ସିସୋର ଚିଟ୍‌ଫଣ୍ଡ ମାମଲା ୧୭ଟି ଦଲିଲ ଉପରେ ଜବାବ ରଖିବାକୁ ସିବିଆଇକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ (ଓ୍ବାଇଏନଏସ): ସିସୋର ଚିଟ୍‌ଫଣ୍ଡ ମାମଲାରେ ବାଲେଶ୍ବରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନାଙ୍କ ଅନ୍ତରୀଣ ସୁରକ୍ଷା ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ବଳବତ୍ତର ରହିଛି। ଏହି ପରିପ୍ରେକ୍ଷୀରେ ହାଇକୋର୍ଟ ୧୭ଟି ଦସ୍ତାବିଜ ସମ୍ପର୍କରେ ରିପୋର୍ଟ ଦାଖଲ କରିବାକୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ନିର୍ଦେଶ ଦେଇଛନ୍ତି। ଜଷ୍ଟିସ ବି.ପି ରାଉତରାୟ ମାମଲାର ଶୁଣାଣି କରି ଏହି ଆଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୩କୁ ଧାର୍ଯ୍ୟ କରାଯାଇଛି। ଶୁଣାଣି ବେଳେ ଆବେଦନକାରୀ ରବୀନ୍ଦ୍ର କୁମାର ଜେନାଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ, ତାଙ୍କ ଆବେଦନର ୫୮ ନମ୍ବର ଅନୁଚ୍ଛେଦରେ ଉଲ୍ଲେଖ ଥିବା ୧୭ଟି ଗୁରୁତ୍ୱପୂର୍ଣ୍ଣ ଦଲିଲ ତାଙ୍କୁ ପ୍ରଦାନ କରାଯାଇନାହିଁ। ଏପରିକି ତଦନ୍ତ ସମୟରେ ଏହି ଦଲିଲଗୁଡିକ ସଂଗ୍ରହ କରାଯାଇଛି କି ନାହିଁ, ସେ ସମ୍ପର୍କରେ ମଧ୍ୟ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନ ଥିବା ସେ ଅଭିଯୋଗ କରିଥିଲେ। ଅନ୍ୟପଟେ ସିବିଆଇ ପକ୍ଷରୁ ଆଇନଜୀବୀ ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଅଦାଲତ ସିବିଆଇକୁ ପିଟିସନର ପାରା-୫୮ରେ ଦର୍ଶାଯାଇଥିବା ସମସ୍ତ ୧୭ଟି ଦଲିଲ ସମ୍ପର୍କରେ ଏକ ତାଲିକାବଦ୍ଧ ଉତ୍ତର ରଖିବାକୁ ନିର୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ଚିଟ୍‌ଫଣ୍ଡ ସଂସ୍ଥା ସିସୋର ଗ୍ରୁପ ସହ ଶ୍ରୀ ଜେନାଙ୍କ ଆର୍ଥିକ କାରବାର ନେଇ ଅଭିଯୋଗ ହୋଇଥିଲା। ୨୦୧୧-୧୨ରେ ସିସୋରଠାରୁ ସେ ୧ କୋଟି ୭୫ ଲକ୍ଷ ଟଙ୍କା ଋଣ ନେଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ସିବିଆଇ ଘଣ୍ଟାଚକଟା କରିଥିଲା। ସିବିଆଇ ଏକାଧିକ ଥର ନୋଟିସ୍‌ କରିଥିଲା। ଏହି ନୋଟିସ୍‌କୁ ଚାଲେଞ୍ଜ କରି ଶ୍ରୀ ଜେନା ପ୍ରଥମେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ମାମଲା ଶୁଣାଣି କରି ଶ୍ରୀ ଜେନାଙ୍କ ବିରୋଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ନାହିଁ ବୋଲି ଅନ୍ତରୀଣ ନିର୍ଦେଶ ଦେଇଥିଲେ। ତେବେ ସିବିଆଇ ଜାଣିଶୁଣି ତାଙ୍କୁ ମାନସିକ ନିର୍ଯାତନା ଦେବା ପାଇଁ ଏଭଳି ନୋଟିସ୍‌ କରୁଥିବା ଦର୍ଶାଇ ପୁନର୍ବାର ହାଇକୋର୍ଟରେ ଏକ ଅନ୍ତରୀଣ ପିଟିସନ୍‌ ଦାୟର କରି ନୋଟିସ୍ ଜାରି ବନ୍ଦ କରିବାକୁ ପ୍ରାର୍ଥନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ