ପରିବେଶ ପ୍ରଦୂଷଣ ବଢ଼ାଉଛି ଥର୍ମୋକୋଲ ପ୍ଲେଟ ବ୍ୟବହାର
କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ):ଏବେ ବିବାହ, ବ୍ରତ ଋତୁ ଚାଲିଛି। ଭୋଜି ଭାତ ଆସର ଜମୁଛି। ଅଧିକାଂଶ ଭୋଜିରେ ଥର୍ମୋକୋଲ ପ୍ଲେଟ ବ୍ୟବହାର କରାଯାଉଥିବା ଦେଖିବାକୁ ମିଳୁଛି। ଖାଲି ସେତିକି ନୁହେଁ, ପୁରୀ ଜିଲ୍ଲା ଅସ୍ତରଙ୍ଗ ଓ କାକଟପୁର ଅଂଚଳରେ ରାସ୍ତା କଡ଼ରେ ବହୁ ଜଳଖିଆ ଦୋକାନରେ ଏହି ପ୍ଲେଟ, ଠୁଙ୍ଗା ବହୁଳ ମାତ୍ରାରେ ବ୍ୟବହାର କରାଯାଉଛି। ଠୋଲା ଠୁ ଆରମ୍ଭ କରି ବଡ଼ ବଡ଼ ହୋଟେଲରେ ମଧ୍ୟ ଏହି ପ୍ଲେଟ ଓ ଠୋଲାରେ ଖାଦ୍ୟ ପରସା ଯାଉଛି। ପରିବେଶକୁ ବିଗାଡିବାରେ ଏହା ପ୍ରମୁଖ ଭୂମିକା ନିର୍ବାହ କରୁଥିଲେ ମଧ୍ୟ ଏଥି ପ୍ରତି ପ୍ରଦୂଷଣ ବିଭାଗ, ଖାଦ୍ୟ ନିରାପତ୍ତା ବିଭାଗ କିମ୍ବା ପ୍ରଶାସନ ସେତେଟା ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି। ଥର୍ମୋକୋଲ ପ୍ଲେଟ ଓ ଠୋଲା ବ୍ୟବହାରରେ ରୋକ ଲଗାଇବା ପାଈଁ ମା ମଙ୍ଗଳାଙ୍କ ସେବାୟତ,ସମାଜସେବୀ ତଥା କାକଟପୁର ଅଞ୍ଚଳ ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ କୁମାର ଦୀକ୍ଷିତ ବିଭାଗୀୟ ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସୂଚନା ମୁତାବକ, ପଲିଷ୍ଟାଇରିନି ତିଆରିରେ ବ୍ୟବହୃତ ଷ୍ଟାଇରିନ ଏବଂ ବେଞ୍ଜିନ ମାରାତ୍ମକ କର୍କଟ ରୋଗ ସୃଷ୍ଟି କରିବାରେ ସାହାଯ୍ୟ କରାଏ। ଯେତେବେଳେ ଗରମ ଖାଦ୍ୟ କିମ୍ବା ପାନୀୟ ଥର୍ମୋକୋଲ ପ୍ଲେଟ ଉପରେ ପରସା ଯାଏ, ସେଥିରୁ ନିର୍ଗତ ରାସାୟନିକ ପଦାର୍ଥ ଖାଦ୍ୟ ସହ ମିସେ । ଦୀର୍ଘ ସମୟ ଧରି କିମ୍ବା ନିୟମିତ ଭାବରେ ଷ୍ଟାଇରିନି ସହିତ ସମ୍ପର୍କରେ ଆସିବା ଦ୍ୱାରା ସ୍ନାୟୁ ପ୍ରଭାବିତ ହୁଏ । ଫଳରେ ଥକାପଣ ଓ ମୁଣ୍ଡବିନ୍ଧା ସୃଷ୍ଟି ହୁଏ । ଦୀର୍ଘ କାଳୀନ ସଂସ୍ସର୍ଶ ସହିତ ଯକୃତ ଏବଂ ବୃକକ ଉପରେ ପ୍ରଭାବ ପକାଏ । ଏହା ପରିବେଶ ପ୍ରଦୂଷଣରେ ମଧ୍ୟ ସାହାର୍ଯ୍ୟ କରେ । ବିଶେଷ କରି ଜଳାଶୟ ଗୁଡିକରେ ପଡିବା ଦ୍ୱାରା ଜଳ ପ୍ରଦୂଷିତ ହୁଏ । ଥର୍ମୋ କୋଲ ଜାଳିବା ଦ୍ୱାରା କାର୍ବନ ମନୋଅକ୍ସାଇଡି ଏବଂ ଷ୍ଟାଇରିନ ଗ୍ୟାସ ସମେତ ବିଷାକ୍ତ ଧୂଆଁ ନିର୍ଗତ ହୁଏ। ଯାହା ବାୟୁ ମଣ୍ଡଳ ପାଈଁ ବହୁଳ ଭାବେ କ୍ଷତିକାରକ। ଥର୍ମୋକୋଲ ଜୈବ ବିଘଟନଶୀଳ ନୁହେଁ। ଏହାର ପୁନଃଚକ୍ରଣ କରିବା କଷ୍ଟକର। ଏଣୁ ମୂର୍ତ୍ତିକା ବହୁଳ ମାତ୍ରାରେ ଏଥିଯୋଗୁଁ ପ୍ରଦୂଷିତ ହେବାରେ ଲାଗିଛି।ବ୍ୟବସାୟୀ ମାନଙ୍କୁ ସୁବିଧା ହେଉବେଳେ ଗ୍ରାହକ ଙ୍କ ପାଈଁ କେତେ ଯେ ବିପଦ ଆଣୁଛି ସେଥିପ୍ରତି ସେମାନେ ସଚେତନ ନୁହନ୍ତି। କିନ୍ତୁ ସବୁ ସତ୍ବେ ବି ଏହାର ଚାହିଦା କମିବା ପରିବର୍ତ୍ତେ ବୃଦ୍ଧି ପାଇବାରେ ଲାଗିଛି। ପଲିଷ୍ଟାଇରିନ ପେଟ୍ରୋଲିୟମ ଆଧାରିତ ପ୍ଲାଷ୍ଟିକିରୁ ତିଆରି ଥର୍ମୋକୋଲ ପ୍ଲେଟ ସ୍ୱାସ୍ଥ୍ୟ ପାଈଁ ବିପଦପୂର୍ଣ୍ଣ ବୋଲି ସବୁ ଜାଣିଥିଲେ ମଧ୍ୟ ଏହା ବନ୍ଦ ହେଉନାହିଁ। ଏହା ପରିବର୍ତ୍ତେ କାଗଜ କିମ୍ବା ପତ୍ର ଆଧାରିତ ସାମଗ୍ରୀ ବ୍ୟବହାର କରାଗଲେ ପରିବେଶ ସହ ସ୍ୱାସ୍ଥ୍ୟ ସମ୍ପଦ ସୁରକ୍ଷିତ ରହି ପାରନ୍ତା ବୋଲି ବୁଦ୍ଧିଜୀବି ମହଲରେ ମତପ୍ରକାଶ ପାଇଛି । ପ୍ରଶାସନ ତୁରନ୍ତ ଅସ୍ତରଙ୍ଗ ଓ କାକଟପୁର ଅଞ୍ଚଳରେ ଯାଞ୍ଚ କରି ଏହି ପ୍ଲେଟ ଓ ସୋଲ ଠୋଲା ବ୍ୟବହାର ରେ ରୋକ ଲଗାଉ ବୋଲି ଦାବୀ ହୋଇଛି ।


