ଶ୍ରୀ ସତ୍ୟ ନାରାୟଣ ଦେବତା ମନ୍ଦିରର ବାର୍ଷିକୋତ୍ସବ
ଆସିକା (ୱାଇଏନ୍ଏସ୍): ଆସିକା ଏନ୍ଏସି ଅଧିନସ୍ଥ ବିନୋବା ମାର୍ଗ ସ୍ଥିତ ଶ୍ରୀ ଶ୍ରୀ ଶ୍ରୀ ସତ୍ୟନାରାୟଣ ଦେବତାଙ୍କ ପବିତ୍ର ମନ୍ଦିରର ୩୧ତମ ବାର୍ଷିକୋତ୍ସବ ମଙ୍ଗଳବାର ବୈଶାଖ ଶୁକ୍ଳ ଦ୍ୱାଦଶୀ ତିଥିରେ ଏକ ଭକ୍ତିମୟ ପରିବେଶ ମଧ୍ୟରେ ବିଧିବିଧାନ ଓ ନୀତିକାନ୍ତି ଅନୁଯାୟୀ ସଂପନ୍ନ ହୋଇଯାଇଥିବା ଲକ୍ଷ୍ୟ କରାଯାଇଛି । ଶ୍ରୀ ଶ୍ରୀ ସତ୍ୟନାରାୟଣ ଦେବତାଙ୍କ ଚରଣାଶ୍ରିତ କେ.ସନ୍ତୋଷ କୁମାର ସେନାପତି, କେ.ସୁନିତା ସେନାପତି ଓ କେ.ଦୀପକ କୁମାର ସେନାପତି, କେ.ରୋଜାରାଣୀ ସେନାପତିଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ପୂର୍ବ ବର୍ଷମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ବିଧିବିଧାନ, ନୀତିକାନ୍ତି ଓ ବୈଦିକ ରୀତିରେ ଅନୁଷ୍ଠିତ ହୋଇଥିବା ଶ୍ରୀ ଶ୍ରୀ ଶ୍ରୀ ସତ୍ୟନାରାୟଣ ଦେବତାଙ୍କ ପବିତ୍ର ମନ୍ଦିରର ୩୧ତମ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ଶହ ଶହ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଥିଲା । ସତ୍ୟ ନାରାୟଣ ମନ୍ଦିରର ପୂଜକ ଅଭିମନ୍ୟୁ ପଣ୍ଡାଙ୍କ ସହଯୋଗ ଓ ଆସିକା ଅଞ୍ଚଳର ଅନ୍ୟତମ ଅଭିଜ୍ଞ ବିଦ୍ୱାନ ପଣ୍ଡିତ ରୂପେ ପରିଚିତ ଥିବା ଆଦିତ୍ୟ ପ୍ରସାଦ ଷଡଙ୍ଗୀ ଓ ସହଯୋଗୀ ପଣ୍ଡିତ ମହେନ୍ଦ୍ର ଶତପଥୀଙ୍କ ମନ୍ତ୍ରୋଚାରଣରେ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସଂପନ୍ନ ହୋଇଥିବା ବେଳେ ବାଣପୁର ଅଞ୍ଚଳର ଆଧ୍ୟାତ୍ମିକପ୍ରେମୀ ସୁଶିମ୍ ଚନ୍ଦ୍ର ପାତ୍ର ଓ ତାଙ୍କ ସହଧର୍ମିଣୀ ସ୍ୱର୍ଣ୍ଣପ୍ରଭା ପାତ୍ର କର୍ତ୍ତା ରୂପେ ଉପବିଷ୍ଟ ହୋଇ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟକୁ ସୁଚାରୂ ରୂପେ ସଂପାଦନ କରିଥିବା ଦେଖିବାକୁ ମିଳିଥିଲା । ଭଗବାନ ଶ୍ରୀ ଶ୍ରୀ ଶ୍ରୀ ସତ୍ୟନାରାୟଣ ଦେବତାଙ୍କ ମାହାତ୍ମ୍ୟ ପ୍ରତି ଆସିକା ଅଞ୍ଚଳବାସୀଙ୍କ ମଧ୍ୟରେ ପ୍ରଗାଢ ଭକ୍ତି ଓ ଭାବନା ସଞ୍ଚରିତ ହେଉଥିବାରୁ ଏହି କାର୍ଯ୍ୟକ୍ରମରେ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ଜମିଥିଲା । ଶ୍ରୀ ଶ୍ରୀ ଶ୍ରୀ ସତ୍ୟନାରାୟଣ ଦେବତାଙ୍କ ମନ୍ଦିର ପରିସରରେ ଭକ୍ତ ଯଦି ନିଷ୍ଠାର ସହ ଘିଅ ଦୀପଟିଏ ଜାଳିଥାଏ ତେବେ ତାର ମନୋବାଞ୍ଛା ନିଶ୍ଚିତ ଭାବେ ପୂରଣ ହୋଇଥାଏ ବୋଲି ଶ୍ରଦ୍ଧାଳୁଙ୍କ ବିଶ୍ୱାସ ରହିଛି । ଶ୍ରୀ ଶ୍ରୀ ଶ୍ରୀ ସତ୍ୟ ନାରାୟଣ ଦେବତାଙ୍କ ପବିତ୍ର ମନ୍ଦିରର ବାର୍ଷିକ ଉତ୍ସବ ଅବସରରେ ଆୟୋଜକଙ୍କ ପକ୍ଷରୁ ଶ୍ରଦ୍ଧାଳୁ ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ବେଳେ ଠାକୁରଙ୍କ ବେଢା ପରିକ୍ରମା ଓ ଅନ୍ୟାନ୍ୟ ନୀତିକାନ୍ତି ବିଧିବିଧାନ ଅନୁଯାୟୀ ସଂପନ୍ନ ହୋଇଥିବା ଦେଖିବାକୁ ମିଳିଥିଲା


