ରଙ୍ଗର ପର୍ବ ହୋଲି ପାଇଁ ଆସିକା ସହର ଚଳଚଞ୍ଚଳ : ଡିଜେ ଗୀତ ସହ ଜମିବ ରଙ୍ଗର ଆସର

ଆସିକା (ୱାଇଏନ୍‍ଏସ୍‍) : ଆସନ୍ତା ୩ ତାରିଖ ମଙ୍ଗଳବାର ଦୋଳପୂର୍ଣ୍ଣିମା ଓ ତାପର ଦିନ ହୋଲି । ରଙ୍ଗର ପର୍ବ ହୋଲିକୁ ଆନନ୍ଦ ଉଲ୍ଲାସର ସହ ପାଳନ କରିବା ପାଇଁ ବର୍ତ୍ତମାନ ଠାରୁ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳ ଚଳଚଞ୍ଚଳ ହୋଇପଡିଥିବା ବେଳେ ରଙ୍ଗ ଅବିର ଦୋକାନ ଖୋଲିବାରେ ଲାଗିଛି । ହୋଲି ଦିନଟିକୁ ସ୍ମରଣୀୟ ତଥା ରଙ୍ଗୀନ କରିବା ପାଇଁ ବିଭିନ୍ନ ଅଞ୍ଚଳର ଯୁବଗୋଷ୍ଠୀ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି । ସହରର ବିଭିନ୍ନ ସ୍ଥାନରେ ଖୋଲିଥିବା ରଙ୍ଗ ଦୋକାନ ଗୁଡିକରେ ବିଭିନ୍ନ ଭେରାଇଟିର ରଙ୍ଗ, ପିଚକାରୀ, ଟୋପି, ଚଷମା ଉପଲବ୍ଧ ହେଉଛି । ବିଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ପ୍ରାୟ ସବୁ ରଙ୍ଗ ସାମଗ୍ରୀର ଦର ଆଶାତୀତ ଭାବେ ବୃଦ୍ଧି ପାଇଥିଲେ ସୁଦ୍ଧା ବ୍ୟବସାୟ ପ୍ରତିଷ୍ଠାନ ଗୁଡିକରେ ବେପାର ଠିକଠାକ୍ ଚାଲିଥିବା ଦେଖିବାକୁ ମିଳିଛି । ଆସିକା ସହରର କେନ୍ଦ୍ର ସ୍ଥଳରେ ବିନାୟକ ବଜାର ଆନ୍ନା ସିଜନ୍ ଷ୍ଟୋରର ମାଲିକ ଡି.ନାଗଭୂଷଣ ପାତ୍ର ପ୍ରକାଶ କରି କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ରଙ୍ଗର ପର୍ବ ହୋଲି ପାଇଁ ବ୍ୟବସାୟ ଜୋର ଧରିନି ତେବେ ଆଗାମୀ ଦିନରେ ନିଶ୍ଚିତ ଭାବେ ଭଲ ବ୍ୟବାସୀୟ ହେବା ସମ୍ଭାବନା ରହିଛି । ଆସିକା ସହରର ବିଭିନ୍ନ ଅଞ୍ଚଳରେ ରଙ୍ଗର ପର୍ବ ହୋଲି ପାଇଁ ଖୋଲିଥିବା ବ୍ୟବସାୟ ଦୋକାନ ଗୁଡିକରେ ଗ୍ରାହକଙ୍କ ସଂଖ୍ୟା ଜମୁଥିବା ବେଳେ ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ଆହୁରି ଅନେକ ରଙ୍ଗ ଦୋକାନ ଖୋଲିବାର ସମ୍ଭାବନା ରହିଛି । ଛୋଟ ଛୋଟ ପିଲାଙ୍କ ହୋଲି ପାଇଁ ଆବଶ୍ୟକ ପଡୁଥିବା ପିଚକାରୀ ଓ ଅନ୍ୟାନ୍ୟ ସାମଗ୍ରୀ ଗୁଡିକର ମୂଲ୍ୟ ଯଥେଷ୍ଟ ବୃଦ୍ଧି ପାଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରଙ୍ଗର ପର୍ବ ହୋଲିକୁ ଅଧିକ ଆକର୍ଷଣ କରିବା ପାଇଁ ବିଭିନ୍ନ ସାହିବସ୍ତିର ଯୁବଗୋଷ୍ଠୀ ସଜବାଜ ହେଉଥିବା ଦେଖିବାକୁ ମିଳୁଛି । ଆଉ ଦିନ କେଇଟା ପରେ ଆସୁଛି ରଙ୍ଗର ପର୍ବ ହୋଲି । ସେଥିପାଇଁ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଖୋଲିବାରେ ଲାଗିଛି ରଙ୍ଗର ପସରା । ଅବିର ଠାରୁ ଆରମ୍ଭ କରି ମୁଖା, ପିଚ୍‍କାରୀ ଭଳି ବିଭିନ୍ନ ହୋଲି ସାମଗ୍ରୀକୁ ସଜେଇ ସାରିଲେଣି ଦୋକାନୀ । ରଙ୍ଗର ପର୍ବ ହୋଲିକୁ ବେଶ୍‍ ଆକର୍ଷଣୀୟ ଢଙ୍ଗରେ ଓ ଧୁମ୍‍ଧାମରେ ନୁଆଁ ରୂପରେ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ପାଳନ କରିବା ପାଇଁ ଏବେଠୁ ଯୁବପିଢୀ ବେଶ୍‍ ଉତ୍ସାହିତ ହୋଇପଡିଥିବା ଦେଖିବାକୁ ମିଳୁଛି । ହୋଲି ଆନନ୍ଦ ଓ ଉତ୍ସବର ପର୍ବ ହୋଇଥିବାରୁ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ଏହି ଦିନରେ ରଙ୍ଗ ଖେଳି ଡିଜେ ବଜାଇ ରଙ୍ଗେ ବରଷେ ଗୀତ ପରିବେଷଣ କରି ପରସ୍ପରକୁ ହୋଲିର ଶୁଭେଚ୍ଛା ଜଣାଇଥାନ୍ତି । ଆନନ୍ଦର ପର୍ବ ହୋଲିରେ ସ୍ୱତନ୍ତ୍ର ପୋଷାକ ପରିଧାନ କରିବା କେତେକ ଯୁବପିଢୀଙ୍କ ପାଇଁ ଏକ ଟ୍ରେଣ୍ଟ ପାଲଟିଯାଇଛି । ଯଦିଓ ସାଧାରଣତଃ ରଙ୍ଗକୁ ଦୃଷ୍ଟିରେ ରଖି ବହୁ ବ୍ୟକ୍ତି ହୋଲିରେ ପୁରୁଣା ପୋଷାକ ପରିଧାନ କରନ୍ତି ତେବେ କିଛି ଯୁବପିଢୀଙ୍କ କ୍ଷେତ୍ରରେ ପରିବର୍ତ୍ତନ ଆସିଛି । ଅନେକ ଯୁବପିଢୀ ହୋଲି ପାଳନ ବେଳେ ହାପି ହୋଲି ଓ ହୋଲି ଶୁଭେଚ୍ଛା ଭଳି ବାର୍ତ୍ତା ଲେଖି ଆକର୍ଷଣୀୟ ଟି ସାର୍ଟ ପରିଧାନ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି । ଅପର ପକ୍ଷରେ ଗୁରବାର ପବିତ୍ର ଫଗୁଦଶମୀ ତିଥି ଠାରୁ ଆସିକା ତଥା ଏହାର ଆଖପାଖ ଅଞ୍ଚଳରେ ଦୋଳଯାତ୍ରା ଆରମ୍ଭ ହୋଇଯାଇଛି । ଦୋଳରେ ଦୋଳଗୋବିନ୍ଦ, ଚାପରେ ମଧୂସୁଦନ, ରଥରେ ବାମନରୂପୀ ଭଗବାନଙ୍କୁ ଦର୍ଶନ କଲେ ସାଂସାରିକ ମୋହମାୟା କବଳରୁ ମୁକ୍ତି ମିଳିଥାଏ ବୋଲି ଲୋକପ୍ରଥା ପ୍ରଚଳିତ ହୋଇଆସିିଛି । ସଂସ୍କୃତି ସଂପନ୍ନ ଆସିକା ସହରର ଖମ୍ବେଶ୍ୱରୀପାଟଣା, ଚିନିଶିଳ୍ପ ନୁଆଗାଁ, ବାବନପୁର ତଥା ଏହାର ଆଖପାଖ ଅଞ୍ଚଳରେ ଦୋଳପୂର୍ଣ୍ଣିମା ଓ ହୋଲିର ମାହୋଲ ଜମିବାରେ ଲାଗିଥିବା ଲକ୍ଷ୍ୟ କରାଯାଇଛି । ଆଉ ମାତ୍ର ଅଳ୍ପ ଦିନ ପରେ ପାଳନ ହେବ ଫଗୁ ଓ ଫଗୁଣର ତଥା ଆନନ୍ଦର ପର୍ବ ହୋଲି । ସମସ୍ତଙ୍କ ମୁହଁରେ ଲାଗିବ ସ୍ନେହ, ଭଲ ପାଇବା ଓ ଭାଇଚାରାର ଅବିର । ଆବାଳ ବୃଦ୍ଧବନିତା ଏହି ପର୍ବରେ ସାମିଲ ହୋଇ ଅବିର ଖେଳିବେ । ଏଥିପାଇଁ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଲାଣି ଭଳିକି ଭଳି ରଙ୍ଗର ପସରା ଦୋକାନ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ