ପ୍ରସିଦ୍ଧ ପାଟୁଆ ଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ
ହାଟଡିହି, (ଓ୍ବାଇଏନଏସ): ହାଟଡିହିର ତେଲୁଗା ହାଟ ନିକଟରେ ହନୁମାନ ଜୟନ୍ତୀ ଓ ପ୍ରସିଦ୍ଧ ପାଟୁଆଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଥିପାଇଁ ସମଗ୍ର ହାଟଡିହି ଅଞ୍ଚଳଟି ଉତ୍ସବ ମୁଖରିତ ହୋଇଉଠିଛି । ଗତକାଲି ସକାଳୁ ଘଟୋତ୍ତଳାନ କରାଯାଇ ହନୁମାନଙ୍କ ପୂଜାର୍ଚ୍ଚନା କରାଯାଇଥିବା ବେଳେ ଆଜି ଶତାଧିକ ମାନସିକ ଧାରୀମାନେ ପାଟୁଆ ଯାତ୍ରାରେ ସାମିଲ ହୋଇ ଜିଭ, ପେଟ ଫୋଡାଇ ମାନସିକ ପୂରଣ କରିଛନ୍ତି। ପଣାସଂକ୍ରାନ୍ତି ପରଦିନ ଭୋର ୪ଟାବେଳେ ଶହଶହ ଶ୍ରଦ୍ଧାଳୁ ମା’ ପଞ୍ଚଘଟଙ୍କ ପାଖରେ ପୂଜାର୍ଚ୍ଚନା କରିବା ସହ ପୂର୍ବ ପ୍ରଥା ଅନୁସାରେ କୁକୁଡା ବଳି ପକାଇଥିଲେ। ହରିହର ଦେହୁରୀ ମା ଙ୍କ ନିକଟରେ ଵିଧି ଅନୁଯାଇ ପୂଜାର୍ଚ୍ଚନା କରିଥିଲେ। ପୂଜାପରେ ପାଟୁଆମାନେ ଜିଭ ଫୋଡାଇ ମାନସିକ ପୂରଣ କରିବା ସହ ଗାଁ ଗାଁ ବୁଲି ମାଗଣ କରିଥିଲେ। ସୂଚନା ଅନୁସାରେ, କାହିଁ କେଉଁ ଯୁଗରୁ ଏହି ପର୍ବ ଅନୁଷ୍ଠିତ ହୋଇ ଆସୁଥିବାବେଳେ ପ୍ରଥା ଅନୁସାରେ ନିକଟସ୍ଥ କପୁଣ୍ଡି ଗ୍ରାମର ସେତେବଳେର ଜମିଦାର ଜେନା ପରିବାର ପକ୍ଷରୁ ମାଙ୍କର ପୂଜା କରାଯାଇ ଆସୁଅଛି। ବର୍ଷ ସାରା ତାଙ୍କ ଘରେ ଠାକୁରାଣୀଙ୍କୁ ରଖାଯାଇ ପୂଜାର୍ଚ୍ଚନା କରାଯାଉ ଥିବାବେଳେ କେବଳ ପଣାସଂକ୍ରାନ୍ତିର ଦୁଇଦିନ ପୂର୍ବରୁ ଆଜ୍ଞମାଳ ନିଆଯାଇ ୫ଟି ଘଟ ସହିତ ମାଙ୍କୁ ଏଠାକୁ ଅଣାଯାଇ ସମସ୍ତ ରୀତିନୀତି ମତେ ପୂଜାର୍ଚ୍ଚନା କରାଯାଇଥାଏ । ପୂଜାପରେ ପୁନଶ୍ଚ ମାଙ୍କୁ କପୁଣ୍ଡି ଗ୍ରାମକୁ ଫେରାଇ ନିଆଯାଇଥାଏ । ଏଠାରେ ଜିଭପୋଡା ଓ ପିଠି ଫୋଡା ଦେଖିବାପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଆଧୁନିକ ସମାଜ ପାଇଁ ଏହା ଗ୍ରହଣୀୟ ହୋଇ ନଥିଲେ ମଧ୍ୟ ଏହା ଲୋକଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ ଭାବେ ରହି ଆସିଛି। ମାନସିକ ପୂରଣ ପାଇଁ ଅନେକ ଭକ୍ତ ପେଟରେ କଣ୍ଟା ପୋଡି ମା’ଙ୍କ ଶ୍ରଦ୍ଧା ସୁମନ ଅର୍ପଣ କରିଥାନ୍ତି। ଚନ୍ଦ୍ରଧ୍ଵଜ ସାହୁ, ତପନ ମହାଳିକ, ଶୁଶାନ୍ତ ବୈଠା, ରମେଶ ବେହେରା, ସିପୁନୁ ପୃଷ୍ଟି, ବିକାଶ ସେଠୀ, ଜଗନ୍ନାଥ ପୃଷ୍ଟି, ଚନ୍ଦନ କୁମାର ସାହୁ, ବାବୁଲି ସାହୁ, ଅଜୟ ସାହୁ, ମାନସ ବେହେରା, ନିତ୍ୟାନନ୍ଦ ପୃଷ୍ଟି, ଭାବଗ୍ରାହୀ ସାହୁ, ଶୁଭମ୍ ବୈଠା, ଆକାଶ ଵୈଠା, ରାଜା ମଣ୍ଡଳ, କାହ୍ନା ବେହେରା, ଶ୍ରୀତମ ସାହୁ, ଯଦୁମଣି ମୁଦୁଲି, ସୌମ୍ୟ ରଞ୍ଜନ ସାହୁ, ବାବୁଲି ଜେନା, ଦିଲ୍ଲିପ ନାୟକ, ବିଜୁ ଜେନା, ଚୈତନ୍ୟ ବେହେରା, ତପନ ସାହୁ, ସିପୁ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଆସନ୍ତା କାଲି ଅଗ୍ନି ପାଟୁଆ ଓ ଘୋଡ଼ା ନାଚ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।


