ମୁଖ୍ୟରାସ୍ତାରେ ଗଦା ହୋଇଛି ନିର୍ମାଣ ସାମଗ୍ରୀ: ବଢୁଛି ଯାତାୟାତରେ ସମସ୍ୟା

ଆସିକା  (ୱାଇଏନ୍‍ଏସ୍‍): ସହରାଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କ ମୌଳିକ ଆବଶ୍ୟକତାକୁ ଅଗ୍ରାଧିକାର ଭିତ୍ତିରେ ପୂରଣ କରିବା ପାଇଁ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଭିନ୍ନ କଲ୍ୟାଣକାରୀ ଯୋଜାନା କାର୍ଯ୍ୟକାରୀ କରାଯାଉଥିଲେ ବି ଦାୟିତ୍ୱରେ ଥିବା ଅଧିକାରୀଙ୍କ ଆନ୍ତରିକତାର ଅଭାବ ଓ ଉଦାସୀନ ମନୋବୃତ୍ତି ଯୋଗୁଁ ଆସିକାର ସଦାସର୍ବଦା ଜନଗହଳିପୂର୍ଣ୍ଣ ଲକ୍ଷ୍ମୀବଜାରର କେତେକ ଅଞ୍ଚଳରେ ତାହା ଦିନକୁ ଦିନ ବାଟବଣା ହେବାରେ ଲାଗିଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଥିବା ଦେଖିବାକୁ ମିଳିଛି । ଏ ସଂପର୍କରେ ମିଳିଥିବା ସୂଚନା ଅନୁଯାୟୀ ଆସିକା ସହରର ଅନ୍ୟତମ ବ୍ୟସ୍ତବହୁଳ ୧୩ ନମ୍ବର ୱାର୍ଡର ବିନାୟକ ବଜାର ମୁଖ୍ୟରାସ୍ତାରେ ଗତ କିଛି ଦିନ ତଳେ ଆରମ୍ଭ ହୋଇଥିବା ରାସ୍ତା ନିର୍ମାଣ କାର୍ଯ୍ୟ କୌଣସି କାରଣରୁ ବନ୍ଦ ରହିଥିଲା ବେଳେ ମୁଖ୍ୟରାସ୍ତାରେ ଚିପ୍ସ ଓ ବାଲି ଗଦା ହୋଇରହିଥିବା ଯୋଗୁଁ ସାଧାରଣ ଜନତାଙ୍କ ଯାତାୟାତରେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଥିଲେ ମଧ୍ୟ ନିର୍ମାଣ ସାମଗ୍ରୀକୁ ହଟାଇବା ଦିଗରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉନଥିବା ଘଟଣାକୁ ବୁଦ୍ଧିଜୀବୀ ମହଲରେ ନାପସନ୍ଦ କରାଯାଉଥିବା ଅଭିଯୋଗ ହେଉଛି । ରାସ୍ତା ଉପରେ ବାଲି, ଗୁଡି, ଇଟା ପଥର ଗଦା କରିବା ବେନିୟମ କାର୍ଯ୍ୟ ହୋଇଥିଲା ବେଳେ ଆସିକାର ଲକ୍ଷ୍ମୀବଜାର ଅଞ୍ଚଳରେ ତାହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି । ସହରର ୧୩ ନମ୍ବର ୱାର୍ଡର ସଦାସର୍ବଦା ବ୍ୟସ୍ତବହୁଳ ତଥା ଜନଗହଳିପୂର୍ଣ୍ଣ ଲକ୍ଷ୍ମୀବଜାର ମୁଖ୍ୟରାସ୍ତାରେ ଚିପ୍ସ ଓ ବାଲି ସମେତ ଅନ୍ୟାନ୍ୟ ସାମଗ୍ରୀ ମହଜୁଦ ହୋଇରହିଥିବା ଯୋଗୁଁ ଜନସାଧାରଣ ଓ ବାଇକ୍‍ ଚାଳକ ଯାତାୟାତ ବେଳେ ନାନା ହଟହଟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ସଚେତନ ନାଗରିକ ଓ ବୁଦ୍ଧିଜୀବୀ ଏହି ଘଟଣାକୁ ନାପସନ୍ଦ କରୁଥିଲା ବେଳେ କାହାକୁ କହିବୁ ଶୁଣିବ ବା କିଏ ଭାବି ନୀରବ ରହିଯାଉଥିବା ଚର୍ଚ୍ଚା ହେଉଛି । ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ ପ୍ରାୟ ଏକ ସପ୍ତାହ ହେଲା ସହରର ବ୍ୟସ୍ତବହୁଳ ଲକ୍ଷ୍ମୀବଜାର ମୁଖ୍ୟରାସ୍ତା ପାଶ୍ୱର୍ରେ ନିର୍ମାଣ ସାମଗ୍ରୀ ମହଜୁଦ ହୋଇ ରହିଥିଲା ବେଳେ ଜନସାଧାରଣଙ୍କ ଗମନାଗମନ ତଥା ଯାତାୟାତର ପଥକୁ ସୁଗମ କରିବା ଲାଗି ସେଗୁଡିକୁ ଅପସାରଣ କରିବା ଦିଗରେ ପଦକ୍ଷେପ ନିଆନଯିବା ଅନ୍ତରାଳରେ କି ରହସ୍ୟ ରହିଛି ଓ କାହାର ଆଶୀର୍ବାଦରେ ଏଭଳି ବେନିୟମ କାର୍ଯ୍ୟ ଚାଲିଛି ତାହାକୁ ନେଇ ନାନା କଥା ଚର୍ଚ୍ଚା ହେଉଛି । ଆସିକା ସହରର ବ୍ୟସ୍ତବହୁଳ ଲକ୍ଷ୍ମୀବଜାର ମୁଖ୍ୟରାସ୍ତାକୁ ଅତିକ୍ରମ କରି ବହୁ ରାଜନେତାଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବିଭାଗର ପ୍ରଶାସନିକ ଅଧିକାରୀ ଯାତାୟାତ କରୁଥିଲେ ମଧ୍ୟ ରାସ୍ତାର ଦୂରାବସ୍ତା ଦେଖି ସବୁ ଜାଣି ନୀରବ ରହିବା ଘଟଣାକୁ ନେଇ ବିଭିନ୍ନ ମହଲରେ ନାନା କଥା ଚର୍ଚ୍ଚା ହେଉଛି । ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଆସିକା ସହରର ବ୍ୟସ୍ତବହୁଳ ଲକ୍ଷ୍ମୀବଜାର ମୁଖ୍ୟରାସ୍ତାରେ ମହଜୁଦ ହୋଇରହିଥିବା ନିର୍ମାଣ ସାମଗ୍ରୀକୁ ତୁରନ୍ତ ଅନ୍ୟତ୍ର ଅପସାରଣ କରି ସାଧାରଣ ଜନତାଙ୍କ ଗମନାଗମନର ପଥକୁ ସୁଗମ କରିବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢ ଦାବୀ ହେଉଥିବା ଲକ୍ଷ୍ୟ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ