ରାଜନୀତିକୁ ଆସିବେ ସୁରଙ୍କ ପୁଅ ସିଦ୍ଧାର୍ଥ
ଭୁବନେଶ୍ୱର : ସୁର ରାଉତରାୟଙ୍କ ପୁଅ ସିଦ୍ଧାର୍ଥ ରାଉତରାୟଙ୍କ ମନ୍ତବ୍ୟ ଏବେ ରାଜନୈତିକ ସମୀକ୍ଷକ ମହଲରେ ବେଶ୍ ଚର୍ଚ୍ଚାର ବିଷୟ ସୃଷ୍ଟି କରିଛି। ଯାହା ଜଣାପଡ଼ୁଛି ବାପାଙ୍କ ଉତ୍ତରାଧିକାରୀ ଭାବେ ସେ ଆଗାମୀ ଭବିଷ୍ୟତରେ ରାଜନୀତିର ମଙ୍ଗ ଧରିପାରନ୍ତି। ସେ କହିଛନ୍ତି ଯେ, ରାଜନୀତିରେ ବହୁତ ପରିଶ୍ରମ କରିବାକୁ ପଡ଼ିବ,ସେଥିପାଇଁ ତୁମେ ଆଗେ କ୍ୟାରିୟର ଦେଖ ବୋଲି ବାପା ଉପଦେଶ ଦେଉଥିଲେ। ଏବେ ବାପାଙ୍କ ବୟସ ହୋଇଗଲାଣି। ଯଦି ବାପା ଆମକୁ କହିବେ, ଓଡ଼ିଶାକୁ ପରିବର୍ତ୍ତନ କରିବାର ଅଛି, ତୁମେ ଆସ। ଆମେ ନିଶ୍ଚୟ ଆସିବୁ। ଶନିବାର ଏହି କଥା କହିଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପୁଅ ସିଦ୍ଧାର୍ଥ ରାଉତରାୟ ।
ଆମେରିକାରୁ ପ୍ରାୟ ଦଶ ବର୍ଷ ପରେ ଆସିଛନ୍ତି ଜଟଣି ବିଧାୟକ ସୁର ରାଉତରାୟଙ୍କ ପୁଅ ସିଦ୍ଧାର୍ଥ ରାଉତରାୟ। କଂଗ୍ରେସର ୧୩୪ ତମ ପ୍ରତିଷ୍ଠା ଦିବସ ପାଳନ ବେଳେ ସିଦ୍ଧାର୍ଥଙ୍କୁ ଦେଖିବାକୁ ମିଳିଥିଲା। ସେ ତାଙ୍କର ଦୁଇ ଝିଅଙ୍କ ସହିତ କଂଗ୍ରେସ ଅଫିସ୍ ଆସିଥିଲେ। ସିଦ୍ଧାର୍ଥ ଆମେରିକାରେ ରୁହନ୍ତି। ସେଠାରେ ଗୋଟେ ବଡ଼ କମ୍ପାନୀର ନିର୍ଦ୍ଦେଶକ ଭାବରେ ବି କାମ କରନ୍ତି। ସିଦ୍ଧାର୍ଥ କହିଛନ୍ତି, ଦୁନିଆ ଏବେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଆଡକୁ ଯାଉଛି। କିନ୍ତୁ ଆମେ ଯାଉଛୁ ମନ୍ଦିର ତିଆରି କରିବା ପାଇଁ। ମନ୍ଦିର ତିଆରି କଲେ କ’ଣ ଚାକିରି ମିଳିବ। ଦିନକୁ ଦିନ ଆମେ ପଛକୁ ପଛ ଯାଉଛୁ। ଆମେ ଦେଶ ଉପରେ ଋଣ ବଢ଼ିବା ସହ ଏହାସହ ବେକାରୀ ସମସ୍ୟା ମଧ୍ୟ ବଢ଼ି ଚାଲିଛି।” ସୂଚନା ଅନୁସାରେ ପୂର୍ବରୁ ବିଧାନସଭା ନିର୍ବାଚନ ବେଳେ ଏହା ମୋର ଶେଷ ଲଢ଼େଇ ବୋଲି କହିଥିଲେ ଜଟଣୀ ବିଧାୟକ ସୁର ରାଉତରାୟ। ତେବେ ସୁରଙ୍କ ପରେ ତାଙ୍କ ପରିବାରରୁ କିଏ ନିର୍ବାଚନ ମୈଦାନକୁ ଆସିବ ତାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ପାର୍ଟି ଅଫିସକୁ ସିଦ୍ଧାର୍ଥଙ୍କ ଆଗମନକୁ ନେଇ ନାନା ପ୍ରଶ୍ନ ଉଠିଛି।