ବେଆଇନ ବାଲି ଚାଲାଣ ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

କଟକ,(ଓ୍ବାଇଏନଏସ): ଗାଡ଼ିର ଫିଟ୍‌ନେସ୍ ସାର୍ଟିଫିକେଟ୍ ଠିକ୍ ରହିଛି । ଗାଡ଼ି ଚାଲିବାବେଳେ କୌଣସି ପ୍ରକାର ବେଆଇନ କାର୍ଯ୍ୟ ବା କାହାରି ଜୀବନ ପ୍ରତି ବିପଦ ସୃଷ୍ଟି କରିନାହିଁ । ତେଣୁ କେବଳ ବେଆଇନ ବାଲି ଚାଲାଣ ଅଭିଯୋଗରେ ଏହିଭଳି ଗାଡ଼ିଗୁଡ଼ିକର ମୋଟର୍‌ ଯାନ ଆଇନରେ ପଞ୍ଜୀକରଣ ପ୍ରମାଣପତ୍ର (ରେଜିଷ୍ଟ୍ରେସନ ସାର୍ଟିଫିକେଟ) ନିଲମ୍ବନ କରାଯାଇ ପାରିବନାହିଁ ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି । ଏହି ପରିପ୍ରେକ୍ଷୀରେ ହାଇକୋର୍ଟ ଜଗତସିଂହପୁର ଆର୍ଟିଓଙ୍କ ଦ୍ୱାରା ବେଆଇନ ବାଲି ପରିବହନ ମାମଲାରେ ୪୬ଟି ହାଇୱାର ପଞ୍ଜୀକରଣ ପ୍ରମାଣପତ୍ର ନିଲମ୍ବନ ସଂକ୍ରାନ୍ତ ଆଦେଶକୁ ରଦ୍ଦ କରି ଦେଇଛନ୍ତି । ଅଶୋକ କୁମାର ସ୍ୱାଇଁ ଏବଂ ଅନ୍ୟମାନଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍ ବି.ପି. ରାଉତରାୟ ଏହି ଆଦେଶ ଦେଇଛନ୍ତି । ଜଗତସିଂହପୁର ଜିଲ୍ଲା କିଲିପାଳ ବାଲି ସଇରାତରୁ ବେଆଇନ ବାଲି ପରିବହନ କରାଯାଉଥିବା ଅଭିଯୋଗରେ ପୁଲିସ, ଖଣି ଏବଂ ପରିବହନ ବିଭାଗର ଏକ ମିଳିତ ଟିମ୍ ୪୬ଟି ହାଇୱା ଜବତ କରିଥିଲେ । ଏହି ଆଧାରରେ ଜଗତସିଂହପୁର ଆଞ୍ଚଳିକ ପରିବହନ ଅଧିକାରୀ (ଆରଟିଓ) ମୋଟରଯାନ ଆଇନ ଆଧାରରେ ଗାଡ଼ିଗୁଡ଼ିକର ପଞ୍ଜୀକରଣ ପ୍ରମାଣପତ୍ରକୁ ନିଲମ୍ବନ କରିଥିଲେ । ଏହାକୁ ବିରୋଧ କରି ଆବେଦନକାରୀମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ବିଭିନ୍ନ ପକ୍ଷଙ୍କୁ ଶୁଣିବା ପରେ ଆଦେଶରେ କହିଛନ୍ତି ଯେ, ଗାଡ଼ିଗୁଡ଼ିକ ଜବତ ହେବା ସମୟରେ ସେଗୁଡ଼ିକ ପାଖରେ ବୈଧ ପରମିଟ୍ ଥିଲା । ମୋଟର ଯାନ ଆଇନର ଧାରା ୫୩ ଅନୁଯାୟୀ, ଗାଡ଼ିଟି ଜନସାଧାରଣଙ୍କ ପାଇଁ ବିପଦ ସୃଷ୍ଟି କରୁଥିଲେ କିମ୍ବା ବୈଧ ପରମିଟ୍ ନଥାଇ ଭଡ଼ାରେ ଚାଲୁଥିଲେ ହିଁ ପଞ୍ଜୀକରଣ ନିଲମ୍ବନ କରାଯାଇପାରିବ । ବେଆଇନ ବାଲି ପରିବହନ ଅଭିଯୋଗରେ ଓଡ଼ିଶା ଲଘୁଖଣିଜ ଆଇନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ବୋଲି ହାଇକୋର୍ଟ କହିଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅକ୍ଷୟ କୁମାର ପାଣ୍ଡେ ମାମଲା ପରିଚାଳନା କରୁଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ