କବିସୂର୍ଯ୍ୟ ସ୍ମୃତି ପରିଷଦ ପକ୍ଷରୁ ଆଲୋଚନା ସଭା
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଦିଗପହଣ୍ଡି ଏନଏସି ଅଧ୍ୟକ୍ଷ ଙ୍କ ପ୍ରକୋଷ୍ଠରେ ରବିବାର ମଧ୍ୟାହ୍ନରେ ଦିଗପହଣ୍ଡି ସ୍ଥିତ କବିସୂର୍ଯ୍ୟ ସ୍ମୃତି ପରିଷଦ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।ସ୍ମୃତି ପରିଷଦ ସମ୍ପାଦକ ତଥା ଆଇନଜୀବି କୁରେଶୁ ପଣ୍ଡା ଙ୍କ ସଂଯୋଜନାରେ ଆୟୋଜିତ ସଭାରେ ଅନୁଷ୍ଠାନର ସଭାପତି ତଥା ଆଇନଜୀବି ଅଶେଷ ନାଥ ମିଶ୍ର ଅଧ୍ୟକ୍ଷତା କରିଥିଲେ।କବିସୂର୍ଯ୍ୟ ବଳଦେବ ରଥ ତତ୍କାଳୀନ ବଡ଼ଖେମୁଣ୍ଡିି ର ଯୋଗଜନ୍ମା ପୁରୁଷ। ସେ ୧୭୮୯ ମାଘ ମାସ ଶ୍ରୀ ପଞ୍ଚମୀ ତିଥି ରେ ତତ୍କାଳୀନ ବଡ଼ଖେମୁଣ୍ଡିି ରାଜ୍ୟର ରାଜଧାନୀ ବିଜୟନଗର ଗଡ ରେ ଜନ୍ମ ଗ୍ରହଣ କରିଥିଲେ। ଗତ ୧୮୪୫ ବୈଶାଖ ଶୁକ୍ଳ ଅକ୍ଷୟ ତୃତୀୟା ତିଥି ରେ ବ୍ରହ୍ମପୁର ଗୌଡ଼ ସାହି ସ୍ଥିତ ଭଡ଼ା ଘରେ ମହାପ୍ରୟାଣ ଘଟିଥିଲା। ତାଙ୍କ ତିରୋଧାନ ଦିବସ ଅବସରରେ ଆସନ୍ତା ଏପ୍ରିଲ ୨୦ ତାରିଖ ବୈଶାଖ ମାସ ଶୁକ୍ଳପକ୍ଷ ପବିତ୍ର ଅକ୍ଷୟ ତୃତୀୟା ତିଥିରେ ସ୍ମୃତି କମିଟି ପକ୍ଷରୁ କବିସୂର୍ଯ୍ୟ ଙ୍କ ଜନ୍ମପୀଠ ଦିଗପହଣ୍ଡି ବ୍ଲକ ଖମାରିଗାଁ ପଞ୍ଚାୟତ ବିଜୟନଗର ଗଡ ଠାରେ କବିସୂର୍ଯ୍ୟ ଙ୍କ ଶ୍ରାଦ୍ଧୋତ୍ସବ ମହାସମାରୋହରେ ପାଳନ କରାଯିବା ନିମନ୍ତେ ସଭାରେ ସର୍ବସମ୍ମତ ନିଷ୍ପତ୍ତି ଗୃହୀତ କରାଯାଇଥିଲା ।ସେହିପରି ଖେମୁଣ୍ଡି ଉନ୍ନୟନ ମଞ୍ଚ ପକ୍ଷରୁ ଆଲୋଚନା କରାଯାଇ ଦିଗପହଣ୍ଡି,କୁକୁଡ଼ାଖଣ୍ଡି ଓ ସାନଖେମୁଣ୍ଡି ଅଞ୍ଚଳର ବହୁବିଧ ବିକାଶ ନିମନ୍ତେ ଗଞ୍ଜାମ ଜିଲା ଗୋପାଳପୁର ଠାରୁ ଭାୟା ବାଲିପଡ଼ା, ଦିଗପହଣ୍ଡି,ଭୀଷ୍ମଗିରି ଦେଇ ରାୟଗଡ଼ା ଜିଲ୍ଲା ସିଙ୍ଗାପୁର ଯାଏଁ ନୂଆ ରେଳ ଲାଇନ୍ ନିର୍ମାଣ, ଜାତୀୟ ଜଳପଥ – ୫ କୁ ସମ୍ପ୍ରସାରଣ କରି ଭାୟା ଆସିକା,ଦିଗପହଣ୍ଡି ଦେଇ ପ୍ରସ୍ତାବିତ ଚିକିଟି ବାହୁଦା ବନ୍ଦର ସହ ସଂଯୋଗ କରାଯିବା।ଦିଗପହଣ୍ଡି ଠାରୁ ଭାୟା ଖମାରିଗାଁ ଉଜ୍ଜଳେଶ୍ୱର ଶୈବପୀଠ ଦେଇ ଗଜପତି ଜିଲ୍ଲା ମାଙ୍କଡଡିଆଁ ଜଳପ୍ରପାତ ଠାରୁ ପର୍ଯ୍ୟଟନ କ୍ଷେତ୍ର ମହେନ୍ଦ୍ରଗିରି ଯାଏଁ ପକ୍କାରାସ୍ତା ନିର୍ମାଣ।ସାନଖେମୁଣ୍ଡି ବ୍ଲକ ଶୁଣ୍ଡିପଲ୍ଲୀ ନିକଟ ରେ ଘୋଡ଼ାହାଡ଼ ନଦୀ ରେ ବ୍ୟାରେଜ ନିର୍ମାଣ କରି ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳ ଗୁଡ଼ିକୁ ପାନୀୟ ଜଳ ଯୋଗାଣ କରାଯିବା। ଦିଗପହଣ୍ଡି ସହର ଉପକଣ୍ଠ ଦକ୍ଷିଣ ଓ ଉତ୍ତର ପାର୍ଶ୍ଵ ରୁ ବାଇପାସ୍ ରାସ୍ତା ନିର୍ମାଣ କରାଯିବା ପ୍ରଭୃତି ବିଭିନ୍ନ ଦାବି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇ ସଭାରେ ବିଧିବଦ୍ଧ ପ୍ରସ୍ତାବ ଗୃହୀତ କରାଯାଇଥିଲା। ଏନଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା,ଦକ୍ଷିଣ ଓଡ଼ିଶା ବିକାଶ ସମିତି ର ସଭାପତି ତଥା ଅବସରପ୍ରାପ୍ତ କେନ୍ଦ୍ରୀୟ ପ୍ରଶାସକ ଡ଼. ବାଳକୃଷ୍ଣ ପଣ୍ଡା, କବି ବୃନ୍ଦାବନ ପଣ୍ଡା, ଜିଲା ପରିଷଦ ସଦସ୍ୟ ରାଧାକାନ୍ତ ମହାଙ୍କୁଡ଼,ବିଚିତ୍ର ବର୍ଣ୍ଣାଳି ନାଟ୍ୟ ସଂସଦ ସମ୍ପାଦକ ଆଲୋକ ବିଷୋୟୀ,ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ଜଗବନ୍ଧୁ ମିଶ୍ର, ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ପ୍ରସାଦ ପାଠୀ,ପିତାମ୍ବର ଗୌଡ଼,ପ୍ରଶାନ୍ତ କୁମାର ପାଣି, ସରପଞ୍ଚ ପ୍ରତିନିଧି ଚିତ୍ରସେନ ଗୌଡ଼,ଶିବରାମ ପ୍ରଧାନ, ରବିଚନ୍ଦ୍ର ଗୌଡ଼,ସାମାଜିକ କର୍ମୀ ଶୁଭେନ୍ଦୁ ପାଢ଼ୀ,ସୁଜିତ କୁମାର ତ୍ରିପାଠୀ, ଆଇନଜୀବି ନକୁଳ ପ୍ରଧାନ,ପି.ଶିବଶଙ୍କର,ବାଲ୍ମୀକି ବେହେରା,ତ୍ରିନାଥ ଗୌଡ଼, ସିମାଞ୍ଚଳ ଗୌଡ଼ ଙ୍କ ସମେତ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।


