିହାରେ ଆଚାର୍ଯ୍ୟ ହରିହର ସମ୍ମାନ, ୨୦୨୨ ମସିହାରେ ଗୋପବନ୍ଧୁ ସମ୍ମାନ, ୨୦୨୪ ରେ ଦ୍ରୋଣାଚାର୍ଯ୍ୟ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଏତଦ୍ ଭିନ୍ନ ରାଜ୍ୟ ସ୍ତରରେ ବିଭିନ୍ନ ଶିକ୍ଷକ ସଂଗଠନର ପରାମର୍ଶ ଦାତା ଭାବରେ କାର୍ଯ୍ୟ କରିବାସହ ଜାତୀୟ ସଂଗଠନ ଅଖିଳ ଭାରତୀୟ ଶୈଖିକ ଶିକ୍ଷକ ମହାସଂଘ ର ସମ୍ପାଦକ ଭାବରେ କାର୍ଯ୍ୟ କରୁଛନ୍ତି । ଶିକ୍ଷା ,ଶିକ୍ଷକ ଓ ଶିକ୍ଷାୟତନ ପାଇଁ ଜଣେ ସମର୍ପିତ ବ୍ୟକ୍ତିତ୍ଵ ହୋଇଥିବାରୁ ,ଆନନ୍ଦପୁର ପ୍ରେସ ପରିଷଦ ତାଙ୍କ ତୃତୀୟ ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସମାରୋହରେ ସମ୍ବର୍ଦ୍ଧିତ କରିଛନ୍ତି । ଉକ୍ତ ଉତ୍ସବରେ ଆନନ୍ଦପୁର ଉପଜିଲ୍ଲାପାଳ ନୀଳମାଧବ ସୁନା , ଅବସରପ୍ରାପ୍ତ ଅଧ୍ୟାପକ ମନୋଜ ମହାନ୍ତିଙ୍କ ସହ ଅନେକ ବିଶିଷ୍ଟ ଅତିଥି ଯୋଗଦେଇ ଶ୍ରୀ ବିଶ୍ୱାଳଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ।


