ଆଜି ବିଶ୍ୱ ଶ୍ରମିକ ଦିବସ

ଆସିକା  (ୱାଇଏନ୍‍ଏସ୍‍): ମୁଣ୍ଡର ଝାଳକୁ ତୁଣ୍ଡରେ ମାରି ସେମାନେ ଅହରହ କରୁଥାନ୍ତି ରାସ୍ତାରୁ ରାଜପ୍ରାସାଦ । କର୍ମ ହିଁ ସେମାନଙ୍କ ଜୀବନର ମାନଦଣ୍ଡ । ପେଟକୁ ଭାତ ଓ ମୁଣ୍ଡକୁ ଛାଟ ଯୋଗାଡିବା ପାଇଁ ଦିନରାତି ଶ୍ରମିକଟିଏ ନିଜକୁ ନିୟୋଜିତ କରିରଖିଥାଏ । ସେମାନଙ୍କ ସମ୍ମନାର୍ଥେ ପ୍ରତିବର୍ଷ ମେ ପହିଲାରେ ପାଳନ ହୋଇଥାଏ ବିଶ୍ୱ ଶ୍ରମିକ ଦିବସ । କର୍ମମୟ ଜୀବନରୁ ବିରତି ପାଇବା ଯେମିତି ଅଧିକାଂଶ ଶ୍ରମିକଙ୍କ ଭାଗ୍ୟରେ ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ । ସରକାରଙ୍କ ମାଳମାଳ ଶ୍ରମିକ କଲ୍ୟାଣକାରୀ ଯୋଜନା ଭିତରେ ସେମାନେ ପ୍ରାୟତଃ ଖୋଜି ପାଇନାହାନ୍ତି ଟିକିଏ ଅବସର । ଠିକାଦାର, ସୁପରଭାଇଜର, ମିସ୍ତ୍ରୀ କାରିଗରଙ୍କ ଡାକରେ ସେମାନଙ୍କ ପ୍ରତ୍ୟୁଷ ଆରମ୍ଭ ହୋଇଥାଏ । ବେଳବୁଡା ପକ୍ଷୀ ଭଳି ଅପରାହ୍ନର ପାଉଣା ହିଁ ଅଧିକାଂଶ ଶ୍ରମିକଙ୍କ ସର୍ବସ୍ୱ । ତେବେ ଅନେକ ବରିଷ୍ଠ ନାଗରିକ ଶ୍ରମିକ ମଧ୍ୟ ରହିଛନ୍ତି ଯେଉଁମାନଙ୍କ ପାଇଁ କାମ କରିବା ସକାଶେ ବାର୍ଦ୍ଧକ୍ୟ ହିଁ ବାଧକ ସାଜିଛି ବୋଲି ସଚେତନ ନାଗରିକ ମହଲରେ ଚର୍ଚ୍ଚା ହେଉଛି । ବୟସାଧିକ ଯୋଗୁଁ ଅଧିକାଂଶ ଶ୍ରମିକ ଅନ୍ୟ ଯୁବ ଶ୍ରମିକଙ୍କ ଭଳି କାମ ପାଉନଥିବା ଦେଖିବାକୁ ମିଳୁଛି । ଏପରିକି କେତେକ ଠିକାଦାର ବାର୍ଦ୍ଧକ୍ୟରେ ଉପନୀତ ହୋଇଥିବା ଶ୍ରମିକ ମାନଙ୍କୁ ପସନ୍ଦ କରୁନଥିବା ଚର୍ଚ୍ଚା ହେଉଛି । ଯାହାରି ଫଳରେ ଅନେକ ବୟସାଧିକ ଶ୍ରମିକ ବିଭିନ୍ନ ସମୟରେ କାମ ପାଇବାରୁ ବଞ୍ଚିତ ହୋଇଆସୁଥିବା ଅଭିଯୋଗ ହେଉଛି । ଗୋଟିଏ ପଟେ ପେଟପାଟଣା ପାଇଁ କାମର ଆବଶ୍ୟକତା ଥିଲା ବେଳେ ଅନ୍ୟପଟେ ବାର୍ଦ୍ଧକ୍ୟ କେତେକ ଶ୍ରମିକଙ୍କ ଦୈନନ୍ଦିନ ଜୀବନ ପରିଚାଳନା ପାଇଁ ବାଧକ ସାଜିଥିବା ଚର୍ଚ୍ଚା ହେଉଛି । ବାର୍ଦ୍ଧକ୍ୟରେ ଉପନୀତ ହୋଇଥିବା ବହୁ ଶ୍ରମିକଙ୍କୁ ଯଦି କାମ ମିଳେ ତେବେ ସେମାନେ ପ୍ରାୟତଃ ଖୁସିରେ ଘରକୁ ଫେରିଥାନ୍ତି ଯଦି ବା କାମ ନମିଳେ ସକାଳୁ ସଞ୍ଜ ଯାଏଁ ଅପେକ୍ଷା କରି ଘରକୁ ଫେରୁଥିବା ଜଣାପଡିଛି । ରାତି ପାହିବା ମାତ୍ରେ ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ଶ୍ରମିକମାନଙ୍କ ଭିଡ ଦେଖିବାକୁ ମିଳିଥାଏ । ସକାଳ ହେବା ମାତ୍ରେ କୋଡି, କୋଦାଳ, ଶାବଳ, ଝୁଡି ଧରି ଶ୍ରମିକମାନେ ପ୍ରାୟତଃ ବାହାରିଥାନ୍ତି କାମ ଅନ୍ୱେଷଣରେ । ମାଲିକଙ୍କ ଅପେକ୍ଷାରେ ବସି ବସି ରହିଥାନ୍ତି । ମଜୁରି ପଇସା ତୁଟିଗଲେ ଦିନକ ପାଇଁ କେତେକ ଶ୍ରମିକ କାମରେ ଲାଗିଥାନ୍ତି । କେତେକ ଶ୍ରମିକଙ୍କ ବୟସ ଗଡିଗଲାଣି ବୋଲିି ବହୁ ଗ୍ରାହକ କାମ କରିବାକୁ ଡାକୁନଥିବା ବେଳେ ଖରାରେ ଛିଡା ହୋଇ ହୋଇ ଘରକୁ ଫେରୁଥିବା ଜଣାପଡିଛି । ପଞ୍ଜିକୃତ ଶ୍ରମିକମାନଙ୍କ କଲ୍ୟାଣ ପାଇଁ ସରକାରଙ୍କ ପକ୍ଷରୁ ଝିଅ ବାହାଘର ଠାରୁ ଆରମ୍ଭ କରି ଛାତ୍ରବୃତ୍ତି, ମୃତ୍ୟୁକାଳୀନ ସହାୟତା ଓ ଚିକିତ୍ସାସେବା ସମେତ ବହୁବିଧ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରାଯାଉଥିଲେ ମଧ୍ୟ ଏବି ବି ବହୁ ଶ୍ରମିକ ସରକାରୀ ସହାୟତା ସଂପର୍କରେ ସଂପୁର୍ଣ୍ଣ ଭାବେ ଜ୍ଞାନ ଆହରଣ କରିନଥିବା ଜଣାପଡିଛି । ବୟସର ଅପରାହ୍ନରେ ଉପନୀତ ହୋଇଥିବା ଶ୍ରମିକମାନଙ୍କୁ ସରକାରଙ୍କ ପକ୍ଷରୁ ଅତିରିକ୍ତ ସହାୟତା ରାଶି ଯୋଗାଇଦେବା ଦିଗରେ ପଦକ୍ଷେପ ନେବାକୁ ସଚେତନ ନାଗରିକ ମହଲରେ ଦୃଢ ମତ ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ