କାକଟପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ଇଦୁଲ ଫିତର ଆନନ୍ଦର ସହ ପାଳିତ
କାକଟପୁର /ଅସ୍ତରଙ୍ଗ (ଶୁଭାଶିଷ ଖଣ୍ଡୁଆଳ):-ପୁରୀ ଜିଲ୍ଲା କାକଟପୁର ବ୍ଲକ ଅଂଚଳରେ ହର୍ଷୋଲ୍ଲାସ ଓ ଶାନ୍ତି, ସଦ୍ଭାଭାବନାରର ସହ ଇଦୁଲ ଫିତର ପାଳିତ ହୋଇ ଯାଇଛି। ଇସଲାମିକ ପଞ୍ଜିକାର ନବମ ମାସ ରମଜାନରେ ମାସେ ଧରି ରୋଜା ବା ଉପବାସ ପାଳନ କରିବା ପରେ ଦଶମ ମାସ ସିୱାଲର ପ୍ରଥମ ଦିନ ମୁସଲମାନ ସମୁଦାୟ ଏହି ପର୍ବ ପାଳନ କରିଥାନ୍ତି। ଇଦ ପର୍ବ ଉପଲକ୍ଷେ କାକଟପୁର ବ୍ଲକ ଔରଙ୍ଗବାଦ, ବିଭୂତିପୁର, ଫକୀରସାହି ସମେତ ବିଭିନ୍ନ ସ୍ଥାନରେ ମସଜିଦରେ ସାମୁହିକ ନମାଜ ପାଠ କରାଯାଇଥିଲା। ନମାଜ ପରେ ବିଶ୍ୱ କଲ୍ୟାଣ ପାଇଁ ପ୍ରାର୍ଥନା କରାଯାଇ ଥିଲା ଏବଂ ପରେ ପରେ ସମସ୍ତେ ପରସ୍ପରକୁ ଆଲିଙ୍ଗନ ଓ କରମର୍ଦନ ପୂର୍ବକ ଇଦର ବଧେଇ ଦେଇଥିଲେ। ଏହା ପରେ ସମସ୍ତେ କବରସ୍ତାନକୁ ଯାଇ ନିଜ ମୃତ ପୂର୍ବଜଙ୍କୁ ଇଦର ବଧେଇ ଦେବା ସହ ତାଙ୍କ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଥିଲେ। ଏହି ଅବସରରେ କାକଟପୁର ବ୍ଲକ ଅଞ୍ଚଳର ସୁହାଣପୁର, ଫକୀରସାହି, କଟକଣା, ଭଣ୍ଡାଘର, ରସୁଲପୁର ଓ ଲତାହରଣ ଅଞ୍ଚଳରେ ମୁସିଲିମ ଭାଇ ମାନେ ସମସ୍ତେ ନୂଆ ବସ୍ତ୍ର ଧାରଣ କରି ଦଳ ଦଳ ହୋଇ ନମାଜ ପାଇଁ ମସଜିଦକୁ ଯାଇଥିଲେ। ଏହା ସହ ଗରିବ ଲୋକଙ୍କୁ ଖାଦ୍ୟ ଓ ବସ୍ତ୍ର ମଧ୍ୟ ବିତରଣ କରିଥିଲେ। ନିଜ ସାହି ପଡ଼ିଶାଙ୍କ ଘରକୁ ଯାଇ ଇଦର ବଧେଇ ଦେବା ସହ ଏହି ପର୍ବର ବିଶେଷ ମିଷ୍ଟଖାଦ୍ୟ ସିମେଇ ମଧ୍ୟ ଖୁଆଇଥିଲେ। ଛୋଟ ପିଲାମାନଙ୍କୁ ଇଦି ବା ବଖସିସ ପ୍ରଦାନ କରିଥିଲେ। ମୁସଲିମ ସମୁଦାୟ ନିଜ ବନ୍ଧୁମାନଙ୍କୁ ନିଜ ଘରେ ସୁସ୍ୱାଦୁ ଭୋଜିରେ ନିମନ୍ତ୍ରିତ କରିବାର ଦେଖା ଯାଇଥିଲା।ଏହି ଅବସରରେ କାକଟପୁର ବିଧାୟକ ତୁଷାରକାନ୍ତି ବେହେରା ସାମିଲ ହୋଇ ଖୁସି ସାଉଁଟିଥିଲେ।


