ଦରମା ବୃଦ୍ଧି ପାଇଁ ଏଫ୍ ଏମ୍ ୟୁର ସଂଯୋଜକଙ୍କ ଦାବିପତ୍ର ପ୍ରଦାନ
କରଞ୍ଜିଆ, (ଜିତେନ୍ଦ୍ର ରାଜ): ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପରିଚାଳିତ ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ – ଦ୍ୱିତୀୟ ପର୍ଯ୍ୟାୟରେ କାର୍ଯ୍ୟରତ ଏଫଏମୟୁ ସଂଯୋଜକ ମାନେ ଦୀର୍ଘ ଦିନ ଧରି ଅବହେଳିତ ହେବା ପରେ ଦରମା ବୃଦ୍ଧି ପାଇଁ କରଞ୍ଜିଆ ଡ଼ିଏଫଓଙ୍କ ଜରିଆରେ ଦାବି କରିଛନ୍ତି l ୨୦୧୭ ରୁ ୨୦୧୭ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେଉଥିବା ଏହି ପ୍ରକଳ୍ପରେ ଦରମା ବୃଦ୍ଧି ପାଇଁ ୨୦୨୧ ରେ ରେସନାଲଈଜେସନ ( ସଂଗତିକରଣ ) କମିଟି ସମସ୍ତ ସରକାରୀ ପରିଚାଳିତ ପ୍ରକଳ୍ପ ନିମିତ୍ତ ସୁପାରିଶ କରିଥିଲା l ସୁପାରିଶ ଆଧାରରେ ଓଏଫଏସଡିପି -୨ ରେ ଦରମା ବୃଦ୍ଧି ହେଲା l ମାତ୍ର ସିଜି – ସିଵି-୧ ରେ ପ୍ରୋଜେକ୍ଟ ମ୍ୟାନେଜର / ପ୍ରୋଜେକ୍ଟ କୋ-ଅଡିନେଟର ପାଇଁ ଦରମା ବୃଦ୍ଧି ସୁପାରିଶ କରାଯାଇଥିଲେ ମଧ୍ୟ କେବଳ ପ୍ରୋଜେକ୍ଟ ମ୍ୟାନେଜର ମାନଙ୍କ ଦରମା ବୃଦ୍ଧି ହେଲା l ପ୍ରକଳ୍ପରେ ପିଏମୟୁ, ଡ଼ିଏମୟୁ ଏବଂ ଏଫଏମୟୁ ନାମକରଣ କରାଯାଇଛି l ପ୍ରକଳ୍ପରେ ନାମକରଣ ଅଲଗା କାରଣରୁ ପିଅନ ରୁ ଉପରିସ୍ଥ ସମସ୍ତ କର୍ମଚାରୀଙ୍କ ଦରମା ବୃଦ୍ଧି କରାଯାଇଥିଲେ ମଧ୍ୟ ଏଫଏମୟୁ ସଂଯୋଜକ ଦରମା ବୃଦ୍ଧିରୁ ବାଦ ପଡିଛନ୍ତି l ୨୦୨୨ ଅକ୍ଟୋବରରୁ ପ୍ରକଳ୍ପରେ ସଂଯୋଜକ ବ୍ୟତୀତ ସମସ୍ତ ପ୍ରକାର କର୍ମଚାରୀଙ୍କ ଦରମା ବୃଦ୍ଧି ଲାଗୁ ହୋଇଥିଲା l ଦରଦାମ ବୃଦ୍ଧି ସମସ୍ତଙ୍କ ପାଇଁ ସମାନ ହୋଇଥିବା ବେଳେ ଇତି ମଧ୍ୟରେ ୫ ବର୍ଷ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ସଂଯୋଜକଙ୍କ ଦରମା ବୃଦ୍ଧି ଲାଗୁ କରାଯାଇନାହିଁ l ପୂର୍ବରୁ ବାରମ୍ବାର ଜଣାଇ ସୁଫଳ ମିଳି ନଥିବାରୁ ଏହି ଐତିହାସିକ ଅନ୍ୟାୟ ବିରୋଧରେ ଏବେ ସଂଯୋଜକ ମାନେ ସମ୍ମିଳିତ ହୋଇ ପ୍ରତିବାଦ ଜଣାଇଛନ୍ତି l ୫ ତାରିଖରେ କରଞ୍ଜିଆ ଡ଼ିଏଫଓଙ୍କୁ ଭେଟି ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ପୁନଃବିଚାର ପାଇଁ ଜଣାଇଛନ୍ତି l ଓଡିଶାରେ ସର୍ବମୋଟ ୧୨ଟି ଡିଭିଜନରେ ଓଏଫଏସ୍ଡ଼ିପି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି l ପ୍ରାୟ ୧୦୦ଏଫଏମୟୁ ସଂଯୋଜକ ଦରମା ବୃଦ୍ଧିରୁ ବାଦ ପଡିଛନ୍ତି l ବିଭାଗ ତଥା ସରକାର ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦେବାକୁ ଦାବି କରାଯାଉଛି.


