ସରକାରୀ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ସମିତିର ୩ୟ ଜିଲ୍ଲା ସମ୍ମିଳନୀ
ବାଲେଶ୍ୱର, (ଓ୍ବାଇଏନଏସ): ଉତ୍ତର ଓଡ଼ିଶାର କେନ୍ଦ୍ରସ୍ଥଳ ବାଲେଶବରରେ କୃଷି ବୈଷୟିକ ଉଚ୍ଚ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ପାଇଁ ସରକାର ଘୋଷଣା ନକରିବା ପର୍ଯ୍ୟନ୍ତ ଜିଲ୍ଲାବାସୀ ଐକ୍ୟବଦ୍ଧ ଆନ୍ଦୋଳନ ଚଳାଇ ରଖିବାକୁ ରବିବାରଦିନ ବାଲେଶ୍ୱର ଷ୍ଟେସନ ସଭାଗୃହରେ ସରକାରୀ କୃଷି ମହାବିଦ୍ୟାଳୟ ଓ ଗବେଷଣା କ୍ଷେତ୍ର ପ୍ରତିଷ୍ଠା କ୍ରିୟାନୁଷ୍ଠାନ ସମିତିର ୩ୟ ବାର୍ଷିକ ଜିଲ୍ଲା ସମ୍ମିଳନୀରେ ଆହ୍ୱାନ ଦିଆଯାଇଛି। ଡ. କେଶବ ଚରଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ମିଳନୀର ସାଧାରଣ ସଭାରେ ସାଧାରଣ ସଂପାଦକ ଅଭୟ ମିଶ୍ର ବିବରଣୀ ଓ କୋଷାଧ୍ୟକ୍ଷ ଭାସ୍କର ଚନ୍ଦ୍ର ପାଢ଼ୀ ଆୟବ୍ୟୟର ବିବରଣୀ ଉପସ୍ଥାପିତ କରିଥିଲେ। ଅତିଥି ଓ ବକ୍ତାଭାବେ ଯୋଗଦେଇ ବାଲେଶ୍ୱର ଜିଲ୍ଲା ପରିଷଦର ସଭାପତି ନାରାୟଣ ଚନ୍ଦ୍ର ପ୍ରଧାନ, ପୂର୍ବତନ ବିଧାୟକ ଚିତ୍ତରଂଜନ ଷଡ଼ଙ୍ଗୀ, ପୂର୍ବତନ ଜିଲ୍ଲା ପରିଷଦ ସଭାପତି ଗିରୀଶ ଚନ୍ଦ୍ର ଦାଶଙ୍କ ସମେତ ସମିତିର ବିଭିନ୍ନ ଆଞ୍ଚଳିକ କମିଟି ଓ ବିଭିନ୍ନ ଗଣ ସଂଗଠନ ପକ୍ଷରୁ ଦିଲ୍ଲୀପ ଗିରି, ଗୋବିନ୍ଦ ଚନ୍ଦ୍ର ଭୋଇ, ମହେଶ୍ୱର ପଣ୍ଡା, ଦାମୋଦର ନାୟକ, କବି ଡ. କାଳିପଦ ପଣ୍ଡା, ଡ. କ୍ଷିତୀଶ୍ୱର ଦାଶ, କୁମୁଦ ରଂଜନ ଗିରି, ଚକ୍ରଧର ଦାସ, ଷ୍ଟାଲିନ୍ ମିଶ୍ର, ଭାରତୀ ପଣ୍ଡା, ବିଧାନ ରାୟ ଓ ହରେନ୍ ରଣା ପ୍ରମୁଖ ସେମାନଙ୍କ ବକ୍ତବ୍ୟରେ ବାଲେଶ୍ୱର ଜିଲ୍ଲାବାସୀଙ୍କ ଦାବିପ୍ରତି ସରକାର ଅବହେଳା ପ୍ରଦର୍ଶନ କରୁଥିବାର ଦର୍ଶାଇଥିଲେ। ବାଲେଶ୍ୱରରେ ବିଶ୍ୱ ବିଦ୍ୟାଳୟ ହେଉ କିମ୍ବା ମେଡିକାଲ୍ କଲେଜ୍ ପ୍ରତିଷ୍ଠା ଦାବି ହାସଲ ପାଇଁ ଦୀର୍ଘଦିନ ଧରି ବାଲେଶ୍ୱରବାସୀଙ୍କୁ ବିଭିନ୍ନ ପର୍ଯ୍ୟାୟରେ ଆନ୍ଦୋଳନ କରିବାକୁ ପଡ଼ିଥିଲା। ଧାନ, ପାନ,ମୀନ ଓ ଜ୍ଞାନର ଭଣ୍ଡାର ଭାବେ ବାଲେଶ୍ୱର ସୁପରିଚିତ। କିନ୍ତୁ କେନ୍ଦ୍ର ଓ ରାଜ୍ୟ ସରକାର ବାଲେଶ୍ୱରବାସୀଙ୍କ ଦାବିପ୍ରତି ଗୁରୁତ୍ୱ ଦେଉନାହାନ୍ତି ବୋଲି ବକ୍ତାମାନେ ଅଭିଯୋଗ କରିଥିଲେ। ବାଲେଶ୍ୱରର ସାଂସଦ ଓ ବିଧାୟକ ଗଣ ଏହି ଦାବିକୁ ସମର୍ଥନ ଜଣାଉଛନ୍ତି। କିନ୍ତୁ ରାଜ୍ୟର ଅନ୍ୟ ଜିଲ୍ଲାରେ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ପାଇଁ ସରକାରୀ ଘୋଷଣା ବାଲେଶ୍ୱରବାସୀଙ୍କୁ ବିସ୍ମିତ କରିଛି ବୋଲି ସମିତିର କାର୍ଯ୍ୟକାରୀ ସଭାପତି ନିରଞ୍ଜନ ପରିଡ଼ା ପ୍ରକାଶ କରିଥିଲେ। ତେଣୁ ଆଗାମୀ ସମସ୍ତ ଗଣତାନ୍ତ୍ରିକ ଆନ୍ଦୋଳନରେ ଅଧିକ ସଂଖ୍ୟାରେ ଯୁବଛାତ୍ରମାନଙ୍କୁ ସାମିଲ କରିବାକୁ ସେ ଆହ୍ୱାନ ଦେଇଥିଲେ। ଆସନ୍ତା ଦୁଇବର୍ଷ ପାଇଁ ନିର୍ବାଚିତ କର୍ମକର୍ତ୍ତାଙ୍କ ନାମ ତାଲିକାକୁ ପ୍ରଫୁଲ୍ଲ କୁମାର ଦାସ ପାଠ କରିଥିଲେ। ଆଗାମୀ ବର୍ଷ ପାଇଁ ହରନାରାୟଣ ମଢ଼ୁଆଳ ଲଗାତର ଆନ୍ଦୋଳନ ନିମିତ୍ତ ବିଭିନ୍ନ ପ୍ରସ୍ତାବ ଆଗତ କରିବା ପରେ ଏହା ଗୃହୀତ ହୋଇଥିଲା।
ଅତିଥିମାନେ ଶ୍ରୀଜଗନ୍ନାଥଙ୍କ ବିଗ୍ରହରେ ପୁଷ୍ପ ଓ ଧୂପଦୀପ ପ୍ରଦାନ କରିବା ପରେ ସମ୍ମିଳନୀର ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଉପସ୍ଥିତ ପ୍ରତିନିଧି ଓ ଅତିଥିମାନେ ସମ୍ମିଳିତ ଭାବେ ଜାତୀୟ ସଙ୍ଗୀତ ଗାନ କରିଥିଲେ। ସଂପାଦକ ଗୌରାଙ୍ଗ ପାଣିଗ୍ରାହୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରି ଅତିଥିମାନଙ୍କୁ ମଞ୍ଚଆହ୍ୱାନ କରିଥିଲେ। ସରସ୍ୱତୀ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ସମଗ୍ର ଜିଲ୍ଲାରୁ ଶତାଧିକ ପ୍ରତିନିଧି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସର୍ବଶ୍ରୀ ଶ୍ୟାମସୁନ୍ଦର ଜେନା, କ୍ରିଷ୍ଣା ସାହା, ସଂଯୁକ୍ତା ବେହେରା ଓ ବିଜନ ଦେ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।


