ବନ୍ତ ଥାନାରେ ଯୋଗ ଦେଲେ ନୂତନ ଥାନାଧିକାରୀ
ବନ୍ତ,(ଚାନ୍ଦିନୀ ମହାନ୍ତି) : ଭଦ୍ରକ ଜିଲା ବନ୍ତ ଥାନାର ନୂତନ ଥାନାଧିକାରୀ ଭାବେ ଯୁବ ପୋଲିସ ଇନ୍ସପେକ୍ଟର ସୁପ୍ରକାଶ ମହାନ୍ତି କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଜିଲା ପୋଲିସ କାର୍ଯ୍ୟାଳୟ ଚିଠି ନଂ-୧୫୨/ତା-୪-୨-୨୬ ଅନୁଯାୟୀ ଜିଲା ମୁଖ୍ୟାଳୟରେ କାର୍ଯ୍ୟରତ ସୁପ୍ରକାଶ ମହାନ୍ତିଙ୍କୁ ବନ୍ତ ଥାନାକୁ ବଦଳି ହୋଇଥିବା ବେଳେ ବନ୍ତ ଥାନାର କାର୍ଯ୍ୟରତ ଥାନାଧିକାରୀ ମୋନାଲିସା କରଙ୍କର ଭଦ୍ରକ ଡିଆଇବିକୁ ବଦଳି ହୋଇଛି । ଏହି ଆଦେଶ ଅନୁସାରେ ଆଇଆଇସି ସୁପ୍ରକାଶ ମହାନ୍ତି ଫେବୃଆରୀ ୯ରେ ବନ୍ତ ଥାନାର କାର୍ଯ୍ୟଭାର ଗ୍ରହଣ କରିଥିବା ଜଣାଯାଇଛି । ଏଥିପୂର୍ବରୁ ସେ ଭୁବନେଶ୍ୱରସ୍ଥିତ ନୟାପଲ୍ଲୀ ଥାନା, ଭଦ୍ରକ ଜିଲାର ତିହିଡି, ପୀରହାଟ ଥାନାରେ ଜଣେ ଦକ୍ଷ ଯୁବ ପୋଲିସ ସବ୍ ଇନ୍ସପେକ୍ଟର ଭାବେ କାର୍ଯ୍ୟ କରି ସୁନାମ ଅର୍ଜ୍ଜନ କରିଛନ୍ତି । ନିକଟ ଅତୀତରେ ତାଙ୍କର ଇନ୍ସପେକ୍ଟର ପାହ୍ୟାକୁ ପଦୋନ୍ନତି ହେବା ପରେ ସେ ଜିଲା ମୁଖ୍ୟାଳୟରେ କାର୍ଯ୍ୟରତ ଥିଲେ । ସେ ବନ୍ତ ଥାନାରେ ଯୋଗ ଦେବା ପରେ ବନ୍ତ ଅଞ୍ଚଳର ଆଇନ ଶୃଂଖଳା ରକ୍ଷା ସହିତ ସମସ୍ତ ପ୍ରକାର ଅପରାଧିକ ଓ ବେନିୟମ କାର୍ଯ୍ୟକଳାପକୁ ଦୃଢ ହସ୍ତରେ ଦମନ କରିବା ସହିତ ଜନସାଧାରଣଙ୍କୁ ବନ୍ଧୁତ୍ୱପୂର୍ଣ୍ଣ ସେବା ଯୋଗାଇ ଦେବେ ବୋଲି ଜଣାଯାଇଛି । ତାଙ୍କର ଯୋଗଦାନ ପରେ ବନ୍ତ ପ୍ରେସ୍ କ୍ଲବର ସଦସ୍ୟ ମାନେ ନୂତନ ଥାନାଧିକାରୀଙ୍କୁ ଭେଟି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।


