ଓକିଲ ସଂଘ ନିର୍ଵାଚନ ପ୍ରାର୍ଥୀ ପତ୍ର ଯାଞ୍ଚ ଶେଷ
ନବରଙ୍ଗପୁର,(ୱାଇଏନଏସ): ନବରଙ୍ଗପୁର ଜିଲ୍ଲା ଆଇନଜୀବୀ ସଂଘ ନିର୍ଵାଚନ ପ୍ରକ୍ରିୟାରେ ମନୋନୀତ ପ୍ରାର୍ଥୀ ମାନଙ୍କ ନାମାଙ୍କନ ପତ୍ର ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି। ବିଭିନ୍ନ ପଦ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ମନୋନୀତ ପ୍ରାର୍ଥୀ ମାନେ ନିଜ ନିଜ ପ୍ରସ୍ତାବକ ଓ ସମର୍ଥକ ମାନଙ୍କ ସହିତ ନିର୍ବାଚନ ଅଧିକାରୀଙ୍କ ନିକଟରେ ଉପସ୍ଥିତ ରହି ଯାଞ୍ଚ ପ୍ରକ୍ରିୟାରେ ଭାଗ ନେଇଥିଲେ । ନାମାଙ୍କନ ଯାଞ୍ଚ ପରେ ସମସ୍ତଙ୍କ ନାମାଙ୍କନ କାଏମ ରହିଥିଲା। ଏହି କ୍ରମରେ ମନୋନୀତ ପ୍ରାର୍ଥୀ ରୂପେ ସଭାପତି ପଦବୀ ପାଇଁ ସିରାଜୁଦ୍ଦିନ ଅହମ୍ମଦ ଓ ସନ୍ତୋଷ କୁମାର ମିଶ୍ର, ଉପ ସଭାପତି ପଦବୀ ପାଇଁ ସ୍ନେହଲତା ଦେବୀ, ସମ୍ପାଦକ ପଦବୀ ପାଇଁ ତପନ କୁମାର ସିଂ ଓ କିଶୋରୀ ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ପଦବୀ ପାଇଁ ସ୍ୱାଗତିକା ସାମନ୍ତରାୟ, କୋଷାଧକ୍ଷ ପଦବୀ ପାଇଁ ଶେଖ ବାବା ଅଲିଶା, କାର୍ଯ୍ୟକାରି ସଦସ୍ୟ ପଦବୀ ପାଇଁ ଶ୍ରିନିବାସ ପାତ୍ର, ପ୍ରଶାନ୍ତ ପଟ୍ଟନାୟକ, ଗୋପାଳ ଶତପଥୀ ଓ ବାଲାଜୀ ପ୍ରସାଦ ମିଶ୍ରଙ୍କ ନାମାଙ୍କନ ଯୋଗ୍ୟ ବିବେଚିତ ହୋଇଛି। ଚଳିତ ନିର୍ବାଚନରେ ମୋଟ ୯ ଗୋଟି ପଦବୀ ପାଇଁ ୧୧ ଜଣ ନାମାଙ୍କନ ଦାଖଲ କରିଥିଲେ। ଆଗାମି ୮ ତାରିଖରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ଦିଵସ ରହିଛି। ଏହି ନିର୍ବାଚନକୁ ନିର୍ବାଚନ ଅଧିକାରୀ ଆଇନଜୀବୀ ସରୋଜ କୁମାର ବେହେରା,ସହକାରୀ ନିର୍ବାଚନ ଅଧିକାରୀ ଆଇନଜୀବୀ କିଶୋର କୁମାର ପଟ୍ଟନାୟକ ଓ ପ୍ରଦୀପ କୁମାର ସାହୁ ପରିଚାଳନା କରିଥିଲେ।


