ଜଳୁଛି ଜଙ୍ଗଲ, ବେଫିକର୍ ବନାଧିକାରୀ
ମାଲକାନଗିରି, (ଡଃ ଶିବ ନାରାୟଣ ପାତ୍ର): ମାଲକାନଗିରି ବନ ଖଣ୍ଡ କୋରୁକୋଣ୍ଡା ବନ ଅଧିକାରୀଙ୍କ କାର୍ଯ୍ୟାଳୟ ଆଗ ମାଉଳି ମା ଜଙ୍ଗଲରେ ଦିନ ତମାମ ନିଆଁ ଜଳୁଛି, ଯାହାକି ଅଧିକାରୀଙ୍କ କାର୍ଯ୍ୟାଳୟକୁ ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଛି ହେଲେ ଦେଖିପାରୁ ନାହାନ୍ତି ଅଧିକାରୀ। କିଛିଦିନ ପୂର୍ବେ ଜିଲ୍ଲା ବନାଧିକାରୀ (ଡି ଏଫ୍ ଓ) ପ୍ରେସ ବିବୃତ୍ତିରେ ଜଙ୍ଗଲ ନିଆଁକୁ ଆୟତ୍ତ କରିବା ଦିଗରେ ମାଲକାନଗିରି ଜିଲ୍ଲାର ସଫଳତାକୁ ବଖାଣି ଥିଲେ କିନ୍ତୁ ବ୍ଲକରେ ରହୁଥିବା ବନାଧିକାରୀ ମାନେ ପୁରା ବେଫିକର୍। ଯାହା ଜଣାପଡୁଛି ଡି ଏଫ୍ ଓ ଦେଇଥିବା ବୟାନ ଏକ ଗପ ଥିଲା। ଯାହାର କୌଣସି ସତ୍ୟାସତ୍ୟ ନାହିଁ କିମ୍ବା ଜିଲ୍ଲା ଓ ବ୍ଲକ୍ ମଧ୍ୟରେ କୌଣସି ସାମଞ୍ଜସ୍ୟ ନାହିଁ। ନଚେତ କୋରୁକୋଣ୍ଡା ବ୍ଲକ୍ ରେ ରହୁଥିବା ବନାଧିକାରୀ ବେଫିକର୍ କେମିତି ହୋଇ ପାରିଲେ। ଏମିତି କିଛି ଦେଖିବାକୁ ମିଳିଛି କୋରୁକୋଣ୍ଡା ବ୍ଲକ୍ ରେ। ପ୍ରତ୍ୟକ୍ଷଦର୍ଶିଙ୍କ କହିବା ଅନୁଯାଇ ଆଜି ଭୋର୍ ଠାରୁ ନିଆଁ ଜଳିବା ଆରମ୍ଭ ହୋଇଥିଲେ ମଧ୍ୟ କୌଣସି ବନ ଅଧିକାରୀଙ୍କର ଦେଖା ମିଳୁନାହିଁ। ଦୀର୍ଘ ଦିନ ହେବ ଏମିତି ଏହି ଜଙ୍ଗଲ ଜଳୁଥିଲେ ମଧ୍ୟ ବେଖାତିରି ଭାବେ ଅଧିକାରୀ ମାନେ ନ ଦେଖିଲାପରି ଚୁପ ରହୁଛନ୍ତି। ଦିନକୁ ଦିନ ଗ୍ରୀଷ୍ମ ପାବାହ ବଢ଼ିବାରେ ଲାଗିଥିଲାବେଳେ ଆହୁରି ଅଧିକ କଲବଲ କରିଛି ଜଙ୍ଗଲ ପୋଡିର ନିଆଁ। ଲୋକଙ୍କ କହିବା ଅନୁଯାଇ ବନ ଅଧିକାରୀଙ୍କ ରହିବା ନିମନ୍ତେ କାର୍ଯ୍ୟାଳୟ ରହିଥିଲେ ମଧ୍ୟ କୌଣସି ଅଧିକାରୀ ରହୁନାହାନ୍ତି। ରାତିରେ କାର୍ଯ୍ୟାଳୟ ପରିସର ଅନ୍ଧାରରେ ରହୁଛି ଆଉ ଜଙ୍ଗଲରେ ନିଆଁ ଲାଗିବା କଥା ପଚାରେ କିଏ। ବିଗତ ଦିନରେ କାର୍ଯ୍ୟାଳୟର ଝରକା କବାଟ ମରାମତି କରିବା ନିମନ୍ତେ ଜବତ କରି ଅଣାଯାଇଥିବା ପ୍ରାୟ ୫ଗୋଟି ସାଗୁଆନ ଗଣ୍ଡିକୁ ସ୍ଥାନୀୟ ବନପାଳ ବିନା ଅନୁମତିରେ କାଟିଦେଇଥିବା ବିଭିନ୍ନ ଖବର କାଗଜରେ ପ୍ରକାଶ ପାଇଥିଲେ ମଧ୍ୟ ଉପରସ୍ତ ଅଧିକାରୀ କୌଣସି ପଦକ୍ଷେପ ଗ୍ରହଣ କରିନଥିବା କାରଣରୁ ବନପାଳ ପୁରା ବିନ୍ଦାସରେ କାଯ୍ୟାଳୟକୁ ନଆସି ସବୁ କାମକୁ ଘରେ ବସି ସାରିଦେଉଥିବା ସ୍ଥାନୀୟ ବାସି କହିଛନ୍ତି। ଏହାକୁ ନେଇ ଆମେ ବନପାଳଙ୍କ ପ୍ରତିକ୍ରିୟା ପାଇଁ ଜ୍ୟୋତି ଡ଼ୁମ ଡ଼ୁମଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ ଅଧିକାରିଙ୍କର ମୋବାଇଲ ବନ୍ଦ ଥିବା କାରଣରୁ କୌଣସି ପ୍ରତିକ୍ରିୟା ମିଳିପାରିଲା ନାହିଁ। ଏଣୁ ଆମେ ବାନାଞ୍ଚଳ ଅଧିକାରୀ ରମେଶ ଚନ୍ଦ୍ର ରାଉତଙ୍କୁ ଅବଗତି କରିବା ନିମନ୍ତେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ ହେଲେ ଅଧିକାରୀ ଆମ କଲ ଗ୍ରହଣ କରିନଥିବା କାରଣରୁ କୌଣସି ବନ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନଥିଲା।


