୧୦ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଧଳାଜହର ଜବତ : ଜଣେ ଗିରଫ
କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ) : ନିମାପଡା ଅବକାରୀ ଥାନା ପୁଲିସକୁ ସଫଳତା ମିଳିଛି । ୧୦ଲକ୍ଷରୁ ଉର୍ଦ୍ଧ ଟଙ୍କାର ଧଳା ଜହର ଜବତ ହୋଇଛି। ଅବକାରୀ ପୁଲିସ ଏହି ଘଟଣାରେ ଜଣକୁ ଗିରଫ କରିଛି। ଗିରଫ ଯୁବକ ଜଣକ ଅସ୍ତରଙ୍ଗ ବ୍ଲକ ଖଣ୍ଡାସାହି ଗ୍ରାମର ବସନ୍ତ କୁମାର ନାୟକ (୫୧) । ତେବେ ବସନ୍ତଙ୍କ ନିକଟରୁ ୧୦୫ଗ୍ରାମର ଧଳା ଜହର ଜବତ କରିଛି ଅବକାରୀ ବିଭାଗ । ବିଶେଷ ସୂତ୍ରରୁ ଖବର ପାଇ ପୁରୀ ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଧେଶକ୍ରମେ ନିମାପଡା ଅବକାରୀ ଥାନା ଅଧିକାରୀ ପ୍ରଭାକର ସେଠୀଙ୍କ ନେତୃତ୍ୱରେ ଏକ ଟିମ୍ ବୁଧବାର ଦିନ ମଧ୍ୟାହ୍ନ ୧୨ଘଟିକା ସମୟରେ ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ଖଣ୍ଡାସାହି ପାର୍ଶ୍ୱବର୍ତ୍ତୀ ଦେବୀ ନଦୀ ରାସ୍ତା ନିକଟରେ ଚଢ଼ାଉ କରି ବସନ୍ତ କୁମାର ନାୟକଙ୍କୁ ଗିରଫ କରି ଧଳା ଜହର ଜବତ କରିବାରେ ସକ୍ଷମ ହୋଇଛନ୍ତି ।ବସନ୍ତଙ୍କ ନିକଟରୁ ୧୦୫ଗ୍ରାମ ଧଳା ଜହର ଜବତ କରିଥିବା ବେଳେ ଯାହାର ଆନୁମାନିକ ମୂଲ୍ୟ ୧୦ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଅନୁମାନ କରାଯାଇଛି। ଏହା ସହ ଅଭିଯୁକ୍ତ ଠାରୁ ଏକ ସ୍ମାଟ ଫୋନ ସହ ୧୨ଶହ ଟଙ୍କା ନଗଦ ଜବତ କରିଥିଲା ଅବକାରୀ ପୋଲିସ ।ଏ ନେଇ ଅବକାରୀ ଥାନା କେଶ ନମ୍ବର ୧୨/୨୬-୨୭ରେ ଏନ.ଡ଼ି.ପି.ଏସ ମାମଲା ରୁଜୁ କରି କୋର୍ଟ ଚାଲଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ନିମାପଡା ଉପକାରାଗାରକୁ ପଠାଯାଇଛି। ଯାହାକି ସୂଚନା ଦେଇଛନ୍ତି ନିମାପଡା ଅବକାରୀ ଥାନା ଅଧିକାରୀ ପ୍ରଭାକର ସେଠୀ । ଏହି ସ୍ୱତନ୍ତ୍ର ଚଢ଼ାଉ ସମୟରେ ଅବକାରୀ ଥାନା ନିମାପଡା ଓ କୋଣାର୍କ ଅଂଚଳର ଅଧିକାରୀ ପ୍ରମୁଖ ସାମିଲ ଥିଲେ। ଏହି କାରବାର ସହ ଅନ୍ତଃରାଜ୍ୟ ରାକେଟ କାମ କରୁଥିବା ଚର୍ଚ୍ଚା ହେଉଛି। ଧରା ପଡ଼ିଥିବା ଅଭିଯୁକ୍ତ ମାନେ ବାରମ୍ବାର ଏପରି ଅପରାଧ ଭିଆଇ ସହଜରେ ମୁକୁଳି ଯାଉଥିବାରୁ ଦିନକୁ ଦିନ ଅପରାଧ ବଢିବାରେ ଲାଗିଥିବା କଥା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।


