ପୋଲସରା ବ୍ରିଲିଏଣ୍ଟ ହାଇ ସ୍କୁଲର ତୃତୀୟ ବାର୍ଷିକ ଉତ୍ସବ
ପୋଲସରା, (ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ପୋଲସରା ପୌର ପରିଷଦ ଅନ୍ତର୍ଗତ ଦାସରଥୀ ନଗରର ବ୍ରିଲିଏଣ୍ଟ ହାଇ ସ୍କୁଲର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାନୁଷ୍ଠାନର ସଭାପତି ଆଇନଜୀବୀ ବ୍ରଜେନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଏବଂ ପ୍ରତିଷ୍ଠାତା ସମ୍ପାଦକ ଗିରିଜା ଶଙ୍କର ମିଶ୍ରଙ୍କ ସମ୍ପାଦନାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସମ୍ରାଟ କଲେଜର ପ୍ରିନ୍ସପାଲ ସତ୍ୟ ନାରାୟଣ ମିଶ୍ର ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ମୁଖ୍ୟବକ୍ତା ଭାବେ ପୋଲସରା ଗୋପବନ୍ଧୁ ହାଇ ସ୍କୁଲର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ନିରଞ୍ଜନ ରାଉତ, ସମ୍ମାନିତ ଅତିଥି ଭାବେ ଅମିତା ମିଶ୍ର, ବର୍ତ୍ତିନି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ରଶ୍ମିତା ପାଣିଗ୍ରାହୀ, ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟାପକ ପିଙ୍କି ପ୍ରଧାନ, ସୂର୍ଯ୍ୟନାରାୟଣ ପାଢ଼ି, ଚିରିକିପଡା ଶାସନ ଶଶିକଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରିନ୍ସପାଲ ଇନ୍ଦ୍ରଜିତ ବିଷୋୟୀ , ଚିତ୍ରସେନ ସାହୁ, ମନୋରଞ୍ଜନ ବେହେରା ଓ ନୀଳମାଧବ ରାଉତ ଯୋଗଦେଇଥିଲେ। ଶିକ୍ଷାନୁଷ୍ଠାନର ପ୍ରିନ୍ସପାଲ ବନ୍ଦନା ହୋତା ବାର୍ଷିକ ବିବରଣୀ ପାଠ କରିଥିଲେ। ପ୍ରାରମ୍ଭିକ ସଙ୍ଗୀତ ଭାବେ କୁନି କୁନି ଛାତ୍ରୀମାନେ “ଭଗବତ ଗୀତା ଶ୍ଳୋକ” ପାଠ କରି ଅତିଥି ଓ ଅଭିଭାବକ ବୃନ୍ଦଙ୍କ ଧନ୍ୟବାଦର ପାତ୍ର ହୋଇଥିଲେ। ମଞ୍ଚାସୀନ ଅତିଥିବୃନ୍ଦ ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣାଦାୟୀ ମାର୍ଗଦର୍ଶନ ଦେଇଥିଲେ। ମୁଖ୍ୟଅତିଥି ସମ୍ରାଟ କଲେଜର ପ୍ରିନ୍ସପାଲ ଶ୍ରୀ ମିଶ୍ର ଏହି ଅନୁଷ୍ଠାନକୁ ଶିକ୍ଷାକ୍ଷେତ୍ରରେ ଉନ୍ନତିର ଶିଖରରେ ପହଞ୍ଚାଇବାକୁ ସମ୍ରାଟ ମହାବିଦ୍ୟାଳୟ ତରଫରୁ ଏକ ସ୍ମାର୍ଟ ବିଦ୍ୟାଳୟରେ ପରିଣତ କରିବାକୁ ସବୁପ୍ରକାର ଆବଶ୍ୟକ ସହଯୋଗ ଯୋଗାଇଦେବାକୁ ଘୋଷଣା କରିଥିଲେ। ଉପସ୍ଥିତ ସମସ୍ତ କରତାଳି ମାଧ୍ୟମରେ ସ୍ବାଗତ କରିଥିବା ବେଳେ ବ୍ରିଲିଏଣ୍ଟ ଅନୁଷ୍ଠାନ ତରଫରୁ ଧନ୍ୟବାଦ୍ ଅର୍ପଣ କରାଯାଇଥିଲା। ଅତିଥି ବୃନ୍ଦ ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ଲେ କ୍ଳାସରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ପ୍ରସ°ଶାପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ। ବିଶିଷ୍ଟ ଯାଦୁକର ଜିତେନ୍ଦ୍ର କୁମାର ନିଜର ଯାଦୁକଳା ପ୍ରଦର୍ଶନ କରି ସମସ୍ତଙ୍କୁ ବିମୋହିତ କରିଥିଲେ। ପରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ସମସ୍ତ ଶିକ୍ଷୟତ୍ରୀ ଏବଂ ପରିଚାଳନା କମିଟିର ମେମ୍ବର ବୃନ୍ଦ ଏବଂ ଟ୍ରଷ୍ଟର ମେମ୍ବର ବୃନ୍ଦ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।


