ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷାଙ୍କ ଦାୟିତ୍ୱ ଗ୍ରହଣ

ଛତ୍ରପୁର,  (ଚିତ୍ତ ରଞ୍ଜନ ଦାଶ): ଗଞ୍ଜାମ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ର ନୂତନ ଅଧ୍ୟକ୍ଷ ଭାବେ ନୀଳମାଧବ ପାତ୍ର ଓ ଉପାଧ୍ୟକ୍ଷା ଲଳିତାପ୍ରଧାନ ଆଜି ଛତ୍ରପୁର ଅବସ୍ଥିତ ପୁରୁଣା ଡିଆରଡିଏ କାର୍ଯ୍ୟାଳୟରେ ଔପଚାରିକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ୱ ଗ୍ରହଣ ସମୟରେ କାର୍ଯ୍ୟାଳୟର କର୍ମଚାରୀ ଓ କର୍ମୀମାନେ ପୁଷ୍ପଗୁଚ୍ଛ ପ୍ରଦାନ କରି ସେମାନଙ୍କୁ ଅଭିନନ୍ଦନ ଜଣାଇଥିବା ବେଳେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ, ଗଞ୍ଜାମ ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ଗଞ୍ଜାମ ଜିଲ୍ଲା ର ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ ) ଡ଼ଃ ପ୍ରମୋଦ କୁମାର ପୃଷ୍ଟି  ଉତ୍ତରୀୟ ପ୍ରଦାନ କରି ଶୁଭେଚ୍ଛା ଜଣାଇଥିଲେ । ଏହି ଅବସରରେ କବିସୂର୍ଯ୍ୟନଗର ବିଧାୟକ  ପ୍ରତାପ ନାୟକ, ଖଲିକୋଟ ବିଧାୟକ  ପୁର୍ଣ୍ଣଚନ୍ଦ୍ର ସେଠୀ, ସୋରଡ଼ା ବିଧାୟକ ନୀଳମଣୀ ବିଷୋଇ,  ଗଞ୍ଜାମ ଜିଲ୍ଲା ଭାଜପା ସଭାପତି  ସରୋଜ ସାବତ,ଆସ୍କାଘୁମୁସର ସାଙ୍ଗଠନିକ ଜିଲ୍ଲା ସଭାପତି ବିଜୟ ସ୍ୱାଇଁ,ରାଜ୍ୟ ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ତୁତୁନ ପାତ୍ର,ଗଞ୍ଜାମ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ସୋମନାଥ ପାତ୍ର, ଭାଜପା ଗଞ୍ଜାମ ଜିଲ୍ଲା ସାଧାରଣ ସମ୍ପାଦକ ପଦ୍ମ ଚରଣ ସାହୁ, ଜିଲ୍ଲା ସମ୍ପାଦକ ବସନ୍ତ କୁମାର ବେହେରା, ପି. ଧର୍ମା ରେଡ୍ଡୀ, କଣମଣା ମଣ୍ଡଳ ସଭାପତି ଏନ. ଦିନବନ୍ଧୁ, ପି. ରାମବାବୁ ଙ୍କ ସହିତ ଘୁମୁସର ଅଞ୍ଚଳର ବିଭିନ୍ନ ସଂଗଠନର ନେତା ଓ ଯୁବ କର୍ମୀମାନେ ଉପସ୍ଥିତ ରହି ନୂତନ ଦାୟିତ୍ୱ ପାଇଁ ସ୍ୱାଗତ ଜଣାଇଥିଲେ। ଏହି ଅବସରରେ ପ୍ରତିକ୍ରିୟା ରଖି ଅଧ୍ୟକ୍ଷ ଶ୍ରୀ ପାତ୍ର ଏବଂ ଉପାଧ୍ୟକ୍ଷା ଶ୍ରୀମତୀ ପ୍ରଧାନ କହିଥିଲେ ଯେ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଜିଙ୍କ ସହ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀଙ୍କର ମୋ ପ୍ରତି ଥିବା ବିଶ୍ୱାସ ପାଇଁ ସେ ଆଭାରୀ ଓ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱକୁ ସମ୍ପୂର୍ଣ୍ଣ ନିଷ୍ଠା ସହ ପାଳନ କରିବେ। ବିଶେଷ କରି ଜିଲ୍ଲାର ତଳସ୍ତରରେ ରହୁଥିବା ବଞ୍ଚିତ ଓ ପଛୁଆ ବର୍ଗର ଲୋକମାନଙ୍କ ପାଖରେ ସରକାରୀ ସମସ୍ତ ଯୋଜନା ଓ ସୁବିଧା ପହଞ୍ଚାଇବାକୁ ପ୍ରାଥମିକତା ଦିଆଯିବ ବୋଲି ସେ କହିଥିଲେ। ଜିଲ୍ଲାରେ ଥିବା ଦୁଇଜଣ ମନ୍ତ୍ରୀ, ସମସ୍ତ ବିଧାୟକ ଓ ତିନିଜଣ ସାଂସଦଙ୍କ ସହ ସମନ୍ୱୟ ରଖି ସମସ୍ତଙ୍କୁ ନେଇ ଉନ୍ନୟନ କାର୍ଯ୍ୟକୁ ଗତିଶୀଳ କରାଯିବ ବୋଲି ସେ ଉଲ୍ଲେଖ କରିଥିଲେ। ତଳସ୍ତରରେ ଅବହେଳିତ ଲୋକମାନଙ୍କୁ ମୁଖ୍ୟଧାରାରେ ସାମିଲ କରିପାରିବାକୁ ସେ ତାଙ୍କର ପ୍ରଥମ ଲକ୍ଷ୍ୟ ବୋଲି କହିଥିବା ବେଳେ ନୂତନ ନେତୃତ୍ୱ ଆସିବା ସହିତ ଜିଲ୍ଲାର ସମଗ୍ର ଉନ୍ନୟନ କାର୍ଯ୍ୟ ଆହୁରି ଗତିଶୀଳ ହେବ ବୋଲି ସାଧାରଣ ମହଳରେ ଆଶା ପ୍ରକାଶ ପାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ