ନୂତନ ବ୍ରହ୍ମତାଳଧ୍ୱଜ ରଥ ପାଇଁ କାଠ ପହଞ୍ଚିଲା ରଥଖଳାରେ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ନୂତନ ବ୍ରହ୍ମତାଳଧ୍ୱଜ ରଥ ନିର୍ମାଣ ପାଇଁ ଆଜି ପ୍ରଥମ ପର୍ଯ୍ୟାୟରେ କାଠ ଆସି ପହଞ୍ଚିଛି ରଥଖଳାରେ। ଏହି ରଥ କାଠ ୩ଟି ଟ୍ରଲରରେ ଆସି ପହଞ୍ଚିଛି। ଶ୍ରୀବଳଦେବଜୀଉ ଦେବୋତ୍ତର ଟ୍ରଷ୍ଟବୋର୍ଡର ଅଧ୍ୟକ୍ଷ ତଥା କେନ୍ଦ୍ରାପଡା ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନାଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ ଏହା ସମ୍ଭବ ହୋଇପାରିଛି। ନୂତନ ରଥ ନିର୍ମାଣ ପାଇଁ ପ୍ରାୟ ୩ହଜାର ଘନଫୁଟ କାଠର ଆବଶ୍ୟକତା ଥିବା ବେଳେ ଏହି କାଠ ପ୍ରାୟ ୨ହଜାର ଘନଫୁଟର ହେବ। ଏହି କାଠ କଟକ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ଅଧିନ ଯାଜପୁର ଜିଲ୍ଲାର ଟମକା ଓ ସୁକିନ୍ଦା ବନାଞ୍ଚଳରୁ ଆସିଛି। ଆଉ ଏକ ହଜାର ଘନଫୁଟ କାଠ ଅଣାଯିବା ପାଇଁ ରାଜ୍ୟର ବିଭିନ୍ନ ରେଞ୍ଜ୍ ଅଧିକାରୀଙ୍କ ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଗାଯୋଗ ଜାରିରହିଛି। ଚଳିତମାସ ୪ତାରିଖରେ ପ୍ରଥମେ ରଥ ଅନ୍ୱେଷଣ କମିଟି ସଦସ୍ୟମାନେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜେନାଙ୍କ ନେତୃତ୍ୱରେ କାଠ ସଂଗ୍ରହ ନିମନ୍ତେ ଯାଇଥିଲେ। ପରେ ୧୦ତାରିଖରେ କମିଟି ରଥକାଠ ପାଇଁ ଯାଇଥିଲା। ପୁନର୍ବାର ୧୮ତାରିଖରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜେନାଙ୍କ ନେତୃତ୍ୱରେ ଅନ୍ୱେଷଣ କମିଟି ସଭ୍ୟ ନିରଞ୍ଜନ ମେକାପ, ଧିରେନ କୁମାର ସାହୁ, ରଘୁନାଥ ମହାରଣା, ଉମାକାନ୍ତ ବଳ ପ୍ରମୁଖ ଟମକା ଓ ସୁକିନ୍ଦା ବନାଞ୍ଚଳ ରେଞ୍ଜର ଜଙ୍ଗଲକୁ ଯାଇ ବନ ବିଭାଗ ଅଧିକାରୀଙ୍କ ଅନୁମତି କ୍ରମେ କାଠ କଟାଇବା ପରେ କଟା କାଠଖଣ୍ଡକୁ ଆଣି କେନ୍ଦ୍ରାପଡା ତୁଳସୀକ୍ଷେତ୍ରାଧିପତି ଶ୍ରୀଜୀଉଙ୍କ ରଥଖଳାରେ ପହଞ୍ଚାଇଛନ୍ତି। ସେଠାରେ ପ୍ରାୟ ସାତଦିନ ଧରି ରହି ବିଭିନ୍ନ ବାଧାବିଘ୍ନ ସତ୍ୱେ ସମସ୍ତ କାର୍ଯ୍ୟ ସମାପନ କରି ରଥକାଠ ନେଇ ଫେରିଛନ୍ତି ସଦସ୍ୟମାନେ। ପ୍ରଭୁ ଶ୍ରୀଜୀଉଙ୍କ ଆଶିର୍ବାଦରୁ ଏହା ସମ୍ଭବ ହୋଇପାରିଛି ବୋଲି ଟ୍ରଷ୍ଟବୋର୍ଡ ସଦସ୍ୟ ଧିରେନ ସାହୁ କହିଛନ୍ତି।


