ଦଣ୍ଡଦଳର ଢୋଲ ବାଦ୍ୟରେ ଦୁଲୁକିଲା ଆର୍ବନ ବ୍ୟାଙ୍କ ରୋଡ୍
ଆସିକା (ୱାଇଏନ୍ଏସ୍): ଆସିକା ମ୍ୟୁନିସିପାଲିଟି ପରିସରଭୁକ୍ତ ୧୫ନଂ ୱାର୍ଡ ଅଧିନସ୍ଥ ଆର୍ବନ ବ୍ୟାଙ୍କ ରୋଡରେ ରବିବାର ଆସିକା ଦଣ୍ଡଦଳର ଦଣ୍ଡନୃତ୍ୟ ପରିବେଷଣ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଲକ୍ଷ୍ୟ କରାଯାଇଛି । ଆର୍ବନ ବ୍ୟାଙ୍କ ରୋଡର ମାନସିକଧାରୀ ଭକ୍ତ ତଥା ଅବସରପ୍ରାପ୍ତ ସାମରିକ କର୍ମଚାରୀ ଦେବେନ୍ଦ୍ରନାଥ ବେହେରା, ସଲିମା ବେହେରା, ସ୍ୱପ୍ନା ବେହେରା, ରାଜେନ୍ଦ୍ର କୁମାର ବେହେରା, ନାଗେଶ୍ୱର ସେଠୀଙ୍କ ସମେତ ପରିବାରବର୍ଗ ରବିବାର ପ୍ରତ୍ୟୁଷରେ ଆସିକା ଦଣ୍ଡଦଳକୁ ବିଧିବିଧାନ ଅନୁଯାୟୀ ବରଣ କରିଥିଲେ । ପୂର୍ବାହ୍ନରେ ଆସିକା ଦଣ୍ଡଦଳର ଦଣ୍ଡୁଆମାନେ ମାନସିକଧାରୀ ଅବସରପ୍ରାପ୍ତ ସାମରିକ କର୍ମଚାରୀ ଦେବେନ୍ଦ୍ରନାଥ ବେହେରାଙ୍କ ଆର୍ବନ ବ୍ୟାଙ୍କ ରୋଡ ସ୍ଥିତ ବାସଭବନ ନିକଟରେ ପହଞ୍ôଚ ଦଣ୍ଡନୃତ୍ୟ ପାଳନର ରୀତିନୀତି ଉପରେ ଢୋଲ ବାଦ୍ୟର ତାଳେ ତାଳେ ଗୀତ ମାଧ୍ୟମରେ ଅବଗତ କରିବା ପରେ ପ୍ରଚଣ୍ଡ ଖରାରେ ଦଣ୍ଡୁଆ ମାନେ ଧୁଳିଦଣ୍ଡ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଅପରାହ୍ନରେ ପ୍ରସିଦ୍ଧ ଶୈବପୀଠ ଋଷିକୁଲ୍ୟା ନଦୀତଟରେ ପ୍ରବାହିତ ପବିତ୍ର ଋଷିକୂଲ୍ୟା ନଦୀରେ ମାନସିକଧାରୀ ଦଣ୍ଡୁଆ ମାନେ ପାଣିଦଣ୍ଡ ସଂପନ୍ନ କରିବା ପରେ ଅଗ୍ନିଦଣ୍ଡ ପରିବେଷଣ ହୋଇଥିଲା । ଆସିକା ମ୍ୟୁନିସିପାଲିିଟି ଅଧୀନସ୍ଥ କୃଷ୍ଣସିଂହ ପାଠାଗାର ପରିସରରେ ଅନୁଷ୍ଠିତ ସାଂନ୍ଧ୍ୟ ଆଳତୀ ସମୟରେ ଦେବ ଦେବ ମହାଦେବ ଓ ମହାମାୟୀ ମା’ କାଳୀଙ୍କୁ ପୂଜାର୍ଚ୍ଚନା କରିବା ଲାଗି ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ଜମିଥିଲା ବେଳେ ମଧ୍ୟରାତ୍ରରେ ଆସିକା ଦଣ୍ଡ ଦଳ ପକ୍ଷରୁ ଦଣ୍ଡସୁଆଙ୍ଗ “ମିଛୁଆ ଚଢେୟା ଗପ ସରିଲା” ମଞ୍ଚସ୍ଥ ହୋଇଥିଲା । ଏହି ଦଣ୍ଡସୁଆଙ୍ଗ ମିଛୁଆ ଚଢେୟା ଗପ ସରିଲା କୁ ଦେଖିବା ଲାଗି ଯୁବପିଢୀଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ଅଞ୍ଚଳର ସଚେତନ ନାଗରିକଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଥିବା ଦେଖିବାକୁ ମିଳିଥିଲା । ଆସିକା ଦଣ୍ଡଦଳର ମହାତ୍ମ୍ୟ ଓ ସ୍ୱତନ୍ତ୍ରତା ଅନନ୍ୟ ରୂପେ ପରିଚିତ । ଆସିକାର ଦଣ୍ଡକାଳୀଙ୍କୁ ଆବାହନ କରିବା ପାଇଁ ମାନସିକଧାରୀ ଭକ୍ତଙ୍କୁ ବର୍ଷ ବର୍ଷ ଧରି ଅପେକ୍ଷା କରିବାକୁ ପଡିଥାଏ । ଆସିକା ସହରର ଅବସରପ୍ରାପ୍ତ ସାମରିକ କର୍ମଚାରୀ ଦେବେନ୍ଦ୍ରନାଥ ବେହେରା ଗତ ୨୦୧୫ ମସିହାରେ କୌଣସି କାରଣରୁ ଶାରୀରିକ ଅସୁସ୍ଥ ହୋଇପଡିଥିଲେ ଏବଂ ସଂପୁର୍ଣ୍ଣ ସୁସ୍ଥ ହେଲେ ଦଣ୍ଡଯାତ୍ରା କରିବି ବୋଲି ମନାସିଥିଲେ । ଦୀର୍ଘ ପ୍ରାୟ ୧୧ ବର୍ଷ ପରେ ଆସିକା ଦଣ୍ଡଦଳର ମା ଦଣ୍ଡକାଳୀଙ୍କ ଆଶୀର୍ବାଦ ମିଳିଥିବାରୁ ସେ ନିଜକୁ ଧନ୍ୟ ମଣିଛନ୍ତି ବୋଲି ସୂଚନା ଦେଇଛନ୍ତି । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ପାରମ୍ପରିକ ଦଣ୍ଡଯାତ୍ରା ଏକ ଆଧ୍ୟାତ୍ମିକ ପରିବେଷ ମଧ୍ୟରେ ଚାଲିଥିବା ବେଳେ ଦଣ୍ଡଦଳର ଢୋଲ ଓ ମହୁରୀ ଶବ୍ଦରେ ରାଜରାସ୍ତା ପ୍ରକମ୍ପିତ ହୋଇପଡୁଥିବା ଲକ୍ଷ୍ୟ କରାଯାଇଛି।


