ଅଭିଯୋଗ ଶୁଣାଣି ଶିବିରରେ ଅଫିସରମାନଙ୍କ ଅନୁପସ୍ଥିତି କାହିଁକି ?
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ୍ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଗ୍ରାମ୍ୟମୁଖୀ ପ୍ରଶାସନର ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ଜିଲ୍ଲାସ୍ତରୀୟ କେତେକ ଅଫିସରଙ୍କ ଅନୁପସ୍ଥିତିକୁ ନେଇ ଶିବିରରେ ପ୍ରଶ୍ନ ଉଠିଥିଲା. ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ସମସ୍ତ ଅଧିକାରୀ ଉପସ୍ଥିତ ରହୁ ନାହାନ୍ତି କାହିଁକି..? ଏନେଇ ବିହିତ ତଦନ୍ତ ଆବଶ୍ୟକ ବୋଲି କିଛି ଜଣ ଜନ ପ୍ରତିନିଧି ମତ ପ୍ରକାଶ କରିଥିଲେ. ଜନସାଧାରଣଙ୍କ ସମସ୍ୟାର ସମାଧାନ ଓ ପ୍ରଶାସନକୁ ଗ୍ରାମାଭିମୁଖୀ କରିବା ଉଦ୍ଦେଶ୍ୟରେ ଏହି ଶିବିର ଆୟୋଜିତ ହେଉଛି। ତେବେ ଏପରି ଗୁରୁତ୍ବପୂର୍ଣ୍ଣ ଜନ ଶୁଣାଣିରେ କିଛି ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ଅନୁପସ୍ଥିତି ସାଧାରଣ ଲୋକଙ୍କ ମଧ୍ୟରେ ପ୍ରଶ୍ନ ସୃଷ୍ଟି କରୁଛି। ଜନସମସ୍ୟାର ସମାଧାନ ପାଇଁ ଆୟୋଜିତ ଶିବିରରେ ସମସ୍ତ ବିଭାଗର ସକ୍ରିୟ ଭାଗୀଦାରି ଅତ୍ୟାବଶ୍ୟକ ବୋଲି ମତ ପ୍ରକାଶ ପାଇଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖ୍ ଅଭିଯୋଗ ଶୁଣାଣି ସକାଳ ୭ ଟା ସମୟରେ ଆରମ୍ଭ ହେବାର ଉଲେଖ ଥିଲେ ମଧ୍ୟ ବହୁ ବିଳମ୍ବରେ ଆରମ୍ଭ ହୋଇଥିବାରୁ ଅଭିଯୋଗକାରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଗମନାଗମନ ସମସ୍ୟା କାରଣରୁ ଅଞ୍ଚଳର ଅନେକ ଲୋକ ଶୁଣାଣିରେ ସାମିଲ ହୋଇପାରିନାହାନ୍ତି। ଶୁଣାଣିରେ ଅତିରିକ୍ତ ଜିଲ୍ଲାପାଳ ମୁନିଦ୍ର ହୋନନାଗ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲାପରିଷଦ ନିର୍ବାହୀ ଅଧିକାରୀ ଦୟାମୟ ପାଢ଼ୀ, ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ ମାୟାଧର ସାହୁ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ମାଧବ ନନ୍ଦ ନାୟକ ପ୍ରମୁଖ ଉପସ୍ଥିତ ଥିଲେ | ନୂଆଗଡ଼ ପଞ୍ଚାଯତ ସମିତି ଅଞ୍ଚଳରୁ ସମୁଦାୟ ୩୩ ଅଭିଯୋଗପତ୍ର ଗ୍ରହଣ କରାଯାଇଥିଲା | ସେଥିରୁ ୨୦ ବ୍ୟକ୍ତିଗତ ଓ ୧୩ ଗ୍ରାମଭିଭିକ ସମସ୍ୟା ସମ୍ବନ୍ଧୀୟ ଥିଲା। ଅଧିକାଂଶ ଅଭିଯୋଗର ତ୍ବରିତ ସମାଧାନ ପାଇଁ ସମ୍ବନ୍ଧିତ ବିଭାଗୀୟ ଅଧିକାରୀଙ୍କୁ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।


