ପେଟ୍ରୋଲ ପମ୍ପରେ ମିଳୁନି ମୌଳିକ ସୁବିଧା : ପ୍ରଶାସନ ପକ୍ଷରୁ ସଚେତନ କରାଯାଉନି
କାକଟପୁର /ଅସ୍ତରଙ୍ଗ (ଶୁଭାଶିଷ ଖଣ୍ଡୁଆଳ ):-ଉପଭୋକ୍ତା ଙ୍କ ସ୍ୱାର୍ଥକୁ ସୁରକ୍ଷା ଦେବା ପାଈଁ ଉତ୍ତମ ମାନର ଦ୍ରବ୍ୟ ଓ ସେବା ଯୋଗାଇ ଦେବା ଲକ୍ଷ୍ୟରେ ଖାଉଟି ସୁରକ୍ଷା ଆଇନି କୁ ସରକାର ଗୁରୁତ୍ୱ ଦେଉଛନ୍ତି। ଉପଭୋକ୍ତା ଙ୍କୁ ସେବା ପ୍ରଦାନରେ ଅବହେଳା ପ୍ରଦର୍ଶନ କରୁଥିବା ବ୍ୟକ୍ତି, ଗୋଷ୍ଟି ସଂସ୍ଥା ମାନଙ୍କ ଶୋଷଣରୁ ସୁରକ୍ଷା ପ୍ରଦାନ କରିବା ଏପରି ଆଇନିର ଉଦେଶ୍ୟ।ଏହି ଆଇନିର ଖୋଲା ଖୋଲି ଉଲ୍ଲଘଂନ ହେଉଥିବା ଅଭିଯୋଗ ହେଉଛି। ବିଶେଷ କରି ପେଟ୍ରୋଲ ପମ୍ପର ମାଲିକ ମାନେ ଗ୍ରାହକଙ୍କୁ ଆନୁସଙ୍ଗିକ ସେବା ଯୋଗାଇବାରେ ଅବହେଳା ପ୍ରଦର୍ଶନ କରୁଥିବା ଅଭିଯୋଗ ହେଉଛି। ଗ୍ରାହକ ସୁବିଧା ପାଇଲେ କି ନାହିଁ ତଦାରଖ ହେଉନି। ପେଟ୍ରୋଲ ପମ୍ପରେ ଗ୍ରାହକ ଙ୍କ ପାଈଁ କଣ ସୁବିଧା ରହିଛି ସେ ନେଇ ମଧ୍ୟ ପ୍ରଶାସନ ପକ୍ଷରୁ ସଚେତନ କରାଯାଉନାହିଁ। ପୁରୀ ଜିଲ୍ଲା କାକଟପୁର ଓ ଅସ୍ତରଙ୍ଗ ବ୍ଲକ ଅଂଚଳରେ ମାଳ ମାଳ ପେଟ୍ରୋଲ ପମ୍ପ ଗଢି ଉଠିଥିବା ବେଳେ ଅଧିକାଂଶ ପେଟ୍ରୋଲ ପମ୍ପରେ ଅପମିଶ୍ରିତ ତେଲ ବିକ୍ରି ହେଉଥିବା ଅଭିଯୋଗ ହୋଇଆସୁଛି। ପେଟ୍ରୋଲ ପମ୍ପ କର୍ତ୍ତୃପକ୍ଷ ସରକାରୀ ନିୟମ କୁ ଉପେକ୍ଷା କରି ଗ୍ରାହକ ଙ୍କୁ ସେବା ଯୋଗାଉନାହାନ୍ତି। ଏଭଳି ସ୍ଥିତିରେ ବିଭିନ୍ନ ସ୍ଥାନରେ ଗଢି ଉଠିଥିବା ପେଟ୍ରୋଲ ପମ୍ପର ସ୍ଥିତିକୁ ଅନୁଧ୍ୟାନ କଲେ ଖାଉଟି ସୁରକ୍ଷା ଆଇନି ଗୁରୁତ୍ୱ ହରାଇଛି। ଗ୍ରାହକ ଙ୍କୁ ପେଟ୍ରୋଲ ପମ୍ପରେ ପାନୀୟ ଜଳ ସୁବିଧା ଯୋଗାଇବାରେ ବ୍ୟବସ୍ଥା ଥିଲେ ହେଁ ଅନେକ ସ୍ଥାନରେ ଗ୍ରାହକଙ୍କୁ ଏହି ସେବା ଯୋଗାଇ ଦିଆଯାଉନି। କାଗଜପତ୍ରରେ ସବୁ କିଛି ଠିକ ଠାକ ରହିଛି। ସେହିଭଳି କିଛି ପେଟ୍ରୋଲ ପମ୍ପରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନାହିଁ। କେତେକାଂଶ ରେ ଅଛି ଅଥଚ ତାହା କାମ କରୁନି। ସେହିପରି ପେଟ୍ରୋଲ ପମ୍ପରେ “ପ୍ରେସର ଚେକ “ବ୍ୟବସ୍ଥା ବାଧ୍ୟତା ମୂଳକ ହୋଇଥିଲା ବେଳେ ହେଲେ କାଁ ଭାଁ ସ୍ଥାନରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି। କେଉଁଠି କେବଳ ନାମ ମାତ୍ର ପ୍ରେସର ଚେକ ମେସିନ ରଖାଯାଇ ଖରାପ ଅଛି ବୋଲି ସଫେଇ ଦିଆଯାଉଛି। ସେହିପରି ପେଟ୍ରୋଲ ପମ୍ପରେ ପାଇଖାନା ସୁବିଧା, କମ୍ପୁଟର ବିଲ, ମାଗଣା କଲ ବ୍ୟବସ୍ତାର ସୁବିଧା ଦେବାକୁ ସରକାରୀ ନିୟମ ରହିଛି। ହେଲେ ଏ ସବୁ ସୁବିଧାରୁ ଗ୍ରାହକ ବଞ୍ଚିତ ହେଉଛନ୍ତି। ଶୌଚାଳୟ ସୁବିଧା ୬୦ପ୍ରତିଶତ ସ୍ଥାନରେ ନାହିଁ। କିଛି ସ୍ଥାନରେ ଏହା ରହିଥିଲେ ମଧ୍ୟ ତାହା କର୍ମଚାରୀଙ୍କ ପାଈଁ ଉଦିଷ୍ଟ ବୋଲି କୁହାଯାଉଛି।ସେହିପରି ପେଟ୍ରୋଲ ପମ୍ପରେ ଅଭିଯୋଗ ପୁସ୍ତିକା ରଖିବାର ନିୟମ ରହିଛି। କିଛି ପେଟ୍ରୋଲ ପମ୍ପ କୁ ଛାଡିଦେଲେ କାକଟପୁର, ନୂଆଗଡ ସାମୁଦ୍ରିକ ଥାନା ଓ ଅସ୍ତରଙ୍ଗ ଥାନା ଅଂଚଳରେ ଅଧିକାଂଶ ପେଟ୍ରୋଲ ପମ୍ପରେ ଆଦୌ ଏହି ସୁବିଧା ନାହିଁ। ଅଭିଯୋଗ ପୁସ୍ତିକା ପେଟ୍ରୋଲ ପମ୍ପରେ ରଖିଲେ ଗ୍ରାହକ କଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସେବା ପାଇଲେ କି ନାହିଁ ସେ ନେଇ ଉଲ୍ଲେଖ କରି ପାରିବେ। ତେଲ କମ୍ପାନୀ କର୍ତ୍ତୃପକ୍ଷ ଏହାର ଯାଞ୍ଚ କରି ଗ୍ରାହକ ଙ୍କୁ ସେବା ଯୋଗାଇ ଦେବାକୁ ପରାମର୍ଶ ଦିଅନ୍ତେ। ଏଣୁ ଏହି ଦିଗ ପ୍ରତି ଜିଲ୍ଲାପାଳ, ଜିଲ୍ଲା ଯୋଗାଣ ଅଧିକାରୀ ଓ ମାପ ଓଜନ ବିଭାଗ ଦୃଷ୍ଟି ଦେଲେ ଗ୍ରାହକ ମାନେ ଉପକୃତ ହୋଇପାରନ୍ତେ ବୋଲି ଅନେକ ଗ୍ରାହକ ମତ ପୋଷଣ କରୁଛନ୍ତି। ଏ ସମ୍ପର୍କରେ ଜିଲ୍ଲା ଯୋଗାଣ ଅଧିକାରୀ ଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।


