ପୁଣି ବିବାଦରେ ଚୌଦ୍ବାର ସର୍କଲ୍ ଜେଲ୍: କଏଦୀଙ୍କ ନିକଟରୁ ଜବତ ହେଲା ୩ ଟି ସ୍ମାର୍ଟ ଫୋନ୍
କଟକ, (ଓ୍ବାଇଏନଏସ): ଚୌଦ୍ବାର ସର୍କଲ୍ ଜେଲ୍ରୁ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଫେରାର ଘଟଣା ପରେ ପୁଣି ଚର୍ଚ୍ଚାକୁ ଆସିଛି ଜେଲ୍। ହାଇସିକ୍ୟୁରିଟି ଜେଲ୍ରୁ ଜଣେ ସାଇବର ଅପରାଧୀ ସୌମ୍ୟରଞ୍ଜନ ପ୍ରଧାନ ଓରଫ୍ ସୁଲଗ୍ନା ଓରଫ୍ ମନିଷା ନିକଟରୁ ତିନୋଟି ମୋବାଇଲ୍ ଫୋନ୍, ଗୋଟିଏ ଚାର୍ଜର ଓ ଟଙ୍କା ଜବତ ହୋଇଛି। ଚୌଦ୍ବାର ଥାନା ପୁଲିସ ସକାଳ ସମୟରେ ଜେଲ୍ରେ ଚଢ଼ଉ କରି ଏସବୁ ସାମଗ୍ରୀ ଜବତ କରିଛି। ରାଉରକେଲାରେ ଏକ ସାଇବର୍ ଅପରାଧ ମାମଲାରେ ଏହି ଚଢ଼ଉ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ସିରିଜ୍ ସାଇବର୍ ଅପରାଧରେ ସାମିଲ ଥିବା ଅନୁଗୁଳଜିଲ୍ଲା କିଶୋରନଗର ଅଞ୍ଚଳର କିନ୍ନର ସୌମ୍ୟରଞ୍ଜନ ପ୍ରଧାନ ଓରଫ୍ ସୁଲଗ୍ନା ଓରଫ୍ ମନିଷା କଟକ ସାଇବର୍ ଥାନା ପୁଲିସ ଦ୍ବାରା ଗିରଫ ହୋଇ ଚୌଦ୍ବାର ସର୍କଲ ଜେଲ୍ର ହାଇ ସିକ୍ୟୁରିଟି ସେଲ୍ରେ ଥିଲା। ଜେଲ୍ରେ ଥାଇ ରାଉରକେଲା ଅଞ୍ଚଳର ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଫୋନରେ ଟଙ୍କା ମାଗିଥିବା ଭଳି ଅଭିଯୋଗ ଥିବା କୁହାଯାଉଛି। ଏହି ମାମଲାରେ ରାଉରକେଲା ସାଇବର ପୁଲିସ ମୋବାଇଲ୍ ନମ୍ବର ଯାଞ୍ଚ କରିବା ସମୟରେ ଚୌଦ୍ବାର ଅଞ୍ଚଳରେ ମୋବାଇଲ୍ ଥିବା ଜଣାପଡ଼ିଥିଲା। ସାଇବର ଥାନା ପୁଲିସର ଦୁଇଜଣିଆ ଟିମ୍, କଟକ କମିସନରେଟ୍ର ୧୨ ଜଣିଆ ଟିମ୍ ଶୁକ୍ରବାର ସକାଳ ପ୍ରାୟ ୭ଟା ବେଳେ ଚୌଦ୍ବାର ସର୍କଲ ଜେଲ୍ରେ ମିଳିତ ଭାବେ ଚଢ଼ଉ କରିଥିଲେ। ଯାଞ୍ଚ ପରେ ସୌମ୍ୟ ସେଲ୍ ନିକଟରେ ଥିବା ପୁରୁଣା ୱାସିଂ ମେସିନ୍ ଭିତରେ ତିନୋଟି ମୋବାଇଲ୍ ଫୋନ୍ ଓ ଚାର୍ଜର୍ ଲୁଚାଇ ରଖିଥିବା ପୁଲିସ ଜାଣିବାକୁ ପାଇଥିଲା। ଏହାକୁ ଜବତ ପରେ ରାଉରକେଲା ପୁଲିସ ନିଜ ହେପାଜତକୁ ନେଇଛି। କିନ୍ନର ସୌମ୍ୟରଞ୍ଜନ ସମେତ ବ୍ରହ୍ମପୁରର କିନ୍ନର ତୁଷାରକାନ୍ତି ବାଇ, ସହଯୋଗୀ ଯାଜପୁରର ସୁନିଲ ସାମନ୍ତରାୟ ଏକ ସାଇବର ଅପରାଧ ଗ୍ୟାଙ୍ଗ ଗଢ଼ିଛନ୍ତି। ୨୦୨୦ରୁ ଯୋଜନାବଦ୍ଧ ଭାବେ ଏହି ଗ୍ୟାଙ୍ଗ ରାଜ୍ୟରେ ସକ୍ରିୟ ହୋଇଛି। ଏହି ଗ୍ୟାଙ୍ଗ ବିରୋଧରେ କଟକ, ଭୁବନେଶ୍ବର, ବ୍ରହ୍ମପୁର, ସମ୍ବଲପୁର, ଅନୁଗୁଳରେ ଠକେଇ ମାମଲା ରହିଛି। ଠକ ସୌମ୍ୟ ନିଜର କାରନାମା ଲୁଚାଇବାକୁ ଚାରିଟି ନାଁ ଭିନ୍ନ ଭିନ୍ନ ସମୟରେ ବ୍ୟବହାର କରୁଥିଲା। ସେ ବ୍ରହ୍ମପୁରରେ ଏକ ଘରୋଇ ଡିପ୍ଲୋମା କଲେଜରୁ ପାଠପଢ଼ା ଶେଷ କରିବା ପରେ ପେଟ ପୋଷିବାକୁ ଦିଲ୍ଲୀ ଯାଇ ସେଠାରେ ସାଇବର୍ ଅପରାଧୀଙ୍କ ସଂସ୍ପର୍ଶରେ ଆସିଥିଲା। ଦିଲ୍ଲୀର କୁତବନଗର, ତିଲକ୍ନଗର ଥାନା ମହାବୀରନଗର, ବସନ୍ତବିହାର, ଉତ୍ତମନଗର ଥାନା ମୋହନଗାର୍ଡେନ୍, ସାହାଦରର ପୂର୍ବ ବାବରପୁରରେ ଥିବା ସାଇବର୍ ଅପରାଧୀ ଗ୍ୟାଙ୍ଗ ସଂସ୍ପର୍ଶରେ ମନିଷା ଆସିଥିବା କୁହାଯାଉଛି। ଓଡ଼ିଶାରେ ସେ ୭ରୁ ଅଧିକ ଥର ଏଭଳି ଠକେଇ ମାମଲାରେ ଗିରଫ ହୋଇଛି। ତତ୍କାଳୀନ କୃଷି ମନ୍ତ୍ରୀ ରଣେନ୍ଦ୍ରପ୍ରତାପ ସ୍ବାଇଁଙ୍କ ଅବିକଳ ସ୍ବରରେ କଥା କହି ଡାକ୍ତର ଓ ହୋଟେଲ ବ୍ୟବସାୟୀଙ୍କଠାରୁ ବି ଟଙ୍କା ଠକି ନେଇଛି।


