ସୁନାପଲ୍ଲୀ ଦଣ୍ଡଦଳର ଢୋଲ ବାଦ୍ୟରେ ଦୁଲୁକିଲା ବାଣିବିହାର ମୁଖ୍ୟରାସ୍ତା
ଆସିକା (ୱାଇଏନ୍ଏସ୍) : ଆସିକା ସହରର ବାଣିବିହାର ମୁଖ୍ୟରାସ୍ତାରେ ଶୁକ୍ରବାର ଧରାକୋଟ ବ୍ଳକ ଅନ୍ତର୍ଗତ ଶରାଧାପୁର ଗ୍ରାମ ପଞ୍ଚାୟତ ଅଧୀନସ୍ଥ ସୁନାପଲ୍ଲୀ ଦଣ୍ଡଦଳର ଦଣ୍ଡନୃତ୍ୟ ପରିବେଷଣ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଲକ୍ଷ୍ୟ କରାଯାଇଛି । ବାଣିବିହାର ଛକ ଅଞ୍ଚଳର ବ୍ୟବସାୟୀ ଓ ଆଧ୍ୟାତ୍ମିକ ପ୍ରେମୀ ଶୁକ୍ରବାର ପୂର୍ବାହ୍ନରେ ସୁନାପଲ୍ଲୀ ଦଣ୍ଡଦଳକୁ ବିଧିବିଧାନ ଅନୁଯାୟୀ ଆମନ୍ତ୍ରଣ କରିଥିଲେ । ପୂର୍ବାହ୍ନରେ ସୁନାପଲ୍ଲୀ ଦଣ୍ଡଦଳର ମାନସିକଧାରୀ ଦଣ୍ଡୁଆମାନେ ବାଣିବିହାର ମୁଖ୍ୟରାସ୍ତାରେ ପହଞ୍ôଚ ଦଣ୍ଡନୃତ୍ୟ ପାଳନର ରୀତିନୀତି ଉପରେ ଢୋଲ ବାଦ୍ୟର ତାଳେ ତାଳେ ଗୀତ ମାଧ୍ୟମରେ ଅବଗତ କରିବା ପରେ ପ୍ରଚଣ୍ଡ ଖରାରେ ଦଣ୍ଡୁଆମାନେ ଧୁଳିଦଣ୍ଡ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ବାଣିବିହାର ଅଞ୍ଚଳର ଆଧ୍ୟାତ୍ମିକପ୍ରେମୀ ମନୋରଞ୍ଜନ ଚୌଧୁରୀ ଓ ତାଙ୍କ ପତ୍ନୀ ସୁସ୍ମିତା ଚୌଧୁରୀ ଏହି କାର୍ଯ୍ୟକ୍ରମରେ କର୍ତ୍ତା ରୂପେ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟକୁ ନିଷ୍ଠାର ସହ ସଂପାଦନ କରିଥିବା ଦେଖିବାକୁ ମିଳିଥିଲା । ଶୁକ୍ରବାର ଅପରାହ୍ନରେ ବାଣିବିହାର ସ୍ଥିତ ରାଧାକୃଷ୍ଣ ମନ୍ଦିର ପାଶ୍ୱର୍ସ୍ଥ ଋଷିକୂଲ୍ୟା ନଦୀରେ ମାନସିକଧାରୀ ଦଣ୍ଡୁଆ ମାନେ ପାଣିଦଣ୍ଡ ସଂପନ୍ନ କରିବା ପରେ ବିଳମ୍ବିତ ରାତ୍ରରେ ଅଗ୍ନିଦଣ୍ଡ ପରିବେଷଣ ହୋଇଥିଲା । ଖମ୍ବେଶ୍ୱରୀ ପାଟଣା ସ୍ଥିତ ଶ୍ରୀ ଶ୍ରୀ ରାମେଶ୍ୱର ଶୈବପୀଠ ପରିସରରେ ସୁନାପଲ୍ଲୀ ଦଣ୍ଡଦଳର ସାଂନ୍ଧ୍ୟ ଆଳତୀ ସମୟରେ ଦେବଦେବ ମହାଦେବ ଓ ମହାମାୟୀ ମା’ କାଳୀଙ୍କୁ ପୂଜାର୍ଚ୍ଚନା କରିବା ଲାଗି ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ଜମିଥିଲା । ସୁନାପଲ୍ଲୀ ଦଣ୍ଡଦଳର ମାନସିକଧାରୀ ଦଣ୍ଡୁଆ ଓ ଶ୍ରଦ୍ଧାଳୁ ଭକ୍ତମାନେ ମା’ ଦଣ୍ଡକାଳୀଙ୍କୁ ଦର୍ଶନ କରି ବିଭୋର ହୋଇପଡିଥିଲେ । ରାତ୍ରରେ ପୌରାଣିକ ନାଟକ ଭାରତଲୀଳା ମଞ୍ଚସ୍ଥ ହୋଇଥିଲା। ସୁନାପଲ୍ଲୀ ଦଣ୍ଡଦଳରେ ମାନସିକଧାରୀ ଦଣ୍ଡଭୁକ୍ତାମାନେ ପାରମ୍ପରିକ ବସ୍ତ୍ର ପିନ୍ଧି ମୟୁର ପିଞ୍ଛ, ପତକା ଧରି ଗିନି ଓ ଢୋଲର ତାଳେ ତାଳେ ଖଟୁଳୀରେ ଶିବ, ପାର୍ବତୀ ଓ ଦଣ୍ଡକାଳୀଙ୍କୁ ଧରି କଳାରୁଦ୍ରମଣିକୁ ଭଜ ହେ ନିନାଦରେ ବାଣିବିହାର ଓ ଖମ୍ବେଶ୍ୱରୀପାଟଣା ଅଞ୍ଚଳ ପରିକ୍ରମା କରିଥିଲେ । ଐତିହ୍ୟ ସଂସ୍କୃତି ଓ ଭାଇଚାରାର ଅଞ୍ଚଳ ରୂପେ ପରିଚିତ ଥିବା ବାଣିବିହାରର ଆଧ୍ୟାତ୍ମିକପ୍ରେମୀ ଶ୍ରଦ୍ଧାଳୁ ଭକ୍ତମାନେ ନିଜନିଜ ଘର ସମ୍ମୁଖରେ ଗୋବର ଲିପି, ଝୋଟି ଆଙ୍କି ପୂର୍ଣ୍ଣ କୁମ୍ଭ ସହ ଦୀପ ଓ ଭୋଗ ବାଢି ଠାକୁରଙ୍କ ଆଶିଷ ପାଇଁ ରାସ୍ତାରେ ଦଣ୍ଡାୟମାନ ହୋଇ ଆଶିର୍ବାଦ ଭିକ୍ଷା କରିଥିବା ଦେଖିବାକୁ ମିଳିଥିଲା । ବାଣିବିହାର ଅଞ୍ଚଳର ଅଧ୍ୟାତ୍ମିକ ପ୍ରେମୀ ଓ ଶ୍ରଦ୍ଧାଳୁ ଭକ୍ତ ଏବଂ ଯୁବପିଢୀଙ୍କ ସମେତ ସ୍ଥାନୀୟ ଅଞ୍ଚଳବାସୀ ଏହି ଦଣ୍ଡଯାତ୍ରାକୁ ସୁପରିଚାଳନା କରିବା ଦିଗରେ ସକ୍ରିୟ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା।


