ବାଲିଘାଇ ଆକାଶ ଜେନା ହତ୍ୟା ଘଟଣା: ଗ୍ରାମବାସୀଙ୍କ ପକ୍ଷରୁ ଶବ ରଖି ରାସ୍ତା ଅବରୋଧ

ପୋଲସରା, (ଅନୀଲ କୁମାର ମହାରଣା) : ପୋଲସରା ମୁନିସିପାଲଟିର ୫ ନଂ ୱାର୍ଡ ବାଲିଘାଇ ଗ୍ରାମରେ ୨୫-୪-୨୬ ତାରିଖ ରାତ୍ରି ପ୍ରାୟ ୧୧ ଘଣ୍ଟା ସମୟରେ ସେହି ଗ୍ରାମର ସନ୍ତୋଷ ଜେନାଙ୍କ ପୁତ୍ର ରିଙ୍କୁ ଜେନାଙ୍କ ବାହାଘର ଶୋଭାଯାତ୍ରା ସମୟରେ ରିଙ୍କୁଙ୍କ ସାନ ଭାଇ ଆକାଶ ଜେନା (୨୪)ଙ୍କୁ ସେହି ଗ୍ରାମର ଗୌରହରି ବିଷୋୟୀ ଓ କିଛି ଯୁବକ ଅତର୍କିତ ଆକ୍ରମଣ କରି ପେଟକୁ ଭୁଷିଷି ମରଣାନ୍ତକ ଆକ୍ରମଣ କରି ସେଠାରୁ ପଳାଇ ଯାଇଥିଲେ। ସଙ୍ଗେ ସଙ୍ଗେ ଗୁରୁତର ଆକାଶଙ୍କୁ ପରିବାର ଓ ଗ୍ରାମବାସୀ ପ୍ରଥମେ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଡାକ୍ତରଙ୍କ ପରାମର୍ଶ କ୍ରମେ ବ୍ରହ୍ମପୁର ଏମକେସିଜି ହସ୍ପିଟାଲକୁ ଚିକିତ୍ସା ପାଇଁ ନେଇଥିଲେ। ପରଦିନ ୨୬-୪-୨୬ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ଆକାଶ ଜେନାଙ୍କ ମୃତ୍ୟୁ ଘଟିଥିଲା। ସନ୍ଧ୍ୟା ସମୟରେ ଆକାଶ ଜେନାଙ୍କ ମର ଶରୀର ମହାପ୍ରୟାଣ ଗାଡ଼ିରେ ଆସି ପହଞ୍ଚିବାପରେ ଗ୍ରାମରେ ଉତ୍ତେଜନା ବାତାବରଣ ସୃଷ୍ଟି  ହୋଇଥିଲା। ପରେ ସନ୍ଧ୍ୟା ପ୍ରାୟ ସାଢ଼େ ସାତଟା ସମୟରେ ଶବ ଥିବା  ଆମ୍ବୁଲାନ୍ସ ଗାଡି ସହ ମୃତକଙ୍କ ପରିବାର ଓ ଗ୍ରାମବାସୀ ବୃନ୍ଦ ପୋଲସରା ବାଲିଘାଇ ଫରେଷ୍ଟ କଲୋନୀ ଛକ ମୁଖ୍ୟ ରାସ୍ତାରେ ଶବ ରଖି ଓ ଟାୟାର ଜାଳି ମୁଖ୍ୟରାସ୍ତା ଅବରୋଧ କରିଥିଲେ। ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତ ହତ୍ୟାକାରୀ ଓ ସମସ୍ତ ଅଭିଯୁକ୍ତମାନଙ୍କୁ ଅବିଳମ୍ବେ ଗିରଫ କରି ଫାଶୀ ଦେବାକୁ ଦାବୀ କରିଥିଲେ। ଏହି ପ୍ରତିବାଦ ଧାରଣା ରାତ୍ର ପ୍ରାୟ ୧୨ଟା ପର୍ଯ୍ୟନ୍ତ ଚାଲିଥିଲା। ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ  ପୋଲସରା ଥାନା ଆଇଆଇସି କୌଶିକ୍ ମାଝୀ, ବୁଗୁଡ଼ା  ଆଇଆଇସି ସିତାଂଶୁ ଶେଖର ମାନ୍ଧାତା , କୋଦଳା ଆଇଆଇସି ଓ କବିସୂର୍ଯ୍ୟନଗର ଆଇଆଇସି ବୃନ୍ଦଙ୍କ ନେତୃତ୍ୱରେ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ପୁରୁଷୋତ୍ତମପୁର ପୋଲିସ ଏସଡିପିଓ ସୁଜିତ କୁମାର ନାୟକ, ମାଜିଷ୍ଟ୍ରେଟ ତଥା ପୋଲସରା ତହସିଲଦାର ଦିପ୍ତିମୟୀ ପାତ୍ରଙ୍କ ସମେତ ପୋଲସରା ଏନଏସିର ପୂର୍ବତନ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ପ୍ରଧାନ ପହଞ୍ଚି ମୃତକଙ୍କ ପରିବାର ଓ ଗ୍ରାମବାସୀଙ୍କୁ  ବୁଝାସୁଝା କରି ଧାରଣା ପ୍ରତ୍ୟାହୃତ କରିବାରେ ସଫଳ ହୋଇଥିଲେ। ଆସନ୍ତା ୨୯ ତାରିଖ ସୁଧା ପୂର୍ବରୁ ଅଟକ ୪ ଜଣଙ୍କ ସମେତ ଫେରାରଥିବା ଅନ୍ୟ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପ୍ରତିଶୃତି ଦେଇଥିଲେ। ମୃତକଙ୍କ ଅନ୍ତେଷ୍ଟି ଓ ଶୁଦ୍ଧକ୍ରିୟା କାର୍ଯ୍ୟ ପାଇଁ ରେଡ କ୍ରସ୍ ପାଣ୍ଠିରୁ ପଚାଶ ହଜାର ଅର୍ଥରାଶି ମୃତକଙ୍କ ପରିବାରକୁ ଦିଆଯାଇଥିଲା। ମୃତକଙ୍କ ମାତା ଗୀତାଞ୍ଜଳି ଜେନା ଥାନାରେ ଦେଇଥିବା ଏତଲା ପ୍ରକାରେ ବାଲିଘାଇ ଗ୍ରାମର ଗୌରହରି ବିଷୋୟୀଙ୍କ ସମେତ ଅନେକ ବ୍ୟକ୍ତି ମିଶି ତାଙ୍କର ସାନ ପୁଅ ଆକାଶର ହତ୍ୟା ଘଟଣାରେ ସଂପୃକ୍ତ ଥିବା ଦର୍ଶାଇ ତୁରନ୍ତ ଗିରଫ କରାଯାଇ ଫାଶୀ ଦଣ୍ଡ  ଦେବାକୁ ଦାବୀ କରି ଅଭିଯୋଗ ଦେବା ପରେ ପୋଲସରା ପୋଲିସ ଥାନା କେସ ନଂ ୨୩୮/୨୬ ପ୍ରକାରେ ଏକ ମାମଲା ରୁଜୁ କରାଯାଇଥିଲା। ଘଟଣାର ତଦନ୍ତ ଜାରି ରହିଛି ବୋଲି ଆଇଆଇସି କୌଶିକ୍ ମାଝୀ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ