ପ୍ରକଳ୍ପରେ ଦୁର୍ନୀତି ହୋଇଥିବା ଅଭିଯୋଗ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ସଂସଦୀୟ ପାଣ୍ଠିରେ ନିର୍ମିତ ହୋଇଥିବା ଆଲୋକୀକରଣ ପ୍ରକଳ୍ପରେ ଦୁର୍ନୀତି ହୋଇଥିବାରୁ ରାଜ୍ୟସଭା ସାଂସଦ ସୁଲତା ଦେଓଙ୍କ କେନ୍ଦ୍ରାପଡ଼ା ଗସ୍ତ କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରାଙ୍କ ସମେତ କୈାଣସି ଦଳୀୟ ବିଧାୟକ ବା ଜନପ୍ରତିନିଧିମାନେ ଯୋଗଦେଇନାହାନ୍ତି ବୋଲି ଜିଲ୍ଲା ଯୁବ କଂଗ୍ରେସ ସାମାଜିକ ଗଣମାଧ୍ୟମ ସଂଯୋଜକ ହିମାଂଶୁ ଭୂଷଣ ନନ୍ଦ ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି। ଯୁବ କଂଗ୍ରେସର ଜିଲ୍ଲା ସାମାଜିକ ଗଣମାଧ୍ୟମ ଅଧ୍ୟକ୍ଷ ଶ୍ରୀ ନନ୍ଦ କହିଛନ୍ତି ଯେ କେନ୍ଦ୍ରାପଡ଼ା ବ୍ଲକର ଚକ୍ରୋଡା ଗ୍ରାମ ପଞ୍ଚାୟତରେ ରାଜ୍ୟସଭା ସାଂସଦ ସୁଲତା ଦେଓ ତାଙ୍କ ସାଂସଦ ପାଣ୍ଠିରୁ ଏକ କୋଟି ଟଙ୍କା ଆଲୋକୀକରଣ ପାଇଁ ମଞ୍ଜୁର କରିଥିଲେ। ହେଲେ ସେହି ଅର୍ଥ ବିନିଯୋଗରେ ବ୍ୟାପକ ଦୁର୍ନୀତି ହୋଇଛି। ସେହି ପ୍ରକଳ୍ପରେ ନିମ୍ନମାନର ସାମଗ୍ରୀ ବ୍ୟବହାର କରାଯାଇ ଅର୍ଥ ହରିଲୁଟ୍ କରାଯାଇଥିବା ଯୁବ କଂଗ୍ରେସ ଅଭିଯୋଗ କରିଆସୁଛି। ଏହି ପ୍ରକଳ୍ପକୁ ଉଦ୍ଘାଟନ କରିବା ପାଇଁ ସାଂସଦ ସୁଲତା ଦେଓଙ୍କ କେନ୍ଦ୍ରାପଡା ଗସ୍ତ କାର୍ଯ୍ୟକ୍ରମ ରହିଥିଲା। କିନ୍ତୁ ପ୍ରକଳ୍ପରେ ବ୍ୟାପକ ଦୁର୍ନୀତି ହୋଇଥିବା ସମ୍ପର୍କରେ ବାରମ୍ବାର ଅଭିଯୋଗ ହେବା ଯୋଗୁଁ ସାଂସଦ ଶ୍ରୀମତୀ ଦେଓଙ୍କ କାର୍ଯ୍ୟକ୍ରମରେ ଜିଲ୍ଲାର ଜଣେବି ବିଧାୟକ ବା ଜନପ୍ରତିନିଧିଙ୍କ ସମେତ କୈାଣସି ଦଳୀୟ କାର୍ଯ୍ୟକର୍ତ୍ତା ଯୋଗଦେଇନାହାନ୍ତି ବୋଲି ଯୁବ କଂଗ୍ରେସର ଜିଲ୍ଲା ସାମାଜିକ ଗଣମାଧ୍ୟମ ଅଧ୍ୟକ୍ଷ ଶ୍ରୀ ନନ୍ଦ ଦାବି କରିଛନ୍ତି।


