ଜିଲ୍ଲାସ୍ତରୀୟ ପିଏମ୍‌ ଶ୍ରୀ ଉତ୍ସବ–୨୦୨୬ ଉଦଘାଟିତ

ବାଲେଶ୍ୱର (ସରୋଜ ପଣ୍ଡା): ଜିଲ୍ଲାସ୍ତରୀୟ ପିଏମ୍‌ ଶ୍ରୀ ଉତ୍ସବ–୨୦୨୬ ଦୁଇଦିନ ବ୍ୟାପି କାର୍ଯ୍ୟକ୍ରମ ଭାବେ ସହର ନିକଟସ୍ଥ ପଦ୍ମାବତୀ ଏମ୍ୟୁଜମେଣ୍ଟ ପାର୍କ ରେ ଆଜି ଉଦଘାଟିତ ହୋଇଯାଇଛି। ଏହି ଉତ୍ସବ ତାରିଖ ୧୦.୦୨.୨୦୨୬ ରୁ ୧୧.୦୨.୨୦୨୬ ପର୍ଯ୍ୟନ୍ତ ଆୟୋଜିତ ହେଉଛି। ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ, ସମଗ୍ର ଶିକ୍ଷା, ବାଲେଶ୍ୱର ଡ଼ା. ବସନ୍ତ କୁମାର ନାୟକଙ୍କ ଆବାହାନାରେ ଆୟୋଜିତ ଉଦଘାଟନୀ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୁଧାକର ନାଏକ ସଭାପତିତ୍ୱ କରିଥିଲେ। ଓଡ଼ିଶା ସରକାରଙ୍କ ଉପମୁଖ୍ୟ ସଚେତକ ତଥା ମାନ୍ୟବର ରେମୁଣା ବିଧାୟକ ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସବକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ଅବସରରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ନାରାୟଣ ପ୍ରଧାନ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ଜିଲ୍ଲା ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ପ୍ରିୟଦର୍ଶୀ ରାଜେଶ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ପୂର୍ଣ୍ଣିମା ଦାଶ ଓ ସଦର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଜଗନ୍ନାଥ ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇ ପିଏମ୍‌ ଶ୍ରୀ ବିଦ୍ୟାଳୟର ଲକ୍ଷ୍ୟ, ଦୃଷ୍ଟିକୋଣ ଓ ଶିକ୍ଷାରେ ତାହାର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ପୂର୍ଣ୍ଣିମା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଦିବସ ବ୍ୟାପି କାର୍ଯ୍ୟକ୍ରମରେ ଜିଲ୍ଲାର ୧୮ଟି ପିଏମ୍‌ ଶ୍ରୀ ବିଦ୍ୟାଳୟରୁ ୧୦୦୦ରୁ ଅଧିକ ଛାତ୍ରଛାତ୍ରୀ ଓ ୧୫୦ରୁ ଅଧିକ ଗାଇଡ୍‌ ଶିକ୍ଷକ ଅଂଶଗ୍ରହଣ କରିଥିଲେ। ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ବିଭାଗ ଭିତ୍ତିକ ଆକର୍ଷଣୀୟ ଷ୍ଟଲ୍‌ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଅଭିଜ୍ଞ ବିଚାରକମଣ୍ଡଳୀ ଦ୍ୱାରା ଷ୍ଟଲ୍‌ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ମୂଲ୍ୟାୟନ କରାଯାଇଥିଲା। ଆସନ୍ତାକାଲି ଉଦଯାପନୀ ଉତ୍ସବରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବାର କାର୍ଯ୍ୟକ୍ରମ ରହିଛି। ଉକ୍ତ ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସୁଚାରୁ ଭାବେ ପରିଚାଳନା କରିଥିଲେ। ପି ଏମ ଶ୍ରୀ ଯୋଜନାର ମୂଳ ଲକ୍ଷ୍ୟ ହେଉଛି ଆଧୁନିକ, ମୂଲ୍ୟଭିତ୍ତିକ ଓ ସାର୍ବାଙ୍ଗୀନ ଶିକ୍ଷା ପ୍ରଣାଳୀ ଗଢ଼ି ତୋଳିବା। ଏହି ଯୋଜନା ମାଧ୍ୟମରେ ବିଦ୍ୟାଳୟଗୁଡ଼ିକ କେବଳ ପାଠଶାଳା ନୁହେଁ, ବରଂ ଛାତ୍ରଛାତ୍ରୀଙ୍କ ଜୀବନ ଗଢ଼ିବାର କେନ୍ଦ୍ର ରୂପେ ବିକଶିତ ହେବେ। ଏହା ମାଧ୍ୟମରେ ବିଦ୍ୟାଳୟରେ ସ୍ମାର୍ଟ କ୍ଲାସରୁମ୍‌, ଡିଜିଟାଲ୍ ଶିକ୍ଷା, ଆଧୁନିକ ପ୍ରୟୋଗଶାଳା, ପୁସ୍ତକାଳୟ, ସୁଚ୍ଛ ଓ ହରିତ ପରିବେଶ, କୌଶଳମୂଳକ ଓ ଆଧୁନିକ ଶିକ୍ଷା ସହିତ ଛାତ୍ରଛାତ୍ରୀଙ୍କ ସମଗ୍ର ବିକାଶ (ମନ, ବୁଦ୍ଧି ଓ ଚରିତ୍ର) ସୁନିଶ୍ଚିତ ହେବା ସହ ଭବିଷ୍ୟତ ଭାରତ ଗଢ଼ିବାର ସଂକଳ୍ପ ସାକାର ହେବ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ