ଝିଅକୁ ମାଟ୍ରିକ ପରୀକ୍ଷା ନେବା ଆଣିବା ପାଇଁ ଆଜୀବନ କାରାଦଣ୍ଡ ଭୋଗୁ ଥିବା ବାପାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କଲେ ହାଇକୋର୍ଟ
କଟକ, (ଓ୍ବାଇଏନଏସ): ମାଟ୍ରିକ ପରୀକ୍ଷା ଦେଉଥିବା ଝିଅକୁ ପରୀକ୍ଷା କେନ୍ଦ୍ରକୁ ନେବା ଆଣିବା ପାଇଁ ଆଜୀବନ କାରଦଣ୍ଡ ଭୋଗ କରୁଥିବା ବାପାଙ୍କୁ ମିଳିଲା ଅନ୍ତରୀଣ ଜାମିନ । ମାଟ୍ରିକ ପରୀକ୍ଷା ଦେଉଥିବା ଝିଅକୁ ଘର ଠାରୁ ୫ କିଲୋମିଟର ଦୂରରେ ଥିବା ପରୀକ୍ଷା କେନ୍ଦ୍ରକୁ ନେବା ଆଣିବା କରିବା ପାଇଁ ଆଜୀବନ କାରାଦଣ୍ଡ ଭୋଗ କରୁଥିବା ବନ୍ଦୀଙ୍କୁ ହାଇକୋର୍ଟ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ଜେଲରେ ଥିବା ଆବେଦନ କାରୀଙ୍କୁ ଆସନ୍ତା ମାର୍ଚ୍ଚ ୧୦ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନରେ ଛାଡ଼ିବାକୁ ଜଗତସିଂହପୁର ଦୌରା ଜଜ୍ ଅଦାଲତଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ତରୀଣ ଜାମିନ ଅବଧି ଶେଷ ହେବା ପରେ ତୁରନ୍ତ ଆବେଦନକାରୀ ଦୌରା ଅଦାଲତରେ ଆତ୍ମସମର୍ପଣ କରିବେ ଓ ଏ ସଂପର୍କିତ ପ୍ରମାଣପତ୍ର ଦାଖଲ କରିବେ ବୋଲି ହାଇକୋର୍ଟ କହିଛନ୍ତି । ଜଗତସିଂହପୁର ଥାନାରେ ରୁଜୁ ୨୦୧୦ର ଏକ ହତ୍ୟା ମାମଲାରେ ୨୦୨୧ ଜାନୁଆରି ୨୧ରୁ ଆବେଦନକାରୀ ଜେଲରେ ଅଛନ୍ତି। ଆବେଦନକାରୀଙ୍କ ଝିଅ ମାଟ୍ରିକ ପରୀକ୍ଷା ଦେଉଥିବା ବେଳେ ପରୀକ୍ଷା କେନ୍ଦ୍ର ଘର ଠାରୁ ୫ କିମି ଦୂର ହୋଇଥିବାରୁ ସେ ଯିବା ଆସିବା କରିବାରେ ଅସୁବିଧାର ସମ୍ମୁଖୀନ ହେଉଛି । ବୃଦ୍ଧ ଜେଜେ ବାପା ଓ ମା ବୟସ ଅଧିକ କାରଣରୁ ଝିଅକୁ ନେଇ ପରୀକ୍ଷା କେନ୍ଦ୍ରରେ ଛାଡ଼ିବା ଓ ଆଣିବା ସମ୍ଭବ ନୁହେଁ ଦର୍ଶାଇ ଅନ୍ତରୀଣ ଜାମିନ ଆବେଦନ ଦାଏର କରିଥିଲେ ଆବେଦନକାରୀ । ନିକଟରେ ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଘଟଣାରେ ନିଶା ମହାରଣାଙ୍କୁ ମିଳିଥିଲା ହାଇକୋର୍ଟରୁ ଆଗୁଆ ଜାମିନ । ୨୦ ହଜାର ଟଙ୍କାର ଜଣେ ଜାମିନଦାର ବଦଳରେ ନିଶାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ ହାଇକୋର୍ଟ । ତେଵେ ନିମ୍ନ ଅଦାଲତ ସର୍ତ୍ତ ସ୍ଥିର କରିବେ ବୋଲି କୋର୍ଟ ରାୟରେ ସ୍ପଷ୍ଟ କରିଥିଲେ । ବାଲାଙ୍ଗିରରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନକୁ ନେଇ ନିଶା ମହାରଣାଙ୍କ ବିରୋଧରେ ହୋଇଥିଲା ମାମଲା । ପୋଲିସ ନିଜ ଆଡୁ ମାମଲା ରୁଜୁ କରି ଦୁଇ ଆୟୋଜକଙ୍କୁ ଗିରଫ କରିଥିଲା । ଗିରଫ ଭୟରେ ଆଗୁଆ ଜାମିନ ଆବେଦନ କରିଥିଲେ ନିଶା ।


