ଶ୍ରୀ ମାଆ ଉଗ୍ରତାରାଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା
ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ): ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଘୁ. ନୂଆଗାଁ ଓ ଧୁମୁଛାଇ ଗ୍ରାମବାସୀଙ୍କ ମିଳିତ ଆନୁକୂଲ୍ୟରେ ନବନିର୍ମିତ ଶ୍ରୀ ଶ୍ରୀ ଶ୍ରୀ ମାଁ ଉଗ୍ରତାରାଙ୍କ ମନ୍ଦିର ପ୍ରତିଷ୍ଠା ଓ ବତିଶି ପ୍ରହର ଅଖଣ୍ଡ ନାମଯଜ୍ଞ ମହାସମାରୋହରେ ଜାରି ରହିଛି I ଗତ ଶନିବାରଠାରୁ ଆରମ୍ଭ ହୋଇଥିବା ଏହି ଉତ୍ସବ ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି I କାର୍ଯ୍ୟକ୍ରମର ପ୍ରଥମ ଦିନରେ ଖୋର୍ଦ୍ଧା ଜିଲ୍ଲା ଭୁଷଣ୍ଢପୁରସ୍ଥିତ ମାଁ ଉଗ୍ରତାରାଙ୍କ ପୀଠରୁ ଆଜ୍ଞାମାଳ ଅଣାଯାଇ ବେଲଗୁଣ୍ଠା ସହର ସମେତ ଘୁ. ନୂଆଗାଁ ଓ ଧୁମୁଛାଇ ଗ୍ରାମ ପରିକ୍ରମା କରାଯାଇ ବଡ଼ନଦୀ ସେତୁ ପାଦଦେଶରେ ନିର୍ମିତ ନୂତନ ମନ୍ଦିରରେ ସ୍ଥାପନ କରାଯାଇଥିଲା। ପରେ ରୀତିନୀତି ମୁତାବକ ଗ୍ରାମରେ ସୋମବାର ସକାଳୁ ଅଖଣ୍ଡ ନାମଯଜ୍ଞ ଆରମ୍ଭ ହୋଇଥିବା ବେଳେ ମନ୍ଦିରରେ ସୂର୍ଯ୍ୟପୂଜା, ଗୋପୂଜା, ଅଗ୍ନିସ୍ଥାପନ ଓ ଚଣ୍ଡୀପାଠ ଆଦି ରୀତିନୀତି ଅନୁସାରେ ଅନୁଷ୍ଠିତ ହୋଇଥିଲା । ମଙ୍ଗଳବାର ଅପରାହ୍ନରେ ମହାସ୍ନାନ,ଯଜ୍ଞ କାର୍ଯ୍ୟକ୍ରମ ନିର୍ଦ୍ଧାରିତ ସମୟରେ ଅନୁଷ୍ଠିତ ହୋଇ ବୁଧବାର ଦିନ ନାନାଦେବଦେବୀ ହବନ ଓ ଜୀବନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ଆଜି ମାଁଙ୍କୁ ବନ୍ଦାପନା କରାଯାଇ ନୂଆଁଗାଁ ଏବଂ ଧୂମୂଛାଇରେ ମାଆଙ୍କ ନଗର ପରିକ୍ରମା କରାଯାଇଥିଲା I ସନ୍ଧ୍ୟା ଛଅଟା ପର୍ଯ୍ୟନ୍ତ ମାଆଙ୍କ ନଗର ପରିକ୍ରମା ଅନୁଷ୍ଠିତ ହୋଇଥିବା ବେଳେ ବର୍ତ୍ତମାନ ମାଆଙ୍କ ସିଂହାସନ ଆରୋହଣ କାର୍ଯ୍ୟକ୍ରମ ଚାଲିଛି I ଖୋର୍ଦ୍ଧା ଜିଲ୍ଲା ଭୂଷଣ୍ଡପୁର ସ୍ଥିତ ମାଆ ଉଗ୍ରତାରା ପୀଠରୁ ଆସିଥିବା ଆଠ ଜଣିଆ ପୂଜକ ଦଳ ମାଆଙ୍କ ପୂଜା କର୍ମରେ ନିଯୁକ୍ତ ହୋଇଛନ୍ତି I ଆସନ୍ତା କାଲି ସକାଳ ନଅ ଘଣ୍ଟା ସମୟରେ ପୂର୍ଣ୍ଣାହୁତି ସହ ନାମ ଯଜ୍ଞ ସମାପନ,ଦଧି ହାଣ୍ଡି ଭଞ୍ଜନ ,ଯମୁନା ସ୍ନାନ ଏବଂ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ Iଏହି ପବିତ୍ର ଉତ୍ସବକୁ ଦେଖିବା ପାଇଁ ବେଲଗୁଣ୍ଠା ଓ ଭଞ୍ଜନଗର ବ୍ଲକର ବିଭିନ୍ନ ପ୍ରାନ୍ତରୁ ଶହ ଶହ ଶ୍ରଦ୍ଧାଳୁଙ୍କ ଆଗମନ ହେଉଛି। ମନ୍ଦିର ପରିଚାଳନା କମିଟି ସମେତ ଉଭୟ ଗ୍ରାମର ଶତାଧିକ ଯୁବ ସ୍ୱେଚ୍ଛାସେବୀ ଶୃଙ୍ଖଳା ରକ୍ଷା ଓ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରୁଛନ୍ତି। ଶ୍ରଦ୍ଧାଳୁମାନେ ନାମାମୃତ ପାନ କରିବା ସହ ମାଁଙ୍କ ଆଶୀର୍ବାଦ ଭିକ୍ଷା କରୁଛନ୍ତି।


