ମା’ ଖମ୍ବେଶ୍ୱରୀଙ୍କ ବୈଶାଖୀ ଯାତ୍ରା ପାଇଁ ଶୁଭଖୁଣ୍ଟି ସ୍ଥାପନ
ଆସିକା (ୱାଇଏନ୍ଏସ୍) : ମା’ଖମ୍ବେଶ୍ୱରୀଙ୍କ ବୈଶାଖୀ ଯାତ୍ରାର ପ୍ରଥମ ପର୍ବ ହେଉଛି ଶୁଭଖୁଣ୍ଟି ସ୍ଥାପନ। ଆସନ୍ତା ଏପ୍ରିଲ୍ ମାସ ୨୬ ତାରିଖ ରବିବାର ଦିନ ଅନୁଷ୍ଠିତ ହେବାକୁ ଥିବା ଆସିକାର ଅଧିଷ୍ଠାତ୍ରୀ ଦେବୀ ମା’ଖମ୍ବେଶ୍ୱରୀଙ୍କ ବୈଶାଖୀ ଯାତ୍ରା ପାଇଁ ରବିବାର ଅପରାହ୍ନରେ ମାହେନ୍ଦ୍ର ବେଳାରେ ପାରମ୍ପାରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ଶୁଭଖୁଣ୍ଟି ସ୍ଥାପନ କାର୍ଯ୍ୟକ୍ରମ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସଂପନ୍ନ ହୋଇଛି । ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମାନଙ୍କ ମଧ୍ୟରୁ ଆସିକାର ଅଧିଷ୍ଠାତ୍ରୀଦେବୀ ମା’ଖମ୍ବେଶ୍ୱରୀଙ୍କ ପୀଠ ଅନ୍ୟତମ । ଜଗତଜନନୀ ମା’ଖମ୍ବେଶ୍ୱରୀଙ୍କ ମହିମା ଅପାର ହୋଇଥିବାରୁ ବର୍ଷତମାମ ଏହି ପୀଠକୁ ଶ୍ରଦ୍ଧାଳୁ ଭକ୍ତଙ୍କ ସୁଅ ଛୁଟିଥାଏ । ମା’ଖମ୍ବେଶ୍ୱରୀଙ୍କ ପୀଠରେ ଭକ୍ତ ଯଦି ନିଜ ହୃଦୟରେ ମା’ଙ୍କୁ ଡାକି ମନ୍ଦିର ପରିସରରେ ଦୀପଟିଏ ଜଳାଇଥାଏ ତାହା ହେଲେ ମା’ଖମ୍ବେଶ୍ୱରୀ ନିଶ୍ଚିତ ଭାବେ ଭକ୍ତର ମନ କଥା ଶୁଣିଥାନ୍ତି ବୋଲି ବିଶ୍ୱାସ ରହିଛି । ଆସନ୍ତା ଏପ୍ରିଲ୍ ମାସ ୨୬ ତାରିଖରେ ମା’ଖମ୍ବେଶ୍ୱରୀଙ୍କ ବାର୍ଷିକ ବୈଶାଖୀ ଯାତ୍ରାକୁ ମହାଆଡମ୍ବର ସହକାରେ ଉତ୍ସାହ ଉଦ୍ଦୀପନାର ସହ ପାଳନ କରିବା ଲାଗି ଆୟୋଜକଙ୍କ ପକ୍ଷରୁ ବର୍ତ୍ତମାନଠାରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଥିବା ଲକ୍ଷ୍ୟ କରାଯାଇଛି । ମା’ଖମ୍ବେଶ୍ୱରୀ ମନ୍ଦିର ପରିଚାଳନା କମିଟି ସମ୍ପାଦକ ସଚ୍ଚିଦାନନ୍ଦ ଖଟେଇ ଓ ଯାତ୍ରା ପରିଚାଳନା କମିଟି ସଭାପତି ନିମାଇଁ ଚରଣ ପାଣିଗ୍ରାହୀଙ୍କ ସମେତ ଶ୍ରଦ୍ଧାଳୁ ଭକ୍ତ ମାନେ ଶୁଭଖୁଣ୍ଟି ସ୍ଥାପନ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା । ଆଜି ମନ୍ଦିର ପରିସରରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମା’ଖମ୍ବେଶ୍ୱରୀଙ୍କ ବୈଶାଖୀ ଯାତ୍ରା ପାଇଁ ଶୁଭଖୁଣ୍ଟି ସ୍ଥାପନ କାର୍ଯ୍ୟକ୍ରମ ସର୍ବପୁରାତନ କଇଁଆ ଗଛ ନିକଟରେ ସଂପନ୍ନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମା’ଖମ୍ବେଶ୍ୱରୀଙ୍କ ପୂଜକ ସନ୍ୟାସୀ ମୁନି, ସତ୍ୟନାରାଣ ମୁନି, ଗଣପତି ମୁନି, ମାଧବ ମୁନି, ସିମାଂଚଳ ମୁନି, ନରସିଂହ ମୁନି, ସନ୍ତୋଷ ମୁନି, ପ୍ରମୋଦ କୁମାର ମୁନି, ନୀଳମାଧବ ମୁନି, ଅରବିନ୍ଦ ମୁନି, ବସନ୍ତ ମୁନି, ମୁନା ମୁନି, ଅଜିତ କୁମାର ମୁନି, ଟୁଲିଆ ମୁନି, ପ୍ରସନ୍ନ ମୁନି, ଯାତ୍ରା ପରିଚାଳନା କମିଟି ସଦସ୍ୟ ପିଣ୍ଟୁ ପ୍ରଧାନଙ୍କ ସମେତ ବହୁ ଶ୍ରଦ୍ଧାଳୁ ଭକ୍ତ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା । ଆସନ୍ତା ଚୈତ୍ର ପୂର୍ଣ୍ଣିମା ଏପ୍ରିଲ ମାସ ୨ ତାରିଖଠାରୁ ୨୫ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ମଧ୍ୟ ରାତ୍ରରେ ମା’ ଖମ୍ବେଶ୍ୱରୀଙ୍କ ବିଜେ ପ୍ରତିମାକୁ ସୁସଜ୍ଜିତ ସିଂହବାହିନୀ ପାଲିଙ୍କିରେ ଅଧିଷ୍ଠିତ କରାଯାଇ ବାଦ୍ୟ ବାଜଣାର ତାଳେ ତାଳେ ପ୍ରତ୍ୟେକ ଦିନ ନଗର ପରିକ୍ରମା କରାଯାଇ ପୁଣି ଗମ୍ଭୀରାକୁ ପ୍ରତ୍ୟାବର୍ତ୍ତନ କରାଯିବ । ମା’ ଖମ୍ବେଶ୍ୱରୀଙ୍କ ବାର୍ଷିକ ବୈଶାଖୀ ଯାତ୍ରା ଅବସରରେ ଆସନ୍ତା ଏପ୍ରିଲ୍ ମାସ ୨୫ ତାରିଖରେ ବିରାଟ ପଟୁଆର, ତା ପରଦିନ ଅର୍ଥାତ୍ ୨୬ ତାରିଖରେ ଯାତ୍ରା ଓ ୨୭ ତାରିଖରେ ମା’ଖମ୍ବେଶ୍ୱରୀଙ୍କ ବିଜେ ପ୍ରତିମାକୁ ଗମ୍ଭୀରା ବିଜେ କରାଯିବା ଲାଗି ନିଷ୍ପତ୍ତି ନିଆଯାଇଛି ବୋଲି ମନ୍ଦିର ପରିଚାଳନା କମିଟି ସଂପାଦକ ସଚ୍ଚିଦାନନ୍ଦ ଖଟେଇ ସୂଚନା ଦେଇଛନ୍ତି । ସାରା ରାଜ୍ୟ ତଥା ରାଜ୍ୟ ବାହାରେ ପ୍ରସିଦ୍ଧି ଲାଭ କରିଥିବା ଆସିକାର ଆରାଧ୍ୟାଦେବୀ ମା’ଖମ୍ବେଶ୍ୱରୀଙ୍କ ବୈଶାଖୀ ଯାତ୍ରା ପାଇଁ ଏକ ଆଧ୍ୟାତ୍ମିକ ପରିବେଶ ଓ ଶ୍ରଦ୍ଧାଳୁ ଭକ୍ତଙ୍କ ଉପସ୍ଥିତିରେ ଆଜ୍ଞାମାଳ ଆସିବା ପରେ ଶୁଭଖୁଣ୍ଟି ସ୍ଥାପନ ସହ ଚଳିତବର୍ଷର ମାଙ୍କ ଯାତ୍ରାର ଶୁଭାରମ୍ଭ ହୋଇ ସାରିଛି। ଏକ ପ୍ରାୟ ୧୫ଫୁଟିଆ ଲମ୍ବା ବାଉଁଶକୁ ବିଧିବିଧାନ ଅନୁଯାୟୀ ପୂଜାପାଠ କରିବା ପରେ ବନ୍ଦାପନା କରି କ୍ଷୀର, ମହୁ, ଘିଅ, ଦହି ଓ ଗଙ୍ଗାଜଳରେ ଅଭିମନ୍ତ୍ରିତ କରିବା ପରେ ଗେରୁ ଓ ହଳଦି ଲେପନ କରି ଆମ୍ବଡାଳ, ବରକୋଳି ପତ୍ର, ଦୁବ ଆଦି ପଞ୍ଚପତ୍ରକୁ ବାନ୍ଧି ମା’ଖମ୍ବେଶ୍ୱରୀଙ୍କ ନିକଟରେ ପୂଜାର୍ଚ୍ଚନା କରିବା ପରେ ଶଙ୍ଖ ଓ ହୁଳହୁଳି ଧ୍ୱନୀ ସାଙ୍ଗକୁ ବାଦ୍ୟ ବାଜଣାର ତାଳେତାଳେ ଶୁଭଖୁଣ୍ଟି ସ୍ଥାପନ ସମ୍ପନ୍ନ ହୋଇ ସାରିଥିବା ବେଳେ ଯାତ୍ରାକୁ ନେଇ ଆସିକା ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଜଗତ୍ ଜନନୀ, ଶକ୍ତି ପ୍ରଦାୟିନୀ, ମାତୃଶକ୍ତି, କରୁଣାମୟୀ, ଆଦିଶକ୍ତି ମା ଖମ୍ବେଶ୍ୱରୀଙ୍କ ବୈଶାଖୀ ଯାତ୍ରା ପାଇଁ ରବିବାର ମାହେନ୍ଦ୍ର ବେଳାରେ ଶହ ଶହ ଶ୍ରଦ୍ଧାଳୁ ଭକ୍ତ, ମନ୍ଦିର ପରିଚାଳନା କମିଟିର ସଦସ୍ୟ, ପୂଜକଙ୍କ ଉପସ୍ଥିତିରେ ଶୁଭଖୁଣ୍ଟି ସ୍ଥାପନ କାର୍ଯ୍ୟକ୍ରମ ଶେଷ ହୋଇଥିବା ଲକ୍ଷ୍ୟ କରାଯାଇଥିଲା ।


