ଅପହରଣ କରିବା ସହିତ ମାଡ଼ ମାରିବା ଘଟଣାରେ ଅଭିଯୁକ୍ତ ଗିରଫ
କଟକ, (ଓ୍ବାଇଏନଏସ): ଧାର ଦେଇଥିବା ଟଙ୍କା ଫେରି ନ ପାଇବାରୁ ଜଣେ ଯୁବକଙ୍କୁ ଏସସିବି ନିକଟରୁ ଅପହରଣ କରିନେବା ସହିତ ମାଡ଼ ମାରିବା ଘଟଣାରେ ଅଭିଯୁକ୍ତକୁ ଗିରଫ କରିଛି ଚାଉଳିଆଗଞ୍ଜ ପୁଲିସ। ଗିରଫ ଅଭିଯୁକ୍ତ ଜଣକ ହେଲେ ମହାନଦୀବିହାର ଅପର୍ଣ୍ଣାନଗର ଅଞ୍ଚଳର ଶ୍ରୀକାନ୍ତ ପାତ୍ରଙ୍କ ପୁଅ ସଚିଦାନନ୍ଦ ପାତ୍ର ଓରଫ ସଚିନ(୨୩)। ଅଦାଲତ ଚାଲାଣ ପରେ ତାକୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ସୂଚନା ଅନୁଯାୟୀ ମହାନଦୀବିହାର ଅଞ୍ଚଳରେ ରହୁଥିବା ଗଞ୍ଜାମ ଜିଲା ବୁଗୁଡ଼ା ଗ୍ରାମର ରାଜେଶ ସ୍ୱାଇଁ ଟଙ୍କା ନିବେଶକରି ଅନ୍ଲାଇନରେ ବିଭିନ୍ନ ଗେମ୍ କରୁଥିଲେ। ଫଳରେ ଅଧିକ ଟଙ୍କା ଆବଶ୍ୟକ ପଡିବାରୁ ସେ ପୂର୍ବରୁ ଜଣାଶୁଣା ଥିବା ସଚିନଠାରୁ ସାଢ଼େ ୧୧ହଜାର ଟଙ୍କା ସୁଧ ଆକାରରେ ନେଇଥିଲେ। ଦୁଇମାସ ମଧ୍ୟରେ ସୁଧ ସହ ମୂଳ ଟଙ୍କା ଫେରାଇଦେବେ ବୋଲି କହିଥିଲେ। କିନ୍ତୁ ନିର୍ଦ୍ଧାରୀତ ଦିନ ଅତିକ୍ରାନ୍ତ କରିଯାଇଥିଲେ ହେଁ ସୁଧ କି ମୂଳ ଟଙ୍କା ଫେରାଇ ନଥିଲେ। ଫଳରେ ସଚିନ ଫୋନ୍କରି ତାଙ୍କୁ ଟଙ୍କା ମାଗିଥିଲେ ହେଲେ ଖେଳରେ ସବୁ ଟଙ୍କା ହାରିଯାଇଥିବାରୁ ସେ ବର୍ତ୍ତମାନ ତାହାକୁ ଫେରାଇପାରିବ ନାହିଁ ବୋଲି କହିଥିଲେ। ଗତକାଲି ରାଜେଶ କୌଣସି ଏକ କାମରେ ଏସସିବି ମେଡିକାଲ ଆଡକୁ ଯାଉଥିବାବେଳେ ବାଟରେ ସଚିନ ସହ ତାଙ୍କର ଭେଟ ହୋଇଯାଇଥିଲା। ଏହାପରେ ଟଙ୍କା କେଉଁଦିନ ଫେରାଇବ ସେ ସଂପର୍କରେ କଥାବାର୍ତ୍ତା ହେବାଲାଗି ସେ ରାଜେଶକୁ ଗାଡିରେ ବସାଇ ଅପହରଣ କରି ନିଜ ଘରକୁ ନେଇ ଆସିଥିଲା। ପରେ ସେ ତାଙ୍କୁ ଏକ ଘରେ ପୁରାଇ ନିର୍ଘାତ ମାଡ଼ ମାରିବା ଟଙ୍କା ନ ଦେଲେ ମାରି ଫିଙ୍ଗିଦେବ ବୋଲି ସଚିନ୍ ତାଙ୍କୁ କହିଥିଲେ।


