କବୟିତ୍ରୀ ତ୍ରିବେଣୀ ମିଶ୍ରଙ୍କୁ ରତ୍ନବଟ କବି ମଞ୍ଜୁଳ ସମ୍ମାନ
ଗୁଣପୁର(ୱାଇଏନଏସ): ଜଗତସିଂହପୁର ବିରିଡ଼ି ବ୍ଲକ୍ ଦରଡା ଶାସନ ସ୍ଥିତ ମାଳିକା ପ୍ରସିଦ୍ଧ ରତ୍ନବଟ ମହାପୁରୁଷଙ୍କ ପୀଠରେ ରତ୍ନବଟ ସାହିତ୍ୟ ଓ ସଂସ୍କୃତି ପରିଷଦ ଆନୁକୂଲ୍ୟରେ ପଞ୍ଚମ ରାଜ୍ୟ ସ୍ତରୀୟ ରତ୍ନବଟ ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ୨୪ ଓ ୨୫ ତାରିଖ ଦୁଇ ଦିନ ଧରି ପାଳିତ ହୋଇଯାଇଛି। ଏହି ଅବସରରେ ପରିଷଦ ତରଫରୁ ରାଜ୍ୟର ତିରିଶ ଗୋଟି ଜିଲ୍ଲା ମଧ୍ୟରୁ ୨୬ ଜଣ କବି, କବୟିତ୍ରୀ , ସାଧୁ ସନ୍ଥ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକାରୀ ସଭାପତି ଦେବେନ୍ଦ୍ର ସାହୁ, ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀଙ୍କ ସଭାପତିତ୍ବରେ ‘ରତ୍ନବଟ’ ପୁସ୍ତକ ଉନ୍ମୋଚିତ ହୋଇଥିଲା। ରାୟଗଡ ଜିଲ୍ଲାର ଆବାହିକା ତଥା ସାରସ୍ବତ ସାଧିକା କବୟିତ୍ରୀ ତ୍ରିବେଣୀ ମିଶ୍ରଙ୍କୁ’ ‘ରତ୍ନବଟ କବି ମଞ୍ଜୁଳ ସମ୍ମାନ’ରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସାରସ୍ବତ ଉତ୍ସବରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା କବି କବୟିତ୍ରୀମାନଙ୍କୁ କବିତା ଆସର ରେ ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଏହି ସାରସ୍ବତ ସମାରୋହରେ ମୁଖ୍ୟ ଅତିଥି ରେକୀ ମିଶନର ଶ୍ରୀ ସନ୍ଥ, ମୁଖ୍ୟ ବକ୍ତା ଡ଼ଃ. ଅଭୟ କୁମାର ନାୟକ, ଧ୍ୟାନକୁଦ ପୀଠାଧୀଶ ପ୍ରେମ ସାଗର ଅରକ୍ଷିତ ଦାସ ମହାରାଜ, ସ୍ୱାମୀ ଦିବ୍ୟାଲୋଚନ୍ ମହାରାଜା ଆଦି ଗୁରୁ ଉପସ୍ଥିତ ରହି କାର୍ଯକ୍ରମଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଏହି ଆଧ୍ୟାତ୍ମିକ ଅନୁଷ୍ଠାନ ତରଫରୁ ରାୟଗଡ଼ା ଜିଲ୍ଳାପାଇଁ କବୟିତ୍ରୀ ତ୍ରିବେଣୀ ମିଶ୍ରଙ୍କୁ ସମ୍ମାନିତ କରାଯାଇଥିବାରୁ, ତାଙ୍କୁ ରାୟଗଡ଼ା ଜିଲ୍ଲାର ବିଭିନ୍ନ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ତଥା ବୁଦ୍ଧିଜୀବୀ ମହଲ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।


