ଶ୍ରୀଜଗନ୍ନାଥ ଅନୁଗ୍ରହ ବିଗ୍ରହର ମୂର୍ତ୍ତିମନ୍ତ ପ୍ରତୀକ


ଅଧ୍ୟାପକ ହେମନ୍ତ କୁମାର ଗନ୍ତାୟତ

ଅନନ୍ତକୋଟି ବ୍ରହ୍ମାଣ୍ଡର ନାୟକ ତଥା ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ପୂର୍ଣ୍ଣ ପରଂବ୍ରହ୍ମ ତଥା ଲୀଳା ପୁରୁଷୋତ୍ତମ ଦାରୁବ୍ରହ୍ମ ବିଗ୍ରହ। ସେ ସର୍ଵ ଶକ୍ତିମାନ୍, ସର୍ଵକଳା ସମ୍ପନ୍ନ ଏଵଂ ରହସ୍ୟମୟ ଚୈତନ୍ୟ ଠାକୁର। ଏହି ରହସ୍ୟମୟଙ୍କ ରହସ୍ୟକୁ ବୋଧ କରିବା ଏକ ଦୂରୁହ ବ୍ୟାପାର। ତେଣୁ ପୁରାଣରେ ବର୍ଣ୍ଣିତ ହୋଇଛି ଯେ : ସର୍ଵ ରହସ୍ୟ° ପୁରୁଷୋତ୍ତମସ୍ୟ। ଦେବାଃ ନ ଜାନନ୍ତି କୁତଃ ମନୁଷ୍ୟାଃ। ଅର୍ଥାତ୍: ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ହେଉଛନ୍ତି ରହସ୍ୟମୟ ଠାକୁର। ଯାହା’ଙ୍କ ରହସ୍ୟ ଦେବ, ଦାନବ ଓ ଯକ୍ଷାଦିଙ୍କୁ ଅଗୋଚର। ସେହି ରହସ୍ୟମୟଙ୍କ ରହସ୍ୟକୁ ସାଧାରଣ ମନୁଷ୍ୟ କିପରି ବା ଭେଦ କରିପାରିବ। ବେଦ ଯହିଁ ବ୍ରହ୍ମଙ୍କୁ ନେତି ନେତି ନୀତିରେ ନିର୍ଣ୍ଣୟ କରିବାରେ ନିଷ୍ପ୍ରଭ ହୁହେ , ସେହି ଅସୀମ ଅତିନ୍ଦ୍ରୀୟଙ୍କୁ କିପରି ବା ସଧାରଣ ଇନ୍ଦ୍ରିୟ ଗ୍ରହଣ କରିପାରିବ ? ଏ ବିଷୟକୁ ଆଦି ଶଙ୍କରାଚାର୍ଯ୍ୟ ‘ନିର୍ବାଣଷଟ୍କମ୍’ ରେ ଵ୍ୟକ୍ତ କରିଛନ୍ତି ଯେ: ମନୋବୁଦ୍ଧ୍ୟହଙ୍କାର ଚିତ୍ତାନି ନାହଂ ନ ଚ ଶ୍ରୋତ୍ରଜିହ୍ଵେ ନ ଚ ଘ୍ରାଣନେତ୍ରେ । ଏହାର ଅର୍ଥ ମନ(ଯେ ସଙ୍କଳ୍ପ ଓ ବିକଳ୍ପ କରେ)
, ବୁଦ୍ଧି (ଯାହା ନିର୍ଣ୍ଣୟ ନେବାର କ୍ଷମତା ରଖେ), ଅହଙ୍କାର (‘ମୁଁ’ ଭାବ ବା ନିଜକୁ ଶରୀର ସହ ଯୋଡ଼ି କର୍ତ୍ତା ବୋଧ କରେ),ଚିତ୍ତ (ଯେଉଁଠାରେ ସ୍ମୃତି ବା ଅନୁଭୂତି ସଞ୍ଚିତ ହୋଇ ରହେ), କାନ, ଜିଭ, ନାକ ଓ ଆଖି ଆଦି ଏକ ଏକ ଜଡ ପଦାର୍ଥ ଅଟନ୍ତି । ଏମାନେ କେବେ ମଧ୍ୟ ଚୈତନ୍ୟ ସତ୍ତାକୁ ଜାଣିବା ପାଇଁ ସକ୍ଷମ ହୋଇ ପାରିବେନାହିଁ।
ପୂର୍ଣ୍ଣ ପରଂବ୍ରହ୍ମଙ୍କୁ ଏ ପର୍ଯ୍ୟନ୍ତ କେହି ବି ବ୍ୟକ୍ତ କରିପାରି ନାହାନ୍ତି କି , କେହି କରିପାରିବେ ନାହିଁ ମଧ୍ୟ। ଏଣୁ ଶାସ୍ତ୍ର କହେ “ବ୍ରହ୍ମବିଦ୍ ବ୍ରହ୍ମୈବ ଭବତି” ଅର୍ଥାତ୍ ଯେ ବ୍ରହ୍ମଙ୍କୁ ଜାଣେ ସେ ବ୍ରହ୍ମ ହୋଇଯାଏ। ଯେପରି ଗୋଟିଏ ଲଵଣଖଣ୍ଡ ସାଗର ଗର୍ଭରେ ପଡ଼ିଲେ ନିଜର ସତ୍ତା ହରାଇ ଦିଏ, ସେପରି ଜୀବାତ୍ମା ଯେତେବେଳେ ପରମାତ୍ମାଙ୍କ ସହିତ ମିଳନ ଘଟେ ସେତେବେଳେ ଏହି ଜୀବାତ୍ମାର ସତ୍ତା ପରମାତ୍ମାଙ୍କ ଠାରେ ହଜିଯାଏ। ଏହି ପରମ ତତ୍ତ୍ୱକୁ ଭଗବାନ୍ ଶ୍ରୀକୃଷ୍ଣ ଶ୍ରୀମଦ୍ଭଗବଦ୍ ଗୀତାର ୧୫ ଅଧ୍ୟାୟ ୬ ଶ୍ଳୋକରେ କହିଛନ୍ତି: ଯଦ୍‌ଗତ୍ୱା ନ ନିବର୍ତନ୍ତେ ତଦ୍ଧାମ ପରମଂ ମମ ।। ଅର୍ଥାତ୍ ସେହି ପରମ ଦିବ୍ୟ ଧାମକୁ ଗଲାପରେ କୌଣସି ଜୀବାତ୍ମା ପୁନଃ ସଂସାରକୁ ପ୍ରତ୍ୟାବର୍ତ୍ତନ କରନ୍ତି ନାହିଁ । ଯେପରି ବିଷୟୀ ବିଷୟକୁ ଭଲ ପାଇଥାଏ ସେ’ପରି ଜୀବାତ୍ମା ପରମାତ୍ମାଙ୍କ ସହ ଆନନ୍ଦ ଲଭିଥାଏ । କାରଣ କୌଣସି ବିଷୟକୁ ଵ୍ୟକ୍ତ କରିବାକୁ ହେଲେ ସାଧାରଣତଃ ତିନୋଟି ଶୈଳୀର ଆବଶ୍ୟକତା ରହିଛି ଯଥା: ବାଣୀ ବା ଶବ୍ଦ ଓ ଲିପି ବା ସଙ୍କେତ (ଅଙ୍ଗଭଙ୍ଗୀ)। ପୂର୍ଣ୍ଣ ପରଂବ୍ରହ୍ମଙ୍କୁ ବାଣୀ ଦ୍ଵାରା ପ୍ରକାଶ କରିବାରେ ଶାସ୍ତ୍ର ଅସମର୍ଥ। ତେଣୁ ଶାସ୍ତ୍ରରେ କୁହାଯାଇଛି “ଯତୋବାଚ ନିବର୍ତ୍ତନ୍ତେ ଅପ୍ରାପ୍ୟ ମନସା ସହ”। ଅର୍ଥାତ୍ ଯେଉଁ ସ୍ଥାନକୁ ବାଣୀ ତଥା ମନ ଯାଇ ପାରନ୍ତି ନାହିଁ , କେବଳ ଶୂନ୍ୟ ହୋଇ ପ୍ରତ୍ୟାବର୍ତ୍ତନ କରିଥାନ୍ତି । ଯେହେତୁ ସେ ନିର୍ଗୁଣ ଏବଂ ନିରାକାର ଅତଃ ତାହାଙ୍କୁ ଲିପି ବା ସଙ୍କେତ ସାହାଯ୍ୟରେ ଜଣାଇ ହେବ ନାହିଁ। ଏହି ବ୍ରହ୍ମ ତତ୍ତ୍ଵ ଅନୁଭବର ବିଷୟ, ଏହା ଇନ୍ଦ୍ରିୟ ଗ୍ରାହ୍ୟର ବିଷୟ ନୁହେଁ ବୋଲି ପୂର୍ବରୁ କୁହାଯାଇଛି। ତେଣୁ ଅନୁଭବି ତତ୍ତ୍ଵ ବେତ୍ତାମାନେ ନିଜ ଅନୁଭବରୁ କିଛି ଶାସ୍ତ୍ରରେ ବ୍ଯକ୍ତ କରିଥାନ୍ତି।
ମହାପ୍ରଭୁ ଦାରୁବ୍ରହ୍ମ ହେଉଛନ୍ତି ପୂର୍ଣ୍ଣ। ଏଣୁ ଶାସ୍ତ୍ରରେ କୁହାଯାଇଛି ଓଁ ପୂର୍ଣ୍ଣ ମଦଃ ପୂର୍ଣ୍ଣମିଦମ୍…..। ସେପରି ଶ୍ୱେତାଶ୍ୱେତର ଉପନିଷଦରେ ବର୍ଣ୍ଣନା କରାଯାଇଛି: ଅପାଣିପାଦୋ ଜବନୋ ଗ୍ରହୀତା ପଶ୍ୟତ୍ୟଚକ୍ଷୁଃ ସ ଶୃଣୋତ୍ୟ କର୍ଣ୍ଣଃ । ସ ବେତ୍ତିବିଦ୍ୟଂ ନ ଚ ତସ୍ୟ ବେତ୍ତା ତମାହୁରଗ୍ରମ° ପୁରୁଷ° ମହାନ୍ତମ୍ ।। ଏହାର ଅର୍ଥ ପରମାତ୍ମା ନିର୍ଗୁଣ , ନିରାକାର ଓ ସର୍ଵ ଶକ୍ତିମାନ କିନ୍ତୁ ସେ ସବୁକିଛି କରିପାରନ୍ତି। ଯେପରି ତାହାଙ୍କ’ ହାତ ନାହିଁ, କିନ୍ତୁ ସେ ଶୂନ୍ୟରୁ ନଡ଼ିଆ ଗ୍ରହଣ କରିପାରନ୍ତି। ପାଦ ନାହିଁ, କିନ୍ତୁ ସେ ଅତି ଦ୍ରୁତ ଗତିରେ ଭକ୍ତ ଲାଗି ଗମନ କରି ପାରନ୍ତି । ଚକ୍ଷୁ ଇନ୍ଦ୍ରିୟ ନାହିଁ, କିନ୍ତୁ ସେ ସବୁକିଛି ଦେଖିପାରନ୍ତି। କାନ ନଥାଇ ବି ସେ ସବୁକିଛି ଶୁଣିପାରନ୍ତି। ସେ ଅତୁଳନୀୟ ଶକ୍ତିର ଅଧିକାରୀ ଏବଂ ତାଙ୍କୁ କେହି ସମ୍ପୂର୍ଣ୍ଣ ରୂପେ ଜାଣିପାରିବେ ନାହିଁ। ପରନ୍ତୁ ସେ ସମଗ୍ର ବିଶ୍ୱର ବିଷୟକୁ ଜାଣିପାରନ୍ତି । ଏଣୁ ସେହି ପରମ ଶକ୍ତିକୁ ହିଁ ଶ୍ରେଷ୍ଠ ମହାନ ପୁରୁଷ ଏବଂ ବିରାଟ ପୁରୁଷ ରୂପରେ ଜ୍ଞାନୀ ବ୍ୟକ୍ତିମାନେ ଅଭିହିତ କରିଛନ୍ତି । ସେହି ଅଜ୍ଞେୟ ପୁରୁଷ ହିଁ ସ୍ରଷ୍ଟା, ସେ ସୃଷ୍ଟି , ସେ ସ୍ଥିତି , ସେ ଆନନ୍ଦ, ସେ ମୁକ୍ତି ଏବଂ ସେ ହିଁ ସର୍ଵକାରଣର କାରଣ। ଯାହାଙ୍କ ସମ୍ମୁଖରେ ସର୍ବେନ୍ଦ୍ରିୟ ସୁପ୍ତ ହୋଇଯାନ୍ତି । ଯାହାଙ୍କ ପ୍ରକାଶରେ ମୁଙ୍କାର ଆକାର ହରାଏ । ଯାହାଙ୍କ ନିର୍ଦ୍ଦେଶରେ ସମଗ୍ର ବିଶ୍ୱବ୍ରହ୍ମାଣ୍ଡ ପରିଚାଳିତ । ତାଙ୍କରି ଅନୁଗ୍ରହ ବିନା ଏ ଜୀବର ଇନ୍ଦ୍ରିୟ ଓ ଅନ୍ତକରଣ ଗୁଡ଼ିକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଜାଣି ପାରିବେ ନାହିଁ। କେବଳ ବିଗ୍ରହ ଦେଖି ମନ ବୁଝିବା ହିଁ ଶ୍ରେୟ ହେବ। ତେଣୁ ଭକ୍ତ କୃପାଭିକ୍ଷା କରେ ଯେ: ଦାରୁବ୍ରହ୍ମ ତୁମେ କରୁଣା କର ହେ ହେମନ୍ତ କରଇ ଏକ ଅଳୀ। ତୁମ ଦିବ୍ୟରୂପ ଆନନ୍ଦ ସ୍ଵରୂପ ମୋ’ ହୃଦ ନୟନେ ଦିଅ ବୋଳି ।। ମହାପ୍ରଭୁ ଶ୍ରୀଜଗନ୍ନାଥ ଅଟନ୍ତି ଅନୁଗ୍ରହ ବିଗ୍ରହର ମୂର୍ତ୍ତିମନ୍ତ ପ୍ରତୀକ ତଥା ପୂର୍ଣ୍ଣ ପରଂବ୍ରହ୍ମ ସ୍ବରୂପ। ଏ ରହସ୍ୟମୟଙ୍କ ଅନୁଗ୍ରହ ବିନା କେହି ତାହାଙ୍କୁ ଜାଣି ପାରିବେ ନାହିଁ ପରନ୍ତୁ ସେ ଯେତେବେଳେ ଜୀବର ଆନ୍ତରିକ ଶରଣାଗତ ଭାବକୁ ଦେଖନ୍ତି, ସେତେବେଳେ ସ୍ୱତଃ ଭାବେ ସଦୟ ହୋଇ କୃପା କରନ୍ତି।

ଖମ୍ବେଶ୍ଵରୀ ପାଟଣା
ଆସିକା, ଗଞ୍ଜାମ।
୯୮୬୧୩୩୪୮୬୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ